ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ; ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ; ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

ନୂଆପଡ଼ା, ତା. ୧୧/୦୬:(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ମାହାଉତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ସମୀକ୍ଷା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାରେ ମୋଟ ୮୧୧ ଜଣ ଶିଶୁଙ୍କୁ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ଉପସ୍ଥାପନ କରାଯାଇଛି। ସେହିପରି ମେ ମାସରେ ଚାଇଲ୍ଡ ହେଲ୍ପଲାଇନ୍‌ ମାଧ୍ୟମରେ ମୋଟ ୯୯ ଜଣ ଶିଶୁଙ୍କୁ ଉଦ୍ଧାର ଓ ଉପସ୍ଥାପନ କରାଯାଇଥିବା ବୈଠକରେ ଜଣାଯାଇଥିଲା।

ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮୭୭ ଜଣ ଏକକ ମାତାଙ୍କ ମଧ୍ୟରୁ ଏପ୍ରିଲ ମାସ ସୁଦ୍ଧା ୬୩୬ ଜଣଙ୍କ ପଞ୍ଜୀକରଣ ସମ୍ପନ୍ନ ହୋଇଥିବା ବେଳେ ଅବଶିଷ୍ଟଙ୍କ ପଞ୍ଜୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପ୍ରବାସୀ ଶ୍ରମିକ ପରିବାରର ଶିଶୁମାନଙ୍କ ସମ୍ପର୍କରେ ଏକ ସ୍ୱତନ୍ତ୍ର ସର୍ଭେ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଆଧାରରେ ସେମାନଙ୍କ ଶିକ୍ଷା ଜାରି ରଖିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଅନୁସରଣାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଶିଶୁ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରିବା ପାଇଁ “ଶିଶୁ ମିତ୍ର ପୁରସ୍କାର” ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପତ୍ର ଜାରି କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା।

ସେହିପରି ୧୮ ବର୍ଷରୁ କମ୍ ଓ ୧୮ ବର୍ଷରୁ ଅଧିକ ବୟସର ଅବିବାହିତ ମାତୃତ୍ୱ ସମ୍ପର୍କିତ ଏକ ସର୍ଭେ କରି ତାହାର ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକା ଆଧାରରେ ସମ୍ପୃକ୍ତ ଶିଶୁମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମଲେଖା କରାଯାଇ ସାଧାରଣ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।

ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ଉତ୍କଳ ବାଳାଶ୍ରମ ସ୍ପେଶାଲାଇଜ୍ଡ ଆଡପ୍ସନ୍ ଏଜେନ୍ସି (ଏସ୍‌ଏଏ), ନୂଆପଡ଼ା ପକ୍ଷରୁ ଚଳିତ ବର୍ଷର ୪ର୍ଥ ଓ ୫ମ ପୋଷ୍ୟ ଗ୍ରହଣ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଦୁଇ ପୋଷ୍ୟ ସନ୍ତାନ ଗ୍ରହଣକାରୀ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଚୂଡ଼ାନ୍ତ ପ୍ରମାଣପତ୍ର ଓ ଆଦେଶ ପ୍ରଦାନ କରିଥିଲେ।

ଚାଇଲ୍ଡ ହେଲ୍ପଲାଇନ୍ ନୂଆପଡ଼ା ଦ୍ୱାରା ଉଦ୍ଧାର କରାଯାଇଥିବା ଦୁଇ ଶିଶୁଙ୍କ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ପୋଷ୍ୟ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଥିମଧ୍ୟରୁ ଜଣେ ଶିଶୁଙ୍କୁ ପଶ୍ଚିମବଙ୍ଗର ଏକ ପରିବାର ଏବଂ ଅନ୍ୟ ଜଣେ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶର ଏକ ପରିବାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟା ମାଧ୍ୟମରେ ଦୁଇ ଶିଶୁ ଏକ ନୂତନ ପରିବାର ଓ ସୁରକ୍ଷିତ ଭବିଷ୍ୟତ ପାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ।

ବୈଠକରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ବବିତା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍‌. ଗୀତା, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଲ ଅଧିକାରୀ କୌଶଲ୍ୟା ମାଝୀ, ଜିଲ୍ଲା ଶ୍ରମ ଅଧିକାରୀ ଜାସ୍ମିନ ସାହୁ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ, କିଶୋର ନ୍ୟାୟ ବୋର୍ଡ (ଜେଜେବି)ର ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ଛତିଶଗଡ ଚାଲାଣ ବେଳେ ଧାନ ଗାଡ଼ି ଓଲଟିଲା

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

ନର୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

masiha

Leave a Comment

error: Content is protected !!