ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଅଭିଯୋଗର ତ୍ୱରିତ ଫଇସଲା ଉପରେ ଗୁରୁତ୍ୱ; ଧାନ କ୍ରୟରେ ଅନିୟମିତତା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା, ତା. ୦୮/୦୬ :(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁରମୀ ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଶିବିର ଆରମ୍ଭରେ ଜିଲ୍ଲାପାଳ ପୂର୍ବ ଅଭିଯୋଗ ଶୁଣାଣିରେ ପ୍ରାପ୍ତ ଅଭିଯୋଗଗୁଡ଼ିକର ଫଇସଲା ସ୍ଥିତି ସମୀକ୍ଷା କରିଥିଲେ। ବିଚାରଧୀନ ରହିଥିବା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। 

ଆଜିର ଶିବିରରେ ୫୧ଗୋଟି ବ୍ୟକ୍ତିଗତ ଓ ୧୨ଟି ଗୋଷ୍ଠୀଗତ ଅଭିଯୋଗ ସମେତ ମୋଟ ୬୩ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଅଭିଯୋଗକାରୀଙ୍କ ସମସ୍ୟା ଶୁଣି ଜିଲ୍ଲାପାଳ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଚଳିତ ରବି ଧାନ କ୍ରୟ ସମ୍ପର୍କରେ ସମୀକ୍ଷା କରି ଜିଲ୍ଲାପାଳ କହିଥିଲେ ଯେ, ଚାଷୀଙ୍କ ନାମରେ ଧାନକୁ ସିଧାସଳକ ମିଲର ପଏଣ୍ଟକୁ ନିଆଯିବା ଭଳି ଅନିୟମିତତା ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଧାନ କ୍ରୟ କାର୍ଯ୍ୟ ସଫଳ କରିବା ସମସ୍ତ ବିଭାଗର ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ। ବର୍ଷାକୁ ନେଇ ଚାଷୀମାନେ ଭୟଭୀତ ନ ହେବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ, ସରକାରଙ୍କ ନୀତି ଅନୁଯାୟୀ ସମସ୍ତ ଧାନ କ୍ରୟ କରାଯିବ। ଧାନ ସୁରକ୍ଷା ପାଇଁ ଖଡ଼ିଆଳ ରୋଡ଼ ଆରଏମସି ଅଧୀନରେ ପର୍ଯ୍ୟାପ୍ତ ପରିମାଣର ପଲିଥିନ୍ ସିଟ୍ ଉପଲବ୍ଧ ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ସମସ୍ତ ଲାଇନ୍ ବିଭାଗ ନିଜ ନିଜ ବିଭାଗର ସଫଳତା, ଉପଲବ୍ଧି ଓ କାର୍ଯ୍ୟକ୍ରମ ସମ୍ପର୍କିତ ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମନଗୋବନ୍ଦ ମଙ୍ଗରାଜ, ସୁମିତ୍ରା ମାଝୀ ଓ ଯୁଧିଷ୍ଠିର ମାଝୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଏବଂ ରାହୁଲ ପଣ୍ଡାଙ୍କୁ ୧୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଥିଲା।

ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୁ ସୁନାନୀ (ବାବେବିର), ଟଙ୍କଧର ରଣା (ବୋଡ଼େନ) ଏବଂ କୃତିବାସ ପଟେଲ (ଲର୍କା)ଙ୍କୁ ‘ସ୍ୱଚ୍ଛ ଦୂତ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଭିଯୋଗ ଶୁଣାଣି ଶିବିର ଅବସରରେ ବ୍ଲକ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଏବଂ ଆୟୁଷ୍ମାନ ଆରୋଗ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।

ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ, ବୋଡ଼େନ ବିଡିଓ ଚିନ୍ମୟ ସାଗର ଏବଂ ତହସିଲଦାର ସରିତା ଗୁପ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

GTV Bharat Celebrates 8th Anniversary with Grandeur

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

Leave a Comment

error: Content is protected !!