ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦଭଗବତଗୀତାର ଷଷ୍ଠ ଅଧ୍ଯାୟର ସାରକଥା-୬

ଶ୍ରୀମଦଭଗବତଗୀତାର ଷଷ୍ଠ ଅଧ୍ଯାୟର ସାରକଥା-୬

     ସନ୍ନ୍ୟାସୀମାନେ ଅଗ୍ନିହୋତ୍ରାଦି କର୍ମ ଓ ଶାରୀରିକ କର୍ମ ତ୍ଯାଗ କରନ୍ତି । ମାତ୍ର ତାହା କରିବା ଉଚିତ ନୁହେଁ ବୋଲି ଭଗବାନ୍ କହିଲେ । ଯେଉଁ ବ୍ଯକ୍ତି କର୍ମଫଳରେ ଆସକ୍ତି ତ୍ଯାଗକରି କର୍ତ୍ତବ୍ୟ କର୍ମ କରନ୍ତି ସେ ପ୍ରକୃତରେ ସନ୍ନ୍ୟାସୀ ଓ ସେ ପ୍ରକୃତରେ କର୍ମଯୋଗୀ । ସନ୍ନ୍ୟାସ ଓ କର୍ମଯୋଗେ ଏକ ଓ ଅଭିନ୍ନ । କାରଣ ଉଭୟରେ କର୍ମଫଳ ତ୍ଯାଗ ହିଁ ମୁଖ୍ୟ ସାଧନ । ଯୋଗୀ ନିଷ୍କାମ ଭାବରେ କର୍ମକରି ମାନସିକ ଶାନ୍ତି ଲାଭ କରନ୍ତି । ଏହାହିଁ ବ୍ରହ୍ମଲୀନ ଅବସ୍ଥା । ଏଣୁ ସମସ୍ତ ସଂକଳ୍ପ ତ୍ଯାଗ କଲେ ଯାଇ ଇନ୍ଦ୍ରିୟ ଭୋଗ୍ଯବିଷୟରେ ଓ କର୍ମରେ ଆସକ୍ତି ଦୂର ହୁଏ । ଆତ୍ମାକୁ ଆତ୍ମା ଦ୍ବାରା ବଶୀଭୂତ କରି ଆତ୍ମାକୁ ଉଦ୍ଧାର କରିବା ଉଚିତ୍ । ଆତ୍ମା ବଶୀଭୂତ ହେଲେ ଆତ୍ମା ବନ୍ଧୁ ହୁଅନ୍ତି । ଅଜିତ ଆତ୍ମା ଆତ୍ମାକୁ ନିମ୍ନଗାମୀ କରାଇ ଶତ୍ରୁତା ସାଧନ୍ତି । ଆତ୍ମାଭିମାନ ତ୍ଯାଗ କଲେ ଆତ୍ମାକୁ ପାପପୁଣ୍ଯ ଲାଗେ ନାହିଁ । ବିଜିତାତ୍ମା ଶୀତଗ୍ରୀଷ୍ମରେ ସୁଖଦୁଃଖରେ ତଥା ମାନ ଅପମାନରେ ଆଦୌ ବିଚଳିତ ହୁଅନ୍ତି ନାହିଁ । ଯୋଗସିଦ୍ଧ ଜ୍ଞାନତୃପ୍ତାତ୍ମା, ନିର୍ବିକାର,ବିଜିତେନ୍ଦ୍ରିୟ ଓ ନିର୍ଲୋଭ ହୋଇଥାନ୍ତି । ଯେ ସୁହୃତ୍,ମିତ୍ର,ଅରି,ଉଦାସୀନ, ମଧ୍ଯସ୍ଥ, ଦ୍ବେଷ, ବନ୍ଧୁ, ସାଧୁ ଓ ପାପୀ ମାନଙ୍କଠାରେ ସତବୁଦ୍ଧି ରଖନ୍ତି ସେ ଶ୍ରେଷ୍ଠ ।

      ଚଞ୍ଚଳ ମନୁକୁ ସ୍ଥିର କରିବା ପାଇଁ ଆତ୍ମ ସଂଯମ ଯୋଗ ବା ଧ୍ଯାନଯୋଗ ସାଧନ କରିବା ଉଚିତ୍ । ନିର୍ଜନ ପବିତ୍ର ସ୍ଥାନରେ ଅନତିଉଚ୍ଚ ଏକ ବେଦି ଉପରେ ପ୍ରଥମେ କୁଶାସନ, ତା ଉପରେ ମୃଗାଦି ଚର୍ମ ଓ ତା ଉପରେ ବସ୍ତ୍ର ପକାଇ ତା ଉପରେ ବସି ଧ୍ଯାନଯୋଗ ସାଧନ କରିବାକୁ ହେବ । ଶରୀର, ମସ୍ତକ ଓ ଗ୍ରୀବାକୁ ସିଧା ନିଶ୍ଚଳରଖି ନିଜର ନାସିକାଗ୍ରରେ ଦୃଷ୍ଟିରଖି ପ୍ରଶାନ୍ତଚିତ୍ତ ଓ ଭୟଶୂନ୍ଯ ହୋଇ ବ୍ରହ୍ମଚର୍ଯ୍ୟବ୍ରତ ପାଳନ କରି ପରମେଶ୍ବରଙ୍କ ଠାରେ ଧ୍ଯାନରଖି ସମାଧିସ୍ଥ ହେବେ । ଯୋଗୀ ମନକୁ ନିରୋଧ କରିବା ସଙ୍ଗେ ସଙ୍ଗେ ପରିମିତ ଭୋଜନ,ପରିମିତ ନିଦ୍ରା ଓ ନିୟମିତ ସ୍ପୃହାହୀନ ଯୋଗୀ ଯେତେବେଳେ ଅତ୍ଯନ୍ତ ଦୁଃଖରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ ସେତେବେଳେ ସେ ନିଜ ଆତ୍ମାରେ ପରମାତ୍ମାଙ୍କୁ ହିଁ ଦର୍ଶନ କରି ଅନନ୍ତ ସୁଖ ଓ ଶାନ୍ତି ଲାଭ କରନ୍ତି । ସର୍ବତ୍ର ସମଦର୍ଶୀ ଯୋଗସିଦ୍ଧ ପୁରୁଷ ସମସ୍ତ ପ୍ରାଣୀଙ୍କଠାରେ ଏକ ପରମାତ୍ମାଙ୍କୁ ଦେଖନ୍ତି ଓ ପରମାତ୍ମାଙ୍କଠାରେ ସମସ୍ତଙ୍କୁ ଦେଖନ୍ତି, ଏଭଳି ଅବସ୍ଥାରେ ସେ ଭଗବାନଙ୍କ ଘନିଷ୍ଠ ସମ୍ପର୍କରେ ଆସନ୍ତି । ଯୋଗସିଦ୍ଧ ପୁରୁଷ ନିଜର ସୁଖଦୁଃଖପରି ଅନ୍ଯର ସୁଖଦୁଃଖରେ ମଧ୍ୟ ସହଭାଗୀ ହୋଇଥାନ୍ତି ।

    ଭଗବାନଙ୍କଠାରୁ ଯୋଗର ଏପରି ବ୍ଯାଖ୍ଯା ଶୁଣି ସର୍ବଦା ଚଞ୍ଚଳ, ଅସ୍ଥିର ଓ ଇନ୍ଦ୍ରିୟମାନଙ୍କର ବିକ୍ଷୋଭକାରୀ ମନକୁ ନିୟନ୍ତ୍ରିତ କରିବା ଦୁଃସାଧ୍ଯ ବୋଲି ଅର୍ଜୁନ ଭଗବାନଙ୍କୁ କହିଲେ । ଭଗବାନ୍ ଶ୍ରୀକୃଷ୍ଣ କହିଲେ-ଚଞ୍ଚଳ ମନକୁ ନିରୋଧ କରିବା କଠିନ ହେଲେ ହେଁ ଅଭ୍ଯାସ, ବୈରାଗ୍ୟ ଓ କୌଶଳରେ ଏହାକୁ ଆୟତ୍ତ କରିବାକୁ ହେବ । ପୁଣି ଅର୍ଜୁନ ପ୍ରଶ୍ନକଲେ-ସିଦ୍ଧିଲାଭ କରିବା ପୂର୍ବରୁ ଯଦି କେହି କୌଣସି କାରଣରୁ ଯୋଗଭ୍ରଷ୍ଟ ହୁଅନ୍ତି ତାଙ୍କର କି ଗତି ହେବ ? ଉତ୍ତରରେ ଭଗବାନ୍ କହିଲେ- ସେପରି ଯୋଗଭ୍ରଷ୍ଟ ସାଧକଙ୍କର ଇହଲୋକ ଓ ପରଲୋକରେ ମଧ୍ୟ ଦୁର୍ଗତି ନାହିଁ । ମୃତ୍ୟୁପରେ ପରଲୋକରେ ସେ ପୁଣ୍ଯାତ୍ମାମାନଙ୍କ ସଙ୍ଗରେ କିଛି କାଳ କଟାଇ ପୁଣି ପବିତ୍ର ଧନୀଘରେ କିମ୍ବା ଯୋଗୀମାନଙ୍କ ବଂଶରେ ଜନ୍ମଲାଭ କରନ୍ତି । ପୂର୍ବଜନ୍ମର ଅଭ୍ଯାସ ବଶତଃ ପୁଣି ସେ ସାଧନାରେ ମନ ବଳାନ୍ତି । ଏପରିକି ଗୋଟିଏ ଜନ୍ମରେ ନହୋଇପାରିଲେ ମଧ୍ୟ ଅନେକ ଜନ୍ମରେ ସେ ସିଦ୍ଧିଲାଭ କରି ମୋକ୍ଷଲାଭ କରନ୍ତି ।

     ନିଷ୍କାମ କର୍ମଯୋଗୀ ତପସ୍ବୀମାନଙ୍କଠାରୁ, ଜ୍ଞାନୀମାନଙ୍କଠାରୁ ଏବଂ ସାଧାରଣ ସକାମ କର୍ମୀଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ଯେଉଁ ଯୋଗୀ ଶ୍ରଦ୍ଧାବାନ୍ ହୋଇ ଭଗବାନଙ୍କୁ ଉପାସନା କରନ୍ତି ସେସବୁ ଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଧ୍ଯାନଯୋଗ-କର୍ମଯୋଗ ଓ ଜ୍ଞାନଯୋଗ ଏ ଉଭୟ ସମାଧାନ ପାଇଁ ଉପଯୋଗୀ । ଧ୍ଯାନଯୋଗରେ ଶରୀର ଇନ୍ଦ୍ରିୟ,ମନ,ବୁଦ୍ଧିର ସଂଯମ ଆବଶ୍ୟକ । ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଏସବୁକୁ ‘ ଆତ୍ମା ‘ ମଧ୍ୟ କୁହାଯାଇଥାଏ । ଧ୍ଯାନଯୋଗ ପାଇଁ ଏ ଅଧ୍ଯାୟରେ ସଂଯମ ବିଷୟରେ ସବିଶେଷ ବର୍ଣ୍ଣନା ଥିବାରୁ ଏ ଅଧ୍ଯାୟକୁ ଆତ୍ମସଂଯମଯୋଗ ବା ଧ୍ଯାନଯୋଗ କହନ୍ତି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର

Related posts

ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

ନବରଙ୍ଗପୁର ରେ ପାଳନକଲେ ପ୍ରଧାନ ମନ୍ତ୍ରୀ ଙ୍କ ୭୨ତମ ଜନ୍ମ ଦିନ

Sunil Chandra Nayak

Leave a Comment

error: Content is protected !!