ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ୭ ଜଣ କୋର୍ଟ ଚାଲାଣ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପୁଲିସ ସମ୍ମୁଖରେ ମାଡ଼ ମରାଯାଇଥିଲା । ଏହାରି ପ୍ରତିବାଦରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ତରଫରୁ ଖଡ଼ିଆଳ ଥାନା ଘେରାଉ କରିବା ସହ ଧାରଣା ଦିଆଯାଇଛି । ଅନ୍ୟପକ୍ଷେ ଉକ୍ତ ଘଟଣାରେ ପୁଲିସ ଡୁଆଝର ଗାଁ’ର ସାଗର ବାଗ(୨୭), ବାଳକୃଷ୍ଣ ତାଣ୍ଡି(୨୭), ଯୁଧିଷ୍ଠିର ତାଣ୍ଡି(୫୬), ସାନ ବାଗ(୩୦), ଡମ୍ବରୁ ଜଗତ(୨୭), କିଶାନ ବଘେଲ (୩୬), ରମେଶ ତାଣ୍ଡି(୨୮) ପ୍ରମୁଖ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଖଡ଼ିଆଳ ଥାନା ପରିସରରେ ତୁକଲା ଗାଁ’ର ରମେଶ ତାଣ୍ଡିଙ୍କ ସ୍ତ୍ରୀ କ୍ଷୀରମଣିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦୁଇପକ୍ଷ ମଧ୍ୟରେ ହୋ ହାଲ୍ଲା ହୋଇଥିଲା। ଏହି ସମୟରେ ସାମ୍ବାଦିକ ରବିକାନ୍ତ ଠେଲା ଖବର ସଂଗ୍ରହ ପାଇଁ ସେଠାକୁ ଯାଇଥିଲେ। ସାମ୍ବାଦିକ ଶ୍ରୀ ଠେଲା ଫଟୋ ଉଠାଇବା ବେଳେ ପ୍ରାୟ ୧୫ ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ଲୋକଙ୍କ କବଳରୁ ସାମ୍ବାଦିକ ଶ୍ରୀ ଠେଲାଙ୍କୁ ଉଦ୍ଧାର କରିବାକୁ ଅନ୍ୟଜଣେ ସାମ୍ବାଦିକ ଅନୁରୋଧ କରିଥିଲେ ହେଁ ପୋଲିସ ତୁରନ୍ତ ସହଯୋଗ କରିନଥିଲେ। ଶେଷରେ ଅନ୍ୟ ସାମ୍ବାଦିକ ବନ୍ଧୁ ତାଙ୍କୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ପୁଲିସ ୭ଜଣଙ୍କୁ ଗିରଫ କରିଥିଲା। ପୂର୍ବାହ୍ନରେ ଜନାଲିଷ୍ଟ ଆସୋସିଏସନ ନୂଆପଡ଼ା(କାନ)ର ଆହ୍ବାନକ୍ରମେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ପ୍ରେସ କ୍ଲବ, ନୂଆପଡ଼ା ଜିଲ୍ଲା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଶତାଧିକ ସାମ୍ବାଦିକ ଏକ ଶୋଭାଯାତ୍ରାରେ ବାହାରି ଥାନା ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ଥାନାର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସାମ୍ବାଦିକ ଶ୍ରୀ ଠେଲାଙ୍କୁ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା କଥା । ଏହି ଘଟଣାକୁ ଜାଣିବା ସତ୍ତ୍ବେ ଏଡାଇ ଦେଇଥିବା ଥାନାର କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ଏହି ଧାରଣାରେ ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ, ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଲ ଚରଣ ତାଣ୍ଡି, ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜ, ସମାଜସେବୀ ପୃଥୀରାଜ ମହାନ୍ତି,ଯାଦବ ସମାଜରୁ ଦୟା ଥପା ,ସମଳେଇ ସେନା ପ୍ରଦୀପ ଢ଼ିଣ୍ଡିଆ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ସାମିଲ ହୋଇଥିଲେ। ପୂର୍ବାହ୍ନ ସାଢେ ୧୦ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା । ସନ୍ଧ୍ୟାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉତ୍କଳ ଗୁପ୍ତା ଧାରଣାରେ ସାମିଲ ହୋଇ ଏସ ଡିପିଓ ଶ୍ରୀ ସନ୍ତକ ଜେନାଙ୍କ ସହ ଆଲୋଚନା କରିଥିଲେ। ୨୪ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ କାନ ସଭାପତି ଘନଶ୍ୟାମ ଭୋଇ, ପ୍ରେସକ୍ଲବ ସଭାପତି ଅଜିତ ପଣ୍ଡା , ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସୁଜିତ କୁମାର ପ୍ରଧାନ ,ସୁଶାନ୍ତ କର , ସୁଶାନ୍ତ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ,ବିଜୟ କୁମାର ସହିସ ,ଖୁଟୁରାମ ସୁନାନୀ ,ତପନ ରଞ୍ଜନ ଦାଶ,ପରମେଶ୍ୱର ବାରିକ , ବିମଳ ଦଳପତି, ଆଦିତ୍ୟ ମହାଉତି, କୁନୁ କରୁଆଁ,, ରତନ କେତକୀ, ଅଶ୍ୱିନୀ ପାଣିଗ୍ରାହୀ, ଶୁଭ୍ରାଂଶୁ ନାୟକ, ସରୋଜ ଦାସ, ହେମନ୍ତ କୁମାର ବେହେରା , କୁନାଲ ଚରଣ ବେହେରା ,ବିକାଶ ଖର୍ସେଲ,ରୁଦ୍ରରାଜ ବାଗ, ଯୁଗେଶ୍ଵର ଶଗରିଆ, ସନ୍ତୋଷ ଦଣ୍ଡସେନା ,ଶାମ୍ବ ସରାଫ, ବାପିନା ସାହୁ ,ବ୍ରଜରାଜ ମହାନ୍ତି, ବଂଶୀଧର ନାଗ, ସନ୍ତୋଷ ବାଗ, ସଂଜୀବ ପାଣିଗ୍ରାହୀ,ସମେତ 100 ରୁ ଉର୍ଦ୍ଧ୍ବ ସାମ୍ବାଦିକ ସାମିଲ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀବଂଧନ

Sunil Chandra Nayak

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!