ଏମିତି କାହିଁକି ପ୍ରଭୁ କରୁଛ
ଭଙ୍ଗା ଗଢ଼ା ଦୁନିଆରେ ପ୍ରଭୁ ଭାଙ୍ଗୁଛ ଗଢୁଛ
ଭକତର ମନ ଜାଣି ତା’ପାଇଁ ଲଢ଼ୁଛ,
ଏମିତି କାହିଁକି ପ୍ରଭୁ କରୁଛ ?
ଭକତକୁ ଦୁଃଖ ଦେଇ କି ଲାଭ ପାଉଛ ।
ମାଗିତ ନଥିଲି ପ୍ରଭୁ ମୋତେ ଯାଚି ଦେଲ ଆଣି
ଦୁରେଇ ରଖୁଛ ପୁଣି ଶୁଭୁ ନାହିଁ ବାଣୀ
ଏମିତି କାହିଁକି ପ୍ରଭୁ କରୁଛ ?
ଭଙ୍ଗା ଗଢ଼ା କରି ପ୍ରଭୁ କି ଲାଭ ପାଉଛ ।
ଋଣୀଥିଲି ବୋଲି ପ୍ରଭୁ ଆଣିଥିଲ ମୋର ପାଶେ
ଋଣ ସୁଝିଗଲା ପରେ ନେଇଗଲ ଶେଷେ
ଏମିତି କାହିଁକି ପ୍ରଭୁ କରୁଛ ?
ସୁଖ ପରେ ଦୁଃଖ ଦେଇ କନ୍ଦାଇ ମାରୁଛ ।
ଅଯୋଡ଼ା ସମ୍ପର୍କକୁ ପ୍ରଭୁ ହେ ନିମିଷେ ଯୋଡୁଛ
ପରକୁ ଆପଣା କର କହି କି ଗଢୁଛ
ଏମିତି କାହିଁକି ପ୍ରଭୁ କରୁଛ ?
ଭକ୍ତ ମନେ ଦୁଃଖ କିମ୍ପା ହେ ପ୍ରଭୁ ଦେଉଛ ।
ଯାହା ଦେଲ ତାହା ନେଲ ପ୍ରଭୁ ଦୁଃଖ ମୋର ନାହିଁ
ଆଦେଖା ଦଉଡ଼ିରେ ପ୍ରଭୁ ବାନ୍ଧୁଛ ମହି,
ଏମିତି କାହିଁକି ପ୍ରଭୁ କରୁଛ ?
ସ୍ୱାର୍ଥପର ଦୁନିଆରେ ଭକ୍ତଙ୍କୁ ମାରୁଛ ।
ଯାହା ତ ଦେଉଛ ପ୍ରଭୁ ତାକୁ ଛଡାଇ ନେଉଛ
ହୀନ କପାଳିଆ କରି କାହିଁକି ଗଢିଛ
ଏମିତି କାହିଁକି ପ୍ରଭୁ କରୁଛ ?
ଭକ୍ତ ଜନେ ବଡ଼ ଦାଣ୍ଡେ ଲଜ୍ଜିତ କରୁଛ ।
ଜୟ ଶ୍ରୀଜଗନ୍ନାଥ……….
ରଞ୍ଜନ କୁମାର ପଣ୍ଡା
କୋରାପୁଟ