ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୪ ବର୍ଷ ପାଇଁ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ କଥାକାର ଡ. ନୃପରାଜ ସାହୁ

ଘୋଷଣା ହେଲା ସମ୍ମାନଜନକ ‘ମହୁରି’ ସମ୍ମାନ 

୨୦୨୪ ବର୍ଷ ପାଇଁ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ କଥାକାର ଡ. ନୃପରାଜ ସାହୁ

ଭବାନୀପାଟଣା (୨୦ /୧୨) ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଦୁଇ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ଡ.ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ ଏହି ସମ୍ମାନ ପାଇବେ କଥାକାର ଡ. ନୃପରାଜ ସାହୁ । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବାବେଳେ ଡ.ପ୍ରୀତିଧାରା ସାମଲ ଓ ଡ. ନୃପରାଜ ସାହୁଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି। ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ମହୁରି ମହୋତ୍ସବରେ ଉଭୟଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ସୂଚନା ଦେଇଛନ୍ତି। ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ. ସୁରେଶ ନାୟକ, କବି ଲକ୍ଷ୍ମୀନାରାୟଣ ହୋତା, କବି ଗାୟତ୍ରୀବାଳା ପଣ୍ଡା ଓ କବି ରଂଜନ କୁମାର ଦାସ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ୧୯୭୩ ମସିହାରେ ଜନ୍ମିତ କବି ଡ. ପ୍ରୀତିଧାରା ସାମଲ ଛାତ୍ରୀ ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି। କବିତା, ପ୍ରବନ୍ଧ, ଅନୁବାଦ ସହିତ ସାଂପ୍ରତିକ ପ୍ରସଙ୍ଗଭିତ୍ତିକ ଫିଚର ରଚନାରେ ସେ ସିଦ୍ଧହସ୍ତ ଅଟନ୍ତି। ସଂପ୍ରତି ସେ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସରକାରୀ ଡି.ଏ.ଭି. ମହାବିଦ୍ୟାଳୟ କୋରାପୁଟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ। ଏଯାବତ୍ ତାଙ୍କର ୫ଟି କବିତା ସଂକଳନ, ୧ଟି ଅନୁଦିତ ଶିଶୁ ଗଳ୍ପ ସଂକଳନ, ପ୍ରବନ୍ଧ ପୁସ୍ତକ: ରମାକାନ୍ତ ରଥଙ୍କ କବିତାର ଭାଷା ଓ ରଚନା ଶୈଳୀ ପ୍ରକାଶିତ ହୋଇଛି। ଓଡ଼ିଆ କାବ୍ୟ ସାହିତ୍ୟର ମୁଖ୍ୟସ୍ରୋତରେ ଜଣେ ସ୍ରୋତସ୍ଵିନୀ କବି ଭାବରେ ଡ. ସାମଲ ବେଶ୍ ଚର୍ଚ୍ଚିତ। କବିତାରେ ବିମ୍ବ ପ୍ରୟୋଗର ଅସାମାନ୍ୟ ଦକ୍ଷତା ଅନ୍ୟ ମାନଙ୍କୁ ଅଲଗା କରି ଠିଆ କରାଏ । କେତେବେଳେ ପ୍ରେମ ତ କେତେବେଳେ ପ୍ରତିବାଦ ତଥା ବିଦ୍ରୋହ ତାଙ୍କ କବିତାରେ ତୀକ୍ଷ୍ଣ ଭାବେ ପ୍ରତିଭାତ ହୁଏ । ନାରୀ ମନର ସୂକ୍ଷ୍ମ ଅନୁଶୀଳନ ଓ ଅନୁଭବ କବିତାରେ ସୁନ୍ଦର ଭାବରେ ଉପସ୍ଥାପନା କରିବା ନିମନ୍ତେ ୨୦୨୪ ବର୍ଷ ପାଇଁ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯିବ।

ସେହିପରି ୧୯୬୬ ମସିହାରେ ଜନ୍ମିତ କଥାକାର ଡ. ନୃପରାଜ ସାହୁ ଜଣେ ନୀରବ ସାହିତ୍ୟ ସାଧକ ଭାବରେ ଗୁଣଗ୍ରାହୀ ପାଠକଙ୍କ ନିକଟରେ ପରିଚିତ। ଗଳ୍ପ, କବିତା, ପ୍ରବନ୍ଧ, ଅନୁବାଦ ସାହିତ୍ୟରେ ସେ ବେଶ୍ ପରିଚିତ। ସଂପ୍ରତି ସେ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ। ଏଯାବତ୍ ତାଙ୍କର ୨ଟି ଗଳ୍ପ ପୁସ୍ତକ, ଖଣ୍ଡିଏ କବିତା ସଂକଳନ ଓ ଗୋଟିଏ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି। ଓଡ଼ିଆ କଥା ସାହିତ୍ୟରେ ଡ. ସାହୁ ବେଶ୍ ଚର୍ଚ୍ଚିତ। ତାଙ୍କ ଗଳ୍ପରେ ମଣିଷକୁ ସେ ନିଆରା ତଥା ଦରଦୀ ଭାବରେ ଉପସ୍ଥାପନ କରୁଥିବା ବେଳେ ପ୍ରକୃତି ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ଚିତ୍ରିତ ହୋଇ ପ୍ରକଟିତ ହୁଏ। ତାଙ୍କ ଗଳ୍ପରେ ଉପଯୁକ୍ତ ଚରିତ୍ର ଚିତ୍ରଣ ତଥା ଅସହାୟଙ୍କୁ ଯଥାଯଥ ନ୍ୟାୟ ପ୍ରଦାନ ନିମନ୍ତେ ୨୦୨୫ ବର୍ଷ ପାଇଁ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Related posts

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟ

masiha

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

Sunil Chandra Nayak

Leave a Comment

error: Content is protected !!