ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ପ୍ରବନ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ

 

ଉତ୍କଳ ଗୌରବ ମଧୁସୂଦନ ଦାସ

 

ପ୍ରଥମ ଓଡ଼ିଆ ଗ୍ରଜୁଏଟ୍, ପ୍ରଥମ ଓଡ଼ିଆ ଏମ୍ ଏ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ ଏଲ ବି, ପ୍ରଥମ ବିହାର – ବିଧାନ ସଭା ସଦସ୍ୟ , ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲାପରିଷଦ ବେସରକାରୀ ସଦସ୍ୟ, ଓଡ଼ିଆର ପ୍ରଥମ ବାରିଷ୍ଟର, ଓଡିଆ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , କବି ଓ ଲେଖକ,ଉତ୍କଳ ଭାରତୀଙ୍କ ସୁଯୋଗ୍ୟ ସନ୍ତାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କୃତିତ୍ୱ ଚିର ଅମର, ଅମ୍ଳାନ l

  ଚିର ସ୍ମରଣୀୟ , ଚିର ବନ୍ଦନୀୟ ସେହି ମହାନ୍ ବ୍ୟକ୍ତିତ୍ଵଧାରୀ ମହାପୁରୁଷଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମା ପୁର ନାମକ ଏକ କ୍ଷୁଦ୍ର ଗ୍ରାମରେ ହୋଇଥଲା l ତାଙ୍କ ପିତାଙ୍କ ନାମ ଶ୍ରୀ ରଘୁନାଥ ରାୟ ଓ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ l ଶୈଶବ ରେ ତାଙ୍କ ପିତୃଦତ୍ତ ନାମ ଗୋବିନ୍ଦ ବଲ୍ଲଭ ଓ ତାଙ୍କ କନିଷ୍ଠ ଭ୍ରାତାଙ୍କ ନାମ ଗୋପାଳ ବଲ୍ଲଭ l କିନ୍ତୁ ଘଟଣା କ୍ରମେ ପରବର୍ତ୍ତୀ କାଳରେ ସେ ଗୋବିନ୍ଦ ବଲ୍ଲଭ ନାମକୁ ପରିବର୍ତ୍ତନ କରି *ମଧୁସୂଦନ* ନାମ ଗ୍ରହଣ କରିଥଲେ l ଏହି ନାମ ଗ୍ରହଣ କରିବାର ମଧ୍ଯ କାରଣ ଅଛି l

        ମଧୁସୂଦନଙ୍କ ବାଲ୍ୟଶିକ୍ଷା ନିଜ ଗ୍ରାମର ଚାଟଶାଳୀରେ ଆରମ୍ଭ ହୋଇଥିଲା l ତେର ପର୍ବ ବୟସରେ ସେ କଟକ ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ l ଯାହା ପରବର୍ତ୍ତୀ କାଳରେ ରେଭେନ୍ସା କଲିଜୁଏଟ୍ ସ୍କୁଲ ନାମରେ ନାମିତ ହୋଇଥଲା l ୧୮୬୪ ମସିହାରେ ସେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ବ ଲାଭ କରିଥିଲେ l ସେତେବେଳେ ଉଚ୍ଚ ଶିକ୍ଷା ନିମନ୍ତେ ଓଡିଶାରେ କୌଣସି ମହାବିଦ୍ୟାଳୟ ନ ଥିଲା l ତେଣୁ ଉଚ୍ଚ ନିମନ୍ତେ ତତ୍କାଳୀନ ଛାତ୍ରମାନେ କଲିକତା ଯାଇ ଉଚ୍ଚ ଶିକ୍ଷା ଲାଭ କରୁଥିଲେ l ଏଣ୍ଟ୍ରାନ୍ସ ଉତ୍ତୀର୍ଣ୍ଣ ହେବା ପରେ ମଧୁସୂଦନ ଅର୍ଥାଭାବ କାରଣରୁ ଉଚ୍ଚ ଶିକ୍ଷା ନିମନ୍ତେ କଲିକତା ନ ଯାଇ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଶିକ୍ଷକତା ଗ୍ରହଣ କରି ପଥଖର୍ଚ୍ଚ ପାଇଁ କିଛି ଅର୍ଥ ସଂଗ୍ରହ କରିଥିଲେ l କଲିକତାରେ ଅବସ୍ଥାନ କରି ଶିକ୍ଷାଲାଭ ନିମନ୍ତେ ଅର୍ଥ ସଙ୍କଟ ବିରାଟ ପ୍ରତିବନ୍ଧକ ସାଜିଲା l ସେହି ସମୟରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ ମାନେ ସେମାନଙ୍କ ସଂଘ ପାଣ୍ଠିରୁ ଖ୍ରୀଷ୍ଟିଆନ୍ ଛାତ୍ର ମାନଙ୍କୁ ଅର୍ଥ ସାହାଯ୍ୟ କରୁଥିଲେ l ଅର୍ଥାଭାବ ଦୂର କରି ଉଚ୍ଚ ଶିକ୍ଷା ଲାଭ କରିବା ନିମନ୍ତେ ସେ ଆମ୍ବିକା ପ୍ରସାଦ ହଜରା ନାମକ ଏକ ପାଦ୍ରୀଙ୍କ ସହାୟତାରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ l ଆଉ ଏଥିପାଇଁ ହିଁ ତାଙ୍କୁ ଗୋବିନ୍ଦ ବଲ୍ଲଭ ନାମକୁ ବଦଳାଇ ମଧୁସୁଦନ ହେବାକୁ ପଡ଼ିଥିଲା l ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ ପରେ ତାଙ୍କର ଅର୍ଥାଭାବ ଦୂର ହୋଇ ଥିଲା l

      ୧୮୭୦ ମସିହାରେ ସେ ବି.ଏ. ପରୀକ୍ଷାରେ ଉତ୍ତୀ୍ଣ୍ଣ ହୋଇ କଲିକତାର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଲେ l ଏଥି ସହିତ କିଛି ଦିନ ପାଇଁ ସେ କଲିକତା ଉଚ୍ଚ ନ୍ୟାୟାଳୟରେ ଓଡିଆ ଅନୁବାଦକ ରୂପେ କାର୍ଯ୍ୟ କରିଥିଲେ l ଏ ସମସ୍ତ ଦାୟିତ୍ବ ତୁଲାଇବା ସତ୍ତ୍ୱେ ତାଙ୍କ ଶିକ୍ଷାଲାଭ ଚାଲୁ ରଖିଥିଲେ l ସେ ୧୮୭୩ ମସିହାରେ ଇଂରାଜୀ ସାହିତ୍ୟରେ ଏମ୍. ଏ ପାସ୍ କରିଥଲେ l ତତ୍ ପରେ ବି. ଏଲ ପାସ୍ କରି କଲିକତା ନ୍ୟାୟାଳୟରେ ଓକିଲାତି କରିଥିଲେ l ଏହି ସମୟରେ ସେ ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ଓ ବିକାଶ ନିମନ୍ତେ ତତ୍ପର ହୋଇ ପଡ଼ିଲେ l ୧୮୮୦ ମସିହାରେ ସେ ଓଡ଼ିଶାକୁ ଫେରି କଟକରେ ଓକିଲାତି କରିଥିଲେ l ତାଙ୍କର ବିଚକ୍ଷଣ କୌଶଳନୀତି ଓ ପ୍ରଖର ବୁଦ୍ଧି ନିମନ୍ତେ ସେ ସର୍ବତ୍ର ପ୍ରଖ୍ୟାତ ହୋଇ ଯାଇଥିଲେ l ତେଣୁ ସେ ବାରିଷ୍ଟରୀ ନ ପଢି ମଧ୍ଯ ଲୋକମାନଙ୍କ ଠାରୁ ପରମ ସମ୍ମାନ ପାଉଥିଲେ ଓ *ମଧୁ ବାରିଷ୍ଟର* ରୂପେ ଜଣାଶୁଣା ଥିଲେ l ଓକିଲାତି ସମୟରେ ସେ ବହୁ ନୀରିହ, ଅସହାୟ ଗରିବଙ୍କ ପାଇଁ ବିନା ଫିସ୍ ରେ କେସ୍ ଲଢି ସେମାନଙ୍କୁ ଅତ୍ୟାଚାରୀ ଧନୀକ ଶ୍ରେଣୀର ଲୋକଙ୍କ ଠାରୁ ରକ୍ଷା କରୁଥିଲେ l ଇଂରେଜ ସରକାର ଓଡ଼ିଶାର ଶ୍ରୀମନ୍ଦିରର ପରିଚାଳନା ଭାର ପୁରୀ ରାଜାଙ୍କ ଠାରୁ କାଢି ନେବାର ଆଇନ୍ କରିବାରୁ ମଧୁବାବୁ ଏହି ଆଇନ୍ ରଦ୍ଧ କଲା ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଉତ୍କଳର ସମ୍ମାନ ରକ୍ଷା କରିଥିଲେ l ୧୮୮୩ ମସିହାରେ ସେ କଟକ ରେଭେନ୍ସା କଲେଜରେ ‘ ଲ ‘ କ୍ଲାସ୍ ରେ ଆଇନ୍ ଅଧ୍ୟାପକ ହେବାରେ ସୌଭାଗ୍ୟ ଅର୍ଜନ କରିଥିଲେ l ଏବଂ ତତ୍ ସହିତ କିଛି କାଳ ପାଇଁ ସେ କଟକ ଜିଲ୍ଲା ବୋର୍ଡର ଚେୟରମେନ ଓ କଲିକତା ବିଶ୍ଵ ବିଦ୍ୟାଳୟର ସଭ୍ୟ ରୂପେ ଗୃହୀତ ହେଇଥିଲେ l ୧୮୯୬ ମସିହାରେ ବେଙ୍ଗଲ ଲେଜିସ୍ ଲେଟିଭ୍ କାଉନସିଲ୍ କୁ ସଭ୍ୟ ରୂପେ ନିର୍ବାଚିତ ହୋଇ ଥିଲେ ଏଵଂ ପରବର୍ତ୍ତୀ ନିର୍ବାଚନ ଗୁଡିକରେ ଜୟଯୁକ୍ତ ହୋଇ ଏକାଦି କ୍ରମେ ପନ୍ଦର ବର୍ଷ ପର୍ଯ୍ୟନ୍ତ ସଭ୍ୟ ହେଇଥିଲେ l ମଧୁବାବୁଙ୍କର ଜନ ହିତକର କାର୍ଯ୍ୟାନୁଷ୍ଠାନରେ ପ୍ରୀତ ହୋଇ ସରକାର ତାଙ୍କୁ ୧୯୦୪ ମସିହାରେ C.I.E ଉପାଧିରେ ଭୂଷିତ କରିଥିଲେ l ୧୯୧୨ ମସିହାରେ ବିହାର- ଓଡ଼ିଶା ପ୍ରଦେଶ ଗଠିତ ହେଲାପରେ ମଧୁବାବୁ ଏହାର ଲେଜିସ୍ ଲେଟିଭ୍ କାଉନସିଲ୍ କୁ ନିର୍ବାଚିତ ହୋଇଥିଲେ l ୧୯୧୪ ମସିହାରେ ମଧୁବାବୁ ଦିଲ୍ଲୀ ସ୍ଥିତ ଇମ୍ଫେରିଆଲ୍ ଲେଜିସ୍ ଲେଟିଭ୍ କାଉନସିଲ୍ ସଭ୍ୟ ରୂପେ ମନୋନୀତ ହୋଇଥିଲେ l ୧୯୧୯ ମସିହାର ଭାରତ ଶାସନ ଆଇନାନୁସାରେ ନୂତନ ନିର୍ବାଚନରେ ନିର୍ବାଚିତ ହୋଇ ସେ ବିହାର- ଓଡ଼ିଶା ଲେଜିସ୍ଲେଟିଭ୍ କାଉନସିଲ୍ ର ସଭ୍ୟ ରୂପେ ମନୋନୀତ ହୋଇଥିଲେ l ୧୯୨୧ ମସିହାରେ ସରକାର ତାଙ୍କୁ ବିହାର- ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ l ମଧୁବାବୁ ଦୀର୍ଘ ଦୁଇବର୍ଷ କାଳ ମନ୍ତ୍ରୀପଦବୀ ରେ ରହି ଜନ ସାଧାରଣଙ୍କ ମହୋପକାରରେ ବ୍ରତୀ ରହିଲେ l

ଆଗରୁ ଓଡିଶା ପ୍ରଦେଶ ଚ୍ଛିନ୍ନ ବିଛିନ୍ନ ଅବସ୍ଥାରେ ଥିଲା l ଓଡିଶାର କେତେକାଂଶ ମାନ୍ଦ୍ରାଜ୍, ମଧ୍ଯ ପ୍ରଦେଶ ଓ ବେଙ୍ଗଲ ପ୍ରେସିଡେନ୍ସିରେ ସଂଯୁକ୍ତ ହୋଇ ରହିଥିଲା l ସେତେବେଳେ ଓଡିଶା କହିଲେ କଟକ, ପୁରୀ, ବାଲେଶ୍ଵର ଓ ଅନୁଗୁଳକୁ ବୁଝାଉଥିଲା ଏବଂ ଏହାକୁ ଓଡିଶା ଡିଭିଜନ ବୋଲି କୁହାଯାଉଥିଲା l ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରକରି ଏକ ଶାସନାଧୀନ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମିତ୍ତ ମଧୁବାବୁ ୧୯୦୩ ଖ୍ରୀଷ୍ଟାବ୍ଦରେ ଉତ୍କଳ ସମ୍ମିଳନୀ ଗଠନ କରୁଥିଲେ l ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଯୋଗଦାନ କରି ପ୍ରତି ଓଡ଼ିଆଙ୍କ ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରୀତିର ଜୁଆର ଖେଳାଇ ପାରିଥିଲେ l ସେହି ମହା ମାନବଙ୍କ ଓଜସ୍ଵିନୀ ଅଭିଭାଷଣ ଓ ହୃଦୟସ୍ପର୍ଶୀ ଦେଶଭକ୍ତି କବିତା ପ୍ରତି ଓଡିଆଙ୍କ ପ୍ରାଣରେ ନବ ଜାଗରଣ ନିମନ୍ତେ ଅଜସ୍ର ପ୍ରେରଣା ଯୋଗାଇ ଥିଲା l ଏବଂ ସେ ସମସ୍ତ କବିତା ବର୍ତ୍ତମାନ ଓଡିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ l 

ମହାତ୍ମା ଗାନ୍ଧୀ ୧୯୨୧ ଖଦଡ଼ବସ୍ତ୍ର ପରିଧାନ ନିମନ୍ତେ ଉପଦେଶ ଦେଇଥିଲେ l କିନ୍ତୁ ମଧୁବାବୁ ତାହର ବହୁ ଆଗରୁ ଓଡିଶାବାସୀଙ୍କୁ ହତକଟା ସୂତାରେ ଲୁଗା ବୁଣି ପିନ୍ଧିବା ନିମନ୍ତେ ଉପଦେଶ ଦେଇଥିଲେ l ଏହି ଲୁଗାକୁ ମଧୁବାବୁ ଲୁଗା ମଧ୍ଯ କୁହାଯାଏ l

ମଧୁବାବୁ ତତ୍କାଳୀନ ଜାତୀୟ କଂଗ୍ରେସର ଜଣେ ଉଚ୍ଚକୋଟୀର ନେତା ଥିଲେ ଏବଂ କଂଗ୍ରେସରେ ବହୁ ଉପାଦେୟ ପ୍ରସ୍ତାବରେ ମଧୁବାବୁଙ୍କ ହାତ ରହିଥିଲା l କଂଗ୍ରେସ ମଧ୍ୟରେ ରହି ସ୍ଵତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ମଧୁବାବୁ ଉଦ୍ୟମ କରିଥିଲେ l କିନ୍ତୁ ଓଡ଼ିଶା ପ୍ରତି ଅନ୍ୟମାନଙ୍କ ସାହାଯ୍ୟ ଓ ସହାନଭୂତିର ଅଭାବ ପରିଲକ୍ଷିତ କରି ସେ ଚିର କାଳ ପାଇଁ ଜାତୀୟ କଂଗ୍ରେସକୁ ପରିତ୍ୟାଗ କରି ଓଡ଼ିଶାରେ ଉତ୍କଳ ସମ୍ମିଳନୀ ଗଠନ କଲେ lଓଡିଶାର ଅର୍ଥ ନୈତିକ ଉନ୍ନତି ନିମନ୍ତେ ଉତ୍କଳ ଟ୍ୟାନେରୀ ଓ ଓଡ଼ିଶା ତାରକସି ନାମକ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ l କିନ୍ତୁ ପରିଚାଳନା ଗତ ତ୍ରୁଟି ପାଇଁ ତାଙ୍କୁ ବହୁ କ୍ଷତି ସହ୍ୟ କରିବାକୁ ପଡ଼ିଥିଲା l ମଧୁବାବୁ ତାଙ୍କ ଜୀବନ କାଳରେ ବହୁ ଅର୍ଥ ଉପାର୍ଜନ କରିଥିଲେ l କିନ୍ତୁ ସେହି ସବୁ ଅର୍ଥକୁ ସେ ଓଡ଼ିଆ ଜାତିର ଉନ୍ନତି ନିମନ୍ତେ ବ୍ୟୟ କରି ଅନ୍ତିମ ସମୟରେ ଦରିଦ୍ର ହେଇଥିଲେ ମଧ୍ୟ କାହା ଉପରେ ବୋଝ ହୋଇ ନଥିଲେ l

 ଓଡିଶାର ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ନିରନ୍ତର ନିରବଚ୍ଛିନ୍ନ ପ୍ରୟାସର ଫଳ ସ୍ୱରୂପ ୧୯୩୬ ମସିହା ଏପ୍ରିଲ ଏକ ତାରିଖରେ ଉତ୍କଳ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥଲା l କିନ୍ତୁ ସେତେବେଳକୁ ମଧୁବାବୁ ଇହଧାମ ସମ୍ବରଣ କରିସାରିଥିଲେ l କିନ୍ତୁ ମୂତ୍ୟୁ ପୂର୍ବରୁ ସେ ଜାଣି ପାରିଥିଲ ଯେ, ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହେବାକୁ ଯାଉଛି l ଏହା ତାଙ୍କ ପାଇଁ କମ୍ ଆନନ୍ଦର କଥା ନଥିଲା l

ଉତ୍କଳ ଜନନୀର ସେହି ସ୍ଵାଭିମାନୀ, ଦୁଃସାହସୀ , ନିର୍ଭୀକ , ସଚ୍ଚା ଦେଶଭକ୍ତ ସୁପୁତ୍ରଙ୍କ ପାଇଁ ଉତ୍କଳ ଜନନୀ ନିଜ ପରିଚୟ ପାଇ ସଗର୍ବରେ ମଥା ଟେକି ଦଣ୍ଡାୟମାନ ହୋଇ ପାରିଛି l ଏଥିପାଇଁ ସମଗ୍ର ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାମାନବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଦ୍ଧ ପୂତ ଚରଣ କମଳରେ ସଭକ୍ତିରେ ମଥା ନତ କୋଟି କୋଟି ପ୍ରଣାମ l

 

       ବନ୍ଦେ ଉତ୍କଳ ଜନନୀ

 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଫୁଲବାଣୀ, କନ୍ଧମାଳ

Related posts

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

Sunil Chandra Nayak

ନର୍ଲା ବ୍ଲକରେ ବଡ଼ ଖବର ସମ୍ପାଦକଙ୍କ ଗିରଫକୁ ବିଭିନ୍ନ ସଙ୍ଗଠନରେ ନିନ୍ଦା

ଡାକ୍ତର ଙ୍କ ଦବଙ୍ଗ ଗିରୀ…

Sunil Chandra Nayak

Leave a Comment

error: Content is protected !!