ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଗୀତିକବି ସମାଜ ର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ

ରାଉରକେଲା/ ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ଉତ୍କଳ ଗୀତିକବି ସମାଜ ର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ ଜଗଦା ସ୍ଥିତ ବାଟମଙ୍ଗଳା ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଭୋଳେଶ୍ବର ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏଚ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶକ ଡାକ୍ତର ବି.କେ.ହୋତା ମୁଖ୍ୟ ଅତିଥି, ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ ସମ୍ମାନିତ ଅତିଥି,ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା ମୁଖ୍ୟବକ୍ତା ଓ ଡଃ ସୁବାସ ଚନ୍ଦ୍ର ଲେଙ୍କା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ମହାକବି ଜୟଦେବଙ୍କ କୃତି ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ସଭାପତି ଶ୍ରୀ ସାହୁ ସଭାପତିତ୍ବ ଅଭିଭାଷଣ ପରେ ମୁଖ୍ୟ ଅତିଥି ଡା ହୋତା ଗୀତିକବିତା ଓ ଆଧୁନିକ କବିତା ମଧ୍ୟରେ ଥିବା ପାର୍ଥକ୍ୟ କୁ ତର୍ଜମା କରିବା ସହ ପଢାପଢି ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଡା ବିଶ୍ବାଳ ଅତିମାନବ, ବିବର୍ତ୍ତନବାଦ ସଂପର୍କରେ ଆଲୋଚନା କରିଥିଲେ। ସେ କହିଲେ ଯେ କବିତା ଛନ୍ଦବୋଧ ହେଲେ ଗୀତିକବିତା ହୁଏ। ଶବ୍ଦ ସହ ଅର୍ଥ ନମିଶିଲେ ତାହା ଗ୍ରହଣୀୟ ହୋଇ ପାରେନା। ତେଣୁ ଶବ୍ଦ ଓ ଅର୍ଥ ପରସ୍ପର ପରିପୂରକ। ମୁଖ୍ୟବକ୍ତା ଡଃ ପଣ୍ଡା ସମାଜ,ଆଙ୍ଗିକ ଭାଷା,ଲୌକିକ ଛନ୍ଦ,ବିଶାଦ ଛନ୍ଦ,ଭକ୍ତି,ଜ୍ଞାନ ଓ କର୍ମ ସଂପର୍କରେ ଆଲୋଚନା କରିବା ସହ ଜୟଦେବଙ୍କ ଗୀତ ଗୋବିନ୍ଦକୁ ତର୍ଜମା କରି କହିଲେ ଯେ ଶୃଙ୍ଗାର ରସର ପ୍ରତୀକ ହେଲେ ରାଧା ଓ କୃଷ୍ଣ। ଶୃଙ୍ଗାର ରସରେ ନାରୀ ଶ୍ରେଷ୍ଠ ଅର୍ଥାତ ରାଧା ଶ୍ରେଷ୍ଠ । ଏହା ଜୟଦେବଙ୍କ କୃତିରେ ଉଲ୍ଲେଖ ଅଛି ବୋଲି ମତ ରଖିଥିଲେ। ସମ୍ମାନିତ ବକ୍ତା ଡଃ ଲେଙ୍କା ତାଙ୍କ ବକ୍ତବ୍ଯରେ କହିଲେଯେ ଜୟଦେବ କବିମାନଙ୍କର ପ୍ରେରଣାର ଉତ୍ସ। ତାଙ୍କ ଦ୍ବାରା ସୃଷ୍ଟ ଗୀତ ଗୋବିନ୍ଦ ଅନନ୍ୟ ଓ ସର୍ବଜନାଦୃତ। ଏହି ଅବସରରେ ଅନୁଷ୍ଠାନର ୧୩ତମ ସଂଖ୍ୟା ଗୀତ ଗୋବିନ୍ଦ ୨୦୨୨, ଅଧ୍ୟାପକ କମଳାକାନ୍ତ ଦାସ ଙ୍କ “ପ୍ରଣୟର ଆତ୍ମାହୂତି ” ବିନୋଦିନୀ ନନ୍ଦ ଙ୍କ ” ମନ ତରଙ୍ଗ ” ବାସନ୍ତୀ ଦାସଙ୍କ ” ମୀରାବାଇ ଓ ଅନ୍ୟମାନେ” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଚଳିତ ବର୍ଷ ବଣେଇ ର କବି ଦେବରାଜ କିଶାନ ଙ୍କୁ ” ଗୀତିକବି ସମ୍ମାନ ୨୦୨୨” ରେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ମାନପତ୍ର ପାଠ କରିଥିଲେ ସୁସ୍ମିତା ମହାପାତ୍ର। ପ୍ରାରମ୍ଭରେ ଗୁରୁ ପଞ୍ଚାନନ ମଲ୍ଲିକ ଓ ଗୁରୁ କୃଷ୍ଣଚନ୍ଦ୍ର ପତି ତଥା ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଅନୁଷ୍ଠାନ ତରଫରୁ ନୂତନ ସଭ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅଧ୍ୟାପକ କମଳାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ଇଂ ବିଜୟ ସେନାପତି, ସୁମିତ୍ରା ମିଶ୍ର ଓ ହରପ୍ରିୟା ପରିଜାଙ୍କ ସଂଯୋଜନାରେ ପ୍ରାୟ ୫୦ ଜଣ କବି କବିତା ପାଠ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ବେହେରା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ଅତିଥିଙ୍କ ପରିଚୟ ପ୍ରଦାନ ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରାମକୃଷ୍ଣ ତ୍ରିପାଠୀ,ରଙ୍କନିଧୀ ସେଠୀ,ଅଭିରାମ ପ୍ରଧାନ,ଶ୍ରୀଧର ସୁନା,ଉପେନ୍ଦ୍ର ବସ୍ତିଆ,ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ସଭାପତି ଶ୍ରୀ ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

ଜିଲ୍ଲାପରିଷଦ ନିର୍ବାଚନରେ ବିପୁଳ ସମର୍ଥନ ଯୋଗୁଁ ବିଜେଡ଼ି ର ପ୍ରେସ ମିଟ

Sunil Chandra Nayak

Leave a Comment

error: Content is protected !!