ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

ଆଜି ଓଡ଼ିଆ ଜାତିର ଗର୍ବ , ଗୈାରବ , ସ୍ବାଭିମାନର ପ୍ରତୀକ , ଜାତୀୟ ଜାଗରଣର ପ୍ରତିବଦ୍ଧତାଧର୍ମ୍ମୀ ମହାନାୟକ , ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ , ଯଥା … ପ୍ରଥମ ସ୍ନାତକ , ପ୍ରଥମ ସ୍ନାତକୋତ୍ତର , ପ୍ରଥମ ସ୍ଵୀକୃତିପ୍ରାପ୍ତ ଅଧିବକ୍ତା , ପ୍ରଥମ ବିଲାତ ଯାତ୍ରୀ , ପ୍ରାଦେଶିକ ବ୍ୟବସ୍ଥାପକ ସଭା ଓ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ର ପ୍ରଥମ ଓଡ଼ିଆ ସଦସ୍ୟ , ପ୍ରଥମ ଓଡ଼ିଆ ମନ୍ତ୍ରୀ , ଏପରିକି ପ୍ରଥମ ଭାରତୀୟ ସ୍ଵେଚ୍ଛାକୃତ ମନ୍ତ୍ରୀତ୍ବ ରୁ ଇସ୍ତଫା ପ୍ରଦାତା , ଶିଳ୍ପ ଉଦ୍ୟୋଗୀ ଭଳି ବହୁ କ୍ଷେତ୍ରରେ ସର୍ବକାଳୀନ ଆଦର୍ଶ , ଯାହାଙ୍କର ଜୀବନାଲେଖ୍ୟର ଦିନ ପଞ୍ଜିକା ହିଁ ଓଡ଼ିଶାର ଇତିହାସ, ପିଢ଼ି ପରେ ପିଢ଼ି ପ୍ରତି ଓଡ଼ିଆ ଙ୍କ ଚିର ବନ୍ଦନୀୟ , ପ୍ରାତଃ ସ୍ମରଣୀୟ , ଉତ୍କଳ ଗୌରବ ବାରିଷ୍ଟର୍ ମଧୁସୂଦନ ଦାସ ଙ୍କ ୧୭୪ ତମ ଜୟନ୍ତୀ l 

ସମଗ୍ର ବିଶ୍ବ ଇତିହାସର ଗର୍ଭାନୁଶୀଳନ କଲେ ତ୍ୟାଗ , ତୀତିକ୍ଷା , ବଳିଦାନ ର ସର୍ବକାଳୀନ ତ୍ୟାଗ ର ଶ୍ରେୟ କେବଳ ଏହି ମହାପୁରୁଷ ଙ୍କ ପାଇଁ ଓଡ଼ିଆ ଇତିହାସ ହିଁ ନେବ l ଏହାର ସମ୍ମୁଜ୍ଜ୍ଵଳ ଐତିହାସିକ ମହାନାୟକ ରାଜା ଇନ୍ଦ୍ରଦ୍ୟୁମ୍ନ l ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନ ଙ୍କ ଶ୍ରାଦ୍ଧ ଦେଇଆସୁଛନ୍ତି ପ୍ରଭୁ ଜଗନ୍ନାଥ ।‌ ମହାପୁରୁଷଙ୍କ ଜୀବନାଲେଖ୍ୟ ଓ ଅକଳ୍ପନୀୟ ଅବଦାନ କୁ ଉପଜିଵ୍ୟ କଲେ ପ୍ରତ୍ୟେକ ଓଡ଼ିଆ ତାଙ୍କ ମାଟି ର ପାତାଳ ଭେଦୀ କୃତଜ୍ଞତା ଜ୍ଞାପନ ସଂସ୍କୃତି ଆଧାର ରେ କୁଳବୃଦ୍ଧ ମଧୁସୂଦନ ଙ୍କ ଜୟନ୍ତୀ ରେ ଜୟଗାନ ଓ ଶ୍ରାଦ୍ଧ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏକ କୃତଜ୍ଞୀୟ କର୍ତ୍ତବ୍ୟ l ଇହଲୀଳା ସମ୍ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିବା ପଣ୍ଡିତ ନୀଳକଣ୍ଠ ତାଙ୍କୁ ପଚାରିଥିଲେ ” ଓଡ଼ିଶାବାସୀ ଙ୍କ ପାଇଁ ତାଙ୍କର କିଛି କହିଵାର ଅଛି କି ?” ମଧୁ ବାବୁ କ୍ଷୀଣ ସ୍ଵରରେ କହିଥିଲେ ” ଓଡ଼ିଶାବାସୀ ତାଙ୍କର ଅନ୍ତର ନିର୍ମଳ ରଖିବେ l ମୁଁ ତ ଯାଉଛି , ମନେ ରଖିଥିବ ଜଣେ ‘ଓଡ଼ିଆ ଥିଲା’ l ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀର ମୋହନ ଲେଖିଥିଲେ – ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ , ଉତ୍କଳ ମାତାର ଯୋଗ୍ୟ ସନ୍ତାନ , ଦେଲ ଉତ୍କଳିୟ ଙ୍କୁ ନବ ଜୀବନ , ଶିଖାଇଲ ଲୋକେ ଜାତି ବନ୍ଦନ l

ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ ରେ ଜନ୍ମଗ୍ରହଣ କରିଥିଲେ l ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ପୁଅ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ l ପରେ ତାଙ୍କ ବାପା , ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ l ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ l ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ l ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି) l ଏହା ପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ l କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ l ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ l ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା , କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା l ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ l ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ l

କଲିକତାରେ ଅମ୍ବିକା ପ୍ରସାଦ ହାଜିରା ନାମକ ବଙ୍ଗୀୟ ଖ୍ରୀଷ୍ଟିୟାନ ପାଦ୍ରୀଙ୍କ ସହିତ ସେ ପରିଚିତ ହେଲେ l ଅମ୍ବିକା ପ୍ରସାଦ ମଧୁସୂଦନଙ୍କର ଉଚ୍ଚଶିକ୍ଷାପ୍ରତି ଆଗ୍ରହ ଦେଖି ତାଙ୍କୁ ଏ ଦିଗରେ ସାହାଯ୍ୟ କଲେ l ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ ଏକ ସ୍କୁଲରେ ଶିକ୍ଷକତା କଲେ l ତତ୍କାଳିନ କଲିକତାରେ କଲେଜ ପାଠ ପଢ଼ିବା ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ପାସ କରିବା ଦରକାର ପଡୁଥିଲା l ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଏକ ଛାତ୍ର ସହାୟକ ପୁସ୍ତକ ‘ମଡେଲ କୋଶ୍ଚିନ୍ସ’ ରଚନା କରିଥିଲେ l ଗଣିତ ଓ ଭୂଗୋଳରେ ତାଙ୍କର ଭଲ ଦଖଲ ଥିଲା l ନିଜର ଗୁଣ ଓ କର୍ମନିଷ୍ଠା ବଳରେ ସେ କଲିକତାର ଶ୍ରୀରାମପୁର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ l ଛାତ୍ର ଛାତ୍ରୀମାନଙ୍କର ଅତି ପ୍ରିୟ ମଧୁବାବୁ ଇତି ମଧ୍ୟରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ l ସେ ସମୟରେ ନିଜ ପେଟପାଟଣା ପାଇଁ ଅନେକ ଓଡ଼ିଆ କଲିକତାରେ ଚାକିରି କରୁଥିଲେ l ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ l ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ l ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ l ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ l ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ l କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା , କେନ୍ଦୁଝରା ରାଜାଙ୍କ ମୋକଦ୍ଦମା , ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ l ଉତ୍କଳର ଗଜପତି ଦିବ୍ୟସିଂହ ଦେବ , ସାଧୁ ଶିବାଦାସ ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ l ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ , ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ l ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାମହୀ ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ , ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ l ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ l

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ l ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା l ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ l ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ l

କଟକର ସୁନାରୂପାର ତାରକସି କାମ ପାଇଁ ମଧୁସୂଦନ ଦାସ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଇଥିଲେ l ଏଥି ସହିତ ସୁନା , ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ l ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ l ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ l କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ l ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ l ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା l ଜଣେ ଲେଖକ ଓ କବି ଭାବରେ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି l ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି l ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ” , “ଜାତି ଇତିହାସ” , “ଜ୍ଞାନୀର ଉକ୍ତି” , “ଜାତୀୟ ଗୀତିକା” l ସେ ମଧ୍ୟ ଓଡ଼ିଆ , ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ l ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ l ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ସମ୍ଭବ ହୋଇଥିଲା l

 ଉତ୍କଳର ଜନସାଧାରଣଙ୍କ ମନରୁ ଲିଭିନଥାଏ ଭୂମିକମ୍ପର ପ୍ରଭାବ l ଏତେବେଳେ ଦୈନିକ ଖବରକାଗଜ ‘ସମାଜ’ ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ସଭିଏଁ … ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ l ତାଙ୍କ ଅନ୍ତନଳୀରେ ଘା ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି l ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା l ୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖ ରାତି ୧.୨୦ ମିନଟ ସମୟରେ ତାଙ୍କ ଆତ୍ମା ମର ଶରୀର ତ୍ୟାଗ କରି ଅମରପୁର ବାହୁଡ଼ିଲା l ଆଜି ଏହି ମହାପୁରୁଷ ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀl

ଜୟ ଓଡ଼ିଶା । ଜୟ ଜଗନ୍ନାଥ । 

କବିତା ସାହୁ , ଜୟପୁର

Related posts

କୋକସରା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଡ଼ିଓ ଙ୍କ  ସ୍ୱାମୀ ଜୀବନ ରୁ ମାରିବାକୁ ଧମକ, କୋକସରା ଥାନାରେ ଅଭିଯୋଗ କଲେ ସାମ୍ବାଦିକ

Sunil Chandra Nayak

ଆଜାଦ୍ କୀ ଅମୃତ ମହୋତ୍ସବ୍ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ 

Sunil Chandra Nayak

ଧର୍ମଗଡ ରେ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!