ଉତ୍କଳ ଗୌରବ ମଧୁସୂଦନ ଦାସ
ପ୍ରଥମ ଓଡ଼ିଆ ଗ୍ରଜୁଏଟ୍, ପ୍ରଥମ ଓଡ଼ିଆ ଏମ୍ ଏ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ ଏଲ ବି, ପ୍ରଥମ ବିହାର – ବିଧାନ ସଭା ସଦସ୍ୟ , ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲାପରିଷଦ ବେସରକାରୀ ସଦସ୍ୟ, ଓଡ଼ିଆର ପ୍ରଥମ ବାରିଷ୍ଟର, ଓଡିଆ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , କବି ଓ ଲେଖକ,ଉତ୍କଳ ଭାରତୀଙ୍କ ସୁଯୋଗ୍ୟ ସନ୍ତାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କୃତିତ୍ୱ ଚିର ଅମର, ଅମ୍ଳାନ l
ଚିର ସ୍ମରଣୀୟ , ଚିର ବନ୍ଦନୀୟ ସେହି ମହାନ୍ ବ୍ୟକ୍ତିତ୍ଵଧାରୀ ମହାପୁରୁଷଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମା ପୁର ନାମକ ଏକ କ୍ଷୁଦ୍ର ଗ୍ରାମରେ ହୋଇଥଲା l ତାଙ୍କ ପିତାଙ୍କ ନାମ ଶ୍ରୀ ରଘୁନାଥ ରାୟ ଓ ମାତାଙ୍କ ନାମ ଶ୍ରୀମତୀ ପାର୍ବତୀ ଦେବୀ l ଶୈଶବ ରେ ତାଙ୍କ ପିତୃଦତ୍ତ ନାମ ଗୋବିନ୍ଦ ବଲ୍ଲଭ ଓ ତାଙ୍କ କନିଷ୍ଠ ଭ୍ରାତାଙ୍କ ନାମ ଗୋପାଳ ବଲ୍ଲଭ l କିନ୍ତୁ ଘଟଣା କ୍ରମେ ପରବର୍ତ୍ତୀ କାଳରେ ସେ ଗୋବିନ୍ଦ ବଲ୍ଲଭ ନାମକୁ ପରିବର୍ତ୍ତନ କରି *ମଧୁସୂଦନ* ନାମ ଗ୍ରହଣ କରିଥଲେ l ଏହି ନାମ ଗ୍ରହଣ କରିବାର ମଧ୍ଯ କାରଣ ଅଛି l
ମଧୁସୂଦନଙ୍କ ବାଲ୍ୟଶିକ୍ଷା ନିଜ ଗ୍ରାମର ଚାଟଶାଳୀରେ ଆରମ୍ଭ ହୋଇଥିଲା l ତେର ପର୍ବ ବୟସରେ ସେ କଟକ ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ l ଯାହା ପରବର୍ତ୍ତୀ କାଳରେ ରେଭେନ୍ସା କଲିଜୁଏଟ୍ ସ୍କୁଲ ନାମରେ ନାମିତ ହୋଇଥଲା l ୧୮୬୪ ମସିହାରେ ସେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ବ ଲାଭ କରିଥିଲେ l ସେତେବେଳେ ଉଚ୍ଚ ଶିକ୍ଷା ନିମନ୍ତେ ଓଡିଶାରେ କୌଣସି ମହାବିଦ୍ୟାଳୟ ନ ଥିଲା l ତେଣୁ ଉଚ୍ଚ ନିମନ୍ତେ ତତ୍କାଳୀନ ଛାତ୍ରମାନେ କଲିକତା ଯାଇ ଉଚ୍ଚ ଶିକ୍ଷା ଲାଭ କରୁଥିଲେ l ଏଣ୍ଟ୍ରାନ୍ସ ଉତ୍ତୀର୍ଣ୍ଣ ହେବା ପରେ ମଧୁସୂଦନ ଅର୍ଥାଭାବ କାରଣରୁ ଉଚ୍ଚ ଶିକ୍ଷା ନିମନ୍ତେ କଲିକତା ନ ଯାଇ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଶିକ୍ଷକତା ଗ୍ରହଣ କରି ପଥଖର୍ଚ୍ଚ ପାଇଁ କିଛି ଅର୍ଥ ସଂଗ୍ରହ କରିଥିଲେ l କଲିକତାରେ ଅବସ୍ଥାନ କରି ଶିକ୍ଷାଲାଭ ନିମନ୍ତେ ଅର୍ଥ ସଙ୍କଟ ବିରାଟ ପ୍ରତିବନ୍ଧକ ସାଜିଲା l ସେହି ସମୟରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ ମାନେ ସେମାନଙ୍କ ସଂଘ ପାଣ୍ଠିରୁ ଖ୍ରୀଷ୍ଟିଆନ୍ ଛାତ୍ର ମାନଙ୍କୁ ଅର୍ଥ ସାହାଯ୍ୟ କରୁଥିଲେ l ଅର୍ଥାଭାବ ଦୂର କରି ଉଚ୍ଚ ଶିକ୍ଷା ଲାଭ କରିବା ନିମନ୍ତେ ସେ ଆମ୍ବିକା ପ୍ରସାଦ ହଜରା ନାମକ ଏକ ପାଦ୍ରୀଙ୍କ ସହାୟତାରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ l ଆଉ ଏଥିପାଇଁ ହିଁ ତାଙ୍କୁ ଗୋବିନ୍ଦ ବଲ୍ଲଭ ନାମକୁ ବଦଳାଇ ମଧୁସୁଦନ ହେବାକୁ ପଡ଼ିଥିଲା l ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ ପରେ ତାଙ୍କର ଅର୍ଥାଭାବ ଦୂର ହୋଇ ଥିଲା l
୧୮୭୦ ମସିହାରେ ସେ ବି.ଏ. ପରୀକ୍ଷାରେ ଉତ୍ତୀ୍ଣ୍ଣ ହୋଇ କଲିକତାର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଲେ l ଏଥି ସହିତ କିଛି ଦିନ ପାଇଁ ସେ କଲିକତା ଉଚ୍ଚ ନ୍ୟାୟାଳୟରେ ଓଡିଆ ଅନୁବାଦକ ରୂପେ କାର୍ଯ୍ୟ କରିଥିଲେ l ଏ ସମସ୍ତ ଦାୟିତ୍ବ ତୁଲାଇବା ସତ୍ତ୍ୱେ ତାଙ୍କ ଶିକ୍ଷାଲାଭ ଚାଲୁ ରଖିଥିଲେ l ସେ ୧୮୭୩ ମସିହାରେ ଇଂରାଜୀ ସାହିତ୍ୟରେ ଏମ୍. ଏ ପାସ୍ କରିଥଲେ l ତତ୍ ପରେ ବି. ଏଲ ପାସ୍ କରି କଲିକତା ନ୍ୟାୟାଳୟରେ ଓକିଲାତି କରିଥିଲେ l ଏହି ସମୟରେ ସେ ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ଓ ବିକାଶ ନିମନ୍ତେ ତତ୍ପର ହୋଇ ପଡ଼ିଲେ l ୧୮୮୦ ମସିହାରେ ସେ ଓଡ଼ିଶାକୁ ଫେରି କଟକରେ ଓକିଲାତି କରିଥିଲେ l ତାଙ୍କର ବିଚକ୍ଷଣ କୌଶଳନୀତି ଓ ପ୍ରଖର ବୁଦ୍ଧି ନିମନ୍ତେ ସେ ସର୍ବତ୍ର ପ୍ରଖ୍ୟାତ ହୋଇ ଯାଇଥିଲେ l ତେଣୁ ସେ ବାରିଷ୍ଟରୀ ନ ପଢି ମଧ୍ଯ ଲୋକମାନଙ୍କ ଠାରୁ ପରମ ସମ୍ମାନ ପାଉଥିଲେ ଓ *ମଧୁ ବାରିଷ୍ଟର* ରୂପେ ଜଣାଶୁଣା ଥିଲେ l ଓକିଲାତି ସମୟରେ ସେ ବହୁ ନୀରିହ, ଅସହାୟ ଗରିବଙ୍କ ପାଇଁ ବିନା ଫିସ୍ ରେ କେସ୍ ଲଢି ସେମାନଙ୍କୁ ଅତ୍ୟାଚାରୀ ଧନୀକ ଶ୍ରେଣୀର ଲୋକଙ୍କ ଠାରୁ ରକ୍ଷା କରୁଥିଲେ l ଇଂରେଜ ସରକାର ଓଡ଼ିଶାର ଶ୍ରୀମନ୍ଦିରର ପରିଚାଳନା ଭାର ପୁରୀ ରାଜାଙ୍କ ଠାରୁ କାଢି ନେବାର ଆଇନ୍ କରିବାରୁ ମଧୁବାବୁ ଏହି ଆଇନ୍ ରଦ୍ଧ କଲା ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଉତ୍କଳର ସମ୍ମାନ ରକ୍ଷା କରିଥିଲେ l ୧୮୮୩ ମସିହାରେ ସେ କଟକ ରେଭେନ୍ସା କଲେଜରେ ‘ ଲ ‘ କ୍ଲାସ୍ ରେ ଆଇନ୍ ଅଧ୍ୟାପକ ହେବାରେ ସୌଭାଗ୍ୟ ଅର୍ଜନ କରିଥିଲେ l ଏବଂ ତତ୍ ସହିତ କିଛି କାଳ ପାଇଁ ସେ କଟକ ଜିଲ୍ଲା ବୋର୍ଡର ଚେୟରମେନ ଓ କଲିକତା ବିଶ୍ଵ ବିଦ୍ୟାଳୟର ସଭ୍ୟ ରୂପେ ଗୃହୀତ ହେଇଥିଲେ l ୧୮୯୬ ମସିହାରେ ବେଙ୍ଗଲ ଲେଜିସ୍ ଲେଟିଭ୍ କାଉନସିଲ୍ କୁ ସଭ୍ୟ ରୂପେ ନିର୍ବାଚିତ ହୋଇ ଥିଲେ ଏଵଂ ପରବର୍ତ୍ତୀ ନିର୍ବାଚନ ଗୁଡିକରେ ଜୟଯୁକ୍ତ ହୋଇ ଏକାଦି କ୍ରମେ ପନ୍ଦର ବର୍ଷ ପର୍ଯ୍ୟନ୍ତ ସଭ୍ୟ ହେଇଥିଲେ l ମଧୁବାବୁଙ୍କର ଜନ ହିତକର କାର୍ଯ୍ୟାନୁଷ୍ଠାନରେ ପ୍ରୀତ ହୋଇ ସରକାର ତାଙ୍କୁ ୧୯୦୪ ମସିହାରେ C.I.E ଉପାଧିରେ ଭୂଷିତ କରିଥିଲେ l ୧୯୧୨ ମସିହାରେ ବିହାର- ଓଡ଼ିଶା ପ୍ରଦେଶ ଗଠିତ ହେଲାପରେ ମଧୁବାବୁ ଏହାର ଲେଜିସ୍ ଲେଟିଭ୍ କାଉନସିଲ୍ କୁ ନିର୍ବାଚିତ ହୋଇଥିଲେ l ୧୯୧୪ ମସିହାରେ ମଧୁବାବୁ ଦିଲ୍ଲୀ ସ୍ଥିତ ଇମ୍ଫେରିଆଲ୍ ଲେଜିସ୍ ଲେଟିଭ୍ କାଉନସିଲ୍ ସଭ୍ୟ ରୂପେ ମନୋନୀତ ହୋଇଥିଲେ l ୧୯୧୯ ମସିହାର ଭାରତ ଶାସନ ଆଇନାନୁସାରେ ନୂତନ ନିର୍ବାଚନରେ ନିର୍ବାଚିତ ହୋଇ ସେ ବିହାର- ଓଡ଼ିଶା ଲେଜିସ୍ଲେଟିଭ୍ କାଉନସିଲ୍ ର ସଭ୍ୟ ରୂପେ ମନୋନୀତ ହୋଇଥିଲେ l ୧୯୨୧ ମସିହାରେ ସରକାର ତାଙ୍କୁ ବିହାର- ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ l ମଧୁବାବୁ ଦୀର୍ଘ ଦୁଇବର୍ଷ କାଳ ମନ୍ତ୍ରୀପଦବୀ ରେ ରହି ଜନ ସାଧାରଣଙ୍କ ମହୋପକାରରେ ବ୍ରତୀ ରହିଲେ l
ଆଗରୁ ଓଡିଶା ପ୍ରଦେଶ ଚ୍ଛିନ୍ନ ବିଛିନ୍ନ ଅବସ୍ଥାରେ ଥିଲା l ଓଡିଶାର କେତେକାଂଶ ମାନ୍ଦ୍ରାଜ୍, ମଧ୍ଯ ପ୍ରଦେଶ ଓ ବେଙ୍ଗଲ ପ୍ରେସିଡେନ୍ସିରେ ସଂଯୁକ୍ତ ହୋଇ ରହିଥିଲା l ସେତେବେଳେ ଓଡିଶା କହିଲେ କଟକ, ପୁରୀ, ବାଲେଶ୍ଵର ଓ ଅନୁଗୁଳକୁ ବୁଝାଉଥିଲା ଏବଂ ଏହାକୁ ଓଡିଶା ଡିଭିଜନ ବୋଲି କୁହାଯାଉଥିଲା l ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରକରି ଏକ ଶାସନାଧୀନ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମିତ୍ତ ମଧୁବାବୁ ୧୯୦୩ ଖ୍ରୀଷ୍ଟାବ୍ଦରେ ଉତ୍କଳ ସମ୍ମିଳନୀ ଗଠନ କରୁଥିଲେ l ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଯୋଗଦାନ କରି ପ୍ରତି ଓଡ଼ିଆଙ୍କ ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରୀତିର ଜୁଆର ଖେଳାଇ ପାରିଥିଲେ l ସେହି ମହା ମାନବଙ୍କ ଓଜସ୍ଵିନୀ ଅଭିଭାଷଣ ଓ ହୃଦୟସ୍ପର୍ଶୀ ଦେଶଭକ୍ତି କବିତା ପ୍ରତି ଓଡିଆଙ୍କ ପ୍ରାଣରେ ନବ ଜାଗରଣ ନିମନ୍ତେ ଅଜସ୍ର ପ୍ରେରଣା ଯୋଗାଇ ଥିଲା l ଏବଂ ସେ ସମସ୍ତ କବିତା ବର୍ତ୍ତମାନ ଓଡିଆ ସାହିତ୍ୟର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ l
ମହାତ୍ମା ଗାନ୍ଧୀ ୧୯୨୧ ଖଦଡ଼ବସ୍ତ୍ର ପରିଧାନ ନିମନ୍ତେ ଉପଦେଶ ଦେଇଥିଲେ l କିନ୍ତୁ ମଧୁବାବୁ ତାହର ବହୁ ଆଗରୁ ଓଡିଶାବାସୀଙ୍କୁ ହତକଟା ସୂତାରେ ଲୁଗା ବୁଣି ପିନ୍ଧିବା ନିମନ୍ତେ ଉପଦେଶ ଦେଇଥିଲେ l ଏହି ଲୁଗାକୁ ମଧୁବାବୁ ଲୁଗା ମଧ୍ଯ କୁହାଯାଏ l
ମଧୁବାବୁ ତତ୍କାଳୀନ ଜାତୀୟ କଂଗ୍ରେସର ଜଣେ ଉଚ୍ଚକୋଟୀର ନେତା ଥିଲେ ଏବଂ କଂଗ୍ରେସରେ ବହୁ ଉପାଦେୟ ପ୍ରସ୍ତାବରେ ମଧୁବାବୁଙ୍କ ହାତ ରହିଥିଲା l କଂଗ୍ରେସ ମଧ୍ୟରେ ରହି ସ୍ଵତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ମଧୁବାବୁ ଉଦ୍ୟମ କରିଥିଲେ l କିନ୍ତୁ ଓଡ଼ିଶା ପ୍ରତି ଅନ୍ୟମାନଙ୍କ ସାହାଯ୍ୟ ଓ ସହାନଭୂତିର ଅଭାବ ପରିଲକ୍ଷିତ କରି ସେ ଚିର କାଳ ପାଇଁ ଜାତୀୟ କଂଗ୍ରେସକୁ ପରିତ୍ୟାଗ କରି ଓଡ଼ିଶାରେ ଉତ୍କଳ ସମ୍ମିଳନୀ ଗଠନ କଲେ lଓଡିଶାର ଅର୍ଥ ନୈତିକ ଉନ୍ନତି ନିମନ୍ତେ ଉତ୍କଳ ଟ୍ୟାନେରୀ ଓ ଓଡ଼ିଶା ତାରକସି ନାମକ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ l କିନ୍ତୁ ପରିଚାଳନା ଗତ ତ୍ରୁଟି ପାଇଁ ତାଙ୍କୁ ବହୁ କ୍ଷତି ସହ୍ୟ କରିବାକୁ ପଡ଼ିଥିଲା l ମଧୁବାବୁ ତାଙ୍କ ଜୀବନ କାଳରେ ବହୁ ଅର୍ଥ ଉପାର୍ଜନ କରିଥିଲେ l କିନ୍ତୁ ସେହି ସବୁ ଅର୍ଥକୁ ସେ ଓଡ଼ିଆ ଜାତିର ଉନ୍ନତି ନିମନ୍ତେ ବ୍ୟୟ କରି ଅନ୍ତିମ ସମୟରେ ଦରିଦ୍ର ହେଇଥିଲେ ମଧ୍ୟ କାହା ଉପରେ ବୋଝ ହୋଇ ନଥିଲେ l
ଓଡିଶାର ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ନିରନ୍ତର ନିରବଚ୍ଛିନ୍ନ ପ୍ରୟାସର ଫଳ ସ୍ୱରୂପ ୧୯୩୬ ମସିହା ଏପ୍ରିଲ ଏକ ତାରିଖରେ ଉତ୍କଳ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥଲା l କିନ୍ତୁ ସେତେବେଳକୁ ମଧୁବାବୁ ଇହଧାମ ସମ୍ବରଣ କରିସାରିଥିଲେ l କିନ୍ତୁ ମୂତ୍ୟୁ ପୂର୍ବରୁ ସେ ଜାଣି ପାରିଥିଲ ଯେ, ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହେବାକୁ ଯାଉଛି l ଏହା ତାଙ୍କ ପାଇଁ କମ୍ ଆନନ୍ଦର କଥା ନଥିଲା l
ଉତ୍କଳ ଜନନୀର ସେହି ସ୍ଵାଭିମାନୀ, ଦୁଃସାହସୀ , ନିର୍ଭୀକ , ସଚ୍ଚା ଦେଶଭକ୍ତ ସୁପୁତ୍ରଙ୍କ ପାଇଁ ଉତ୍କଳ ଜନନୀ ନିଜ ପରିଚୟ ପାଇ ସଗର୍ବରେ ମଥା ଟେକି ଦଣ୍ଡାୟମାନ ହୋଇ ପାରିଛି l ଏଥିପାଇଁ ସମଗ୍ର ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାମାନବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଦ୍ଧ ପୂତ ଚରଣ କମଳରେ ସଭକ୍ତିରେ ମଥା ନତ କୋଟି କୋଟି ପ୍ରଣାମ l
ବନ୍ଦେ ଉତ୍କଳ ଜନନୀ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଫୁଲବାଣୀ, କନ୍ଧମାଳ