ଯାହାକୁ ଯେଉଁ ଥାନ
ଜ୍ୟୋତ୍ସ୍ନା ରାଣୀ ଦେବୀ
କୋଇଲି ଡେଇଁ ଡାଳରୁ ଡାଳ
ଗାଇଲା କୁହୁକୁହୁ
ଆହା କି ମିଠା ତା’ ତୁଣ୍ଡ କଥା
ସତେ କି ଝରେ ମହୁ
କଜ୍ଜଳପାତି ଆସି
ମଉନେ ସେଠି ମନଦୁଃଖରେ
ଡାଳରେ ଗଲା ବସି ।
ଶାଗୁଆ ଦେହ ନାଲିଆ ଥଣ୍ଟେ
ସଜେଇ ହୋଇ ଶୁଆ
ନାଚିନାଚିକା କହିଲା କଥା
ଆହା କି ମନଛୁଆଁ
କଜ୍ଜଳପାତି ଭାବେ
ଦଇବ କିଆଁ କାଳିଆ କରି
ଗଢିଲା ମୋତେ ଭବେ ।
କୋଇଲି ପରି ମଧୁର ସ୍ଵରେ
ପାରିଲି ନାହିଁ ଗାଇ
ଶୁଆ ପରିକା ସୁନ୍ଦର କଥା
ପାରୁନି କିଆଁ କହି
କେଡେ ସୁନ୍ଦର ଦିହ
ପାଇଛି ଶୁଆ କି ମନଲୋଭା
ଥଣ୍ଟ ସାଥିରେ ମୁହଁ ।
ଆସି ଶିକାରୀ ଖଟାଇ ବଳ
ଖଟାଇ କଉଶଳ
ଧରିଲା ଶୁଆ ପିଞ୍ଜରା ଭରି
ନେଲା ଆପଣା ଘର
ଦେଖି କଜ୍ଜଳପାତି
ଲୁଚି ବସିଲା ଗଛ ଡାଳରେ
ପାଇଲା ବଡ ଭୀତି ।
କହିଲା ଆହା! ଈଶ୍ଵର ପରା
ଜାଣନ୍ତି ସବୁ କଥା
ମିଛରେ ଖାଲି ମୁଁ ଭାବୁଥିଲି
ପାଇଣ କେତେ ବ୍ୟଥା
ସେ ତ ମଙ୍ଗଳମୟ
ଯାହାକୁ ଯେଉଁ ଥାନରେ ରଖି
ଦିଅନ୍ତି ବରାଭୟ ।
ବ୍ରହ୍ମପୁର, ଗଂଜାମ