ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ଯାୟର ସାରକଥା–୫

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ଯାୟର ସାରକଥା–୫

ଚତୁର୍ଥ ଅଧ୍ଯାୟରେ ଭଗବାନ୍ ଶ୍ରୀକୃଷ୍ଣ ଜ୍ଞାନକୁ ପ୍ରଶଂସା କରି ଯାହାସବୁ କହିଥିଲେ-ଅର୍ଜୁନ ସେସବୁକୁ ଠିକ୍ ବୁଝିପାରିଲେ ନାହିଁ । କାରଣ ସେତେବେଳେ ସମାଜରେ ଜ୍ଞାନ ସନ୍ନ୍ଯାସୀମାନଙ୍କର ବୋଧ ଏକାଚାଟିଆ ଥିଲା । ତେଣୁ ଅର୍ଜୁନ ସନ୍ଦେହରେ ପଡି ପ୍ରଶ୍ନକଲେ -କର୍ମରତ୍ଯାଗ ଓ କର୍ମଯୋଗ ଏ ଉଭୟ କଥା କହୁଛନ୍ତି । ଏ ଦୁଇଟି ମଧ୍ଯରେ କେଉଁଟି ମଙ୍ଗଳକର ବୁଝାଇ କୁହନ୍ତୁ । ଉତ୍ତରରେ ଶ୍ରୀଭଗବାନ କହିଲେ-ଉଭୟର ଫଳ ଏକ-ମୁକ୍ତି ଲାଭ । ହେଲେ , କର୍ମଯୋଗରେ ସିଦ୍ଧି ସହଜ ଓ ଶୀଘ୍ର ହୋଇଥାଏ । କର୍ମାନୁଷ୍ଠାନ ବିନା ସନ୍ଯାସରେ ସିଦ୍ଧି ସମ୍ଭବ ନୁହେଁ । ଏଣୁ ସନ୍ଯାସ (କର୍ମତ୍ଯାଗ) ଠାରୁ କର୍ମଯୋଗ ଶ୍ରେଷ୍ଠ । ଅଜ୍ଞାନ ବ୍ଯକ୍ତି ଜ୍ଞାନଯୋଗ ଓ କର୍ମଯୋଗକୁ ଅଲଗା ଅଲଗା ମନେ କରନ୍ତି-ସନ୍ଯାସୀମାନେ କର୍ମକୁ ସଂସାର ବନ୍ଧନର କାରଣ ବୋଲି କହିଥାନ୍ତି । ମାତ୍ର ଠିକ୍ ଭାବରେ କର୍ମାନୁଷ୍ଠାନ କରିପାରିଲେ-ନିଷ୍କାମ କର୍ମାନୁଷ୍ଠାନ, ବିଶୁଦ୍ଧାତ୍ମା,ବିଜିତାତ୍ମା-ସମସ୍ତ କର୍ମ କରି ମଧ୍ଯ ବନ୍ଧନପ୍ରାପ୍ତ ହୁଅନ୍ତି ନାହିଁ । ନିଷ୍କାମ ଭାବରେ କର୍ମ କରୁକରୁ କର୍ମଯୋଗୀ ଚିର ଶାନ୍ତି ଲାଭ କରନ୍ତି । ଈଶ୍ବର ମନୁଷ୍ୟର କର୍ମ ଅଥବା କର୍ମଫଳରେ ସମ୍ବନ୍ଧ ସୃଷ୍ଟି କରନ୍ତି ନାହିଁ । ପରମାତ୍ମା କାହାକୁ ପାପ ବା ପୂଣ୍ଯ ଦିଅନ୍ତି ନାହିଁ । ପ୍ରକୃତି ସମସ୍ତ କର୍ମ କରେ । କିନ୍ତୁ ଜୀବାତ୍ମା ନିଜକୁ କର୍ତ୍ତା ମନେକଲେ ପାପ ଓ ପୁଣ୍ଯ ଭୋଗ କରେ-ସଂସାର ଚକ୍ରରେ ଘୂରୁଥାଏ ସମସ୍ତ ଅଜ୍ଞାନ ଦୂରହେଲେ ଜ୍ଞାନୀଲୋକଦ୍ବାରା ନିଜ ଆତ୍ମାରେ ସେ ବ୍ରହ୍ମଦର୍ଶନ କରନ୍ତି । ବ୍ରହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ,ଗୋରୁ ଠାରୁ କୁକୁର ପର୍ଯ୍ୟନ୍ତ ସର୍ବତ୍ର ସେ ଏକ ବ୍ରହ୍ମଙ୍କୁ ହିଁ ଦେଖନ୍ତି । ଏହି ସମଦର୍ଶୀ ବ୍ଯକ୍ତିମାନେ ସର୍ବଦା ବ୍ରହ୍ମଲୀନ ରହନ୍ତି । ପ୍ରିୟ ଅପ୍ରିୟ,ସୁଖଦୁଃଖ ସବୁ ତାଙ୍କଠାରେ ସମାନ । ସେ କାମକ୍ରୋଧର ବେଗ ମଧ୍ଯ ସହଜରେ ସହିପାରନ୍ତି । ଫଳରେ ସେ ସୁଖୀ ହୁଅନ୍ତି,ସେ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହୁଅନ୍ତି । ମୋଟକଥା-କର୍ମଯୋଗୀ, ସଂଯତଚିତ୍ତ,ଜିତେନ୍ଦ୍ରିୟ,କର୍ତ୍ତୃତ୍ବାଭିମାନତ୍ଯାଗୀ,ସର୍ବତ୍ର ସମଦର୍ଶୀ, ନିଷ୍ପାପ,ସଂଶୟ,ବର୍ଜିତ,ସର୍ବଭୂତହିତେରତ ହୋଇ ସମସ୍ତ କର୍ମାନୁଷ୍ଠାନ କରୁକରୁ ସର୍ବତ୍ର ବ୍ରହ୍ମଦର୍ଶନ କରନ୍ତି ଓ ବ୍ରହ୍ମନିର୍ବାଣ ପ୍ରାପ୍ତ ହୁଅନ୍ତି । ଈଶ୍ବର ସମସ୍ତ ପ୍ରାଣୀଙ୍କର ବନ୍ଧୁ ଓ ସର୍ବଲୋକମହେଶ୍ବର ବୋଲି ଜାଣିପାରିଲେ ସାଧକ ଚିରଶାନ୍ତି ଲାଭ କରନ୍ତି । ସମସ୍ତ କର୍ମକୁ ସହଜ ଓ ସୁନ୍ଦର କରିବା ପାଇଁ ଭଗବତ୍ ଭକ୍ତି ନିତାନ୍ତ ଆବଶ୍ୟକ ।

ଏ ଅଧ୍ଯାୟରେ ଜ୍ଞାନଯୋଗ (ସନ୍ନ୍ଯାସ) ଓ କର୍ମଯୋଗ ଉଭୟ ବିଷୟରେ ବର୍ଣ୍ଣନା ଓ ସମନ୍ବୟ ଦେଖାଇ ଦିଆଯାଇଛି । ଏଣୁ ଅଧ୍ଯାୟର ନାମ କର୍ମ-ସନ୍ନ୍ଯାସ-ଯୋଗ ରଖାଯାଇଛି –ଏହିପରି ପୂର୍ବବର୍ତ୍ତୀ ଆଚାର୍ଯ୍ୟମାନେ କହନ୍ତି । ମାତ୍ର ଗୀତାର ପ୍ରତିପାଦ୍ଯ ବିଷୟକୁ ଧ୍ଯାନରେ ରଖି ବିଚାର କଲେ ଜଣାପଡେ କର୍ମ-ସନ୍ନ୍ଯାସର ଅର୍ଥ କର୍ମତ୍ଯାଗ ନୁହେଁ, କର୍ମ ଫଳ ତ୍ଯାଗ । ଜ୍ଞାନ ବିଷୟକ ଆଲୋଚନା ତ ସବୁ ଅଧ୍ଯାୟରେ କରାଯାଇଛି । ପୁଣି ଜ୍ଞାନ ତ ସମସ୍ତ ଯୋଗର ଅପରିହାର୍ଯ୍ୟ ଅଙ୍ଗ । ସମ୍ଯକ ଜ୍ଞାନ ବିନା କୌଣସି ଯୋଗ ସାଧିତ ହୋଇପାରିବ ନାହିଁ । ଏଣୁ କର୍ମସନ୍ନ୍ଯାସ-ଯୋଗର ଅର୍ଥ ହେଲା -କର୍ମଫଳାସକ୍ତି ତ୍ଯାଗ ଯୋଗ ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ସାହିତ୍ୟ ଅଗଣା

Sunil Chandra Nayak

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

Sunil Chandra Nayak

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

Leave a Comment

error: Content is protected !!