ଭିଜିଲାନସ୍ ଜାଲରେ ଭବାନୀପାଟଣା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସହକାରୀ ପ୍ରିୟଙ୍କା ଜେନା
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ…
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ (PD, Watershed)ଙ୍କ କାର୍ଯ୍ୟାଳୟର ଏମଜିଏନଆରଇଜିଏ ସହକାରୀ ସୁଶ୍ରୀ ପ୍ରିୟଙ୍କା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏମଜିଏନଆରଇଜିଏ (MGNREG) ଯୋଜନା ଅଧୀନରେ ଫାର୍ମ ପଣ୍ଡ (କୃଷି ପୋଖରୀ) ନିର୍ମାଣ ବାବଦକୁ ମଞ୍ଜୁର ହୋଇଥିବା ବିଲ୍ ଅର୍ଥ (୨.୬୮ ଲକ୍ଷ ଟଙ୍କା) ଛାଡ଼ କରିବା ବଦଳରେ ଜଣେ ହିତାଧିକାରୀଙ୍କ ଠାରୁ ୩୫,୦୦୦ ଟଙ୍କାର ବେଆଇନ ଲାଞ୍ଚ ଦାବି କରି ନେଉଥିବା ବେଳେ ତାଙ୍କୁ କାବୁ କରାଯାଇଛି।
ଅଭିଯୁକ୍ତ ସୁଶ୍ରୀ ଜେନା ହିତାଧିକାରୀଙ୍କ ସପକ୍ଷରେ ପୂର୍ବରୁ ମଞ୍ଜୁର ହୋଇସାରିଥିବା ବିଲ୍ ଅର୍ଥ ଏବଂ ବାକି ଥିବା ବିଲ୍ ଅର୍ଥକୁ ପାସ୍ କରାଇଦେବା ପାଇଁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦାବି ମୁତାବକ ୩୫,୦୦୦ ଟଙ୍କା ଲାଞ୍ଚ ନଦେଲେ ବାକି ଥିବା ବିଲ୍ ଅର୍ଥ ଛାଡ଼ କରିବାରେ ସେ କୌଣସି ସହଯୋଗ କରିବେ ନାହିଁ ବୋଲି ହିତାଧିକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ, ସେ ଅଭିଯୁକ୍ତ ସୁଶ୍ରୀ ଜେନାଙ୍କ ଦ୍ୱାରା ହେଉଥିବା ନିର୍ଯାତନା ବାବଦରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇ ଅଭିଯୋଗ କରିଥିଲେ।
ଉକ୍ତ ଅଭିଯୋଗ ଆଧାରରେ ଆଜି ଏକ ଟ୍ରାପ୍ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ଜଣେ ହିତାଧିକାରୀଙ୍କ ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ଏମଜିଏନଆରଇଜିଏ ସହକାରୀ ସୁଶ୍ରୀ ପ୍ରିୟଙ୍କା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ରଙ୍ଗେହାତ କାବୁ କରିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଟ୍ରାପ୍ ପରେ, ସୁଶ୍ରୀ ଜେନାଙ୍କ ଭବାନୀପାଟଣାସ୍ଥିତ ବାସଭବନ ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକସଙ୍ଗେ ଚଢ଼ାଉ ଜାରି ରହିଛି।
ଅଭିଯୁକ୍ତ ସୁଶ୍ରୀ ପ୍ରିୟଙ୍କା ଜେନାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଏନେଇ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ-୯ ଅନୁଯାୟୀ କେଶ୍ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

