ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

ମଶା ଦାଉରେ ବୁଗୁଡ଼ାବାସୀ କଲବଲ , କାମରେ ଲାଗୁନି ଟିଫା ମେସିନ, ପ୍ରତିକାର ଦାବି 

ବୁଗୁଡ଼ା : ୧୬/୦୬ ସହରବାସୀଙ୍କୁ କଲବଲ କଲେଣି ମଶା। ମଶା ଏବେ ସହରବାସୀଙ୍କ ନିଦ ହଜେଇ ଦେଇଛି । ସଞ୍ଜ ନଇଁଲେ ସହରର ମୁଖ୍ୟ ସଡକ ଠାରୁ ଆରମ୍ଭ କରି ବିଭିନ୍ନ ସାହି ଗଳିର ବାସିନ୍ଦାମାନେ କଲବଲ ହେଉଛନ୍ତି । ମଶାଙ୍କ ଦୌରାତ୍ମ୍ୟ ହ୍ରାସ କରିବାରେ ବୁଗୁଡ଼ା ଏନଏସି ସମ୍ପୂର୍ଣ୍ଣ ଫେଲ ମାରିଛି । ଫଳରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବୁଗୁଡ଼ା ସହରକୁ ସ୍ୱଚ୍ଛ ରଖି ଲୋକଙ୍କୁ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ପ୍ରଶାସନ କାମଚଳା ଉଦ୍ୟମ କରୁଥିବା ବେଳେ ମଶାଙ୍କ ଦାଉରେ ସହରବାସୀ ତ୍ରାହି ତ୍ରାହି ଡାକୁଥିଲେ ହେଁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏବେ ସହରରେ ସଞ୍ଜ ନଇଁଲା ମାତ୍ରେ ଘରେ ଓ ଦାଣ୍ଡରେ ମଶା ବେଢି ଦେଉଛନ୍ତି । ମୁହଁ ପାଖରେ ଭଁ ଭଁ ହୋଇ ଉଡୁଛନ୍ତି । କେଉଁଠି ବି ଛିଡ଼ା କରାଇ ଦେଉନାହାନ୍ତି । ଏପରିକି ରାତିରେ ମଶାରି ଭିତରେ ମଧ୍ୟ ଶାନ୍ତିରେ ଶୁଆଇ ଦେଉନାହାନ୍ତି। ମଶାରି ବାହାରେ ଭଣଭଣ ହେଉଛନ୍ତି । ଟିକିଏ ସୁବିଧା ପାଇଲେ ମଶାରି ଭିତରକୁ ପଶି ରକ୍ତ ଶୋଷିବାରେ ଲାଗି ଯାଉଛନ୍ତି । ଫଳରେ କାମୁଡ଼ିବା ସ୍ଥାନଟି ପ୍ରବଳ ମାତ୍ରାରେ କୁଣ୍ଢେଇ ହେଉଛି । ଘର ଭିତରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ନାମୀଦାମୀ କମ୍ପାନୀର ମଶାମରା ଲିକ୍ୟୁଇଡ୍ କି କଏଲ ଧୂଆଁ ମଧ୍ୟ କାମ କରୁନି । ତାହାକୁ ଖାତିର କରୁନାହାନ୍ତି ମଶା। ମଶାଙ୍କ ଦାଉରେ ଅସ୍ତବ୍ୟସ୍ତ ସହରବାସୀ ସହରବାସୀ ହୋଇପଡିଲେଣି । ତେଣୁ ମଶାଙ୍କୁ ଭୟ କରି ଅପରାହ୍ନ ୪ଟାରୁ ସହରବାସୀ ନିଜ ନିଜ ଘରର କବାଟ ଓ ଝରକା ବନ୍ଦ କରି ରହୁଛନ୍ତି। ଏନେଇ ବାରମ୍ବାର ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ହେଁ କେହି ଶୁଣୁ ନାହାଁନ୍ତି । ବିଶେଷ କରି ସଞ୍ଜ ନଇଁଲେ ମଶାଙ୍କ ଦାଉ ବୃଦ୍ଧି ପାଉଛି । ଏଭଳି ଭାବେ ମଶାଙ୍କ ସଂଖ୍ୟା ବଢ଼ିଯାଇଛି ଯେ କେଉଁ ସ୍ଥାନରେ ଠିଆ କରାଇ ଦେଉନାହାନ୍ତି। ଏନ୍ଏସି ପକ୍ଷରୁ ମଶାମରା ଧୂଆଁ ସ୍ପ୍ରେ ହେବାର ବ୍ଯବସ୍ଥା ରହିଥିଲେ ହେଁ ତାହା କରାଯାଉନାହିଁ । ପ୍ରଶାସନର ଉଦାସୀନତା ଯୋଗୁଁ ସହରବାସୀ ଦୁର୍ଦ୍ଦଶା ଭୋଗୁଥିବା ପ୍ରକାଶ କରିଛନ୍ତି ।ଅନ୍ୟପକ୍ଷରେ ସହରରେ ମଶାଙ୍କ ଦାଉରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ନିଦାବିଷ୍ଣୁ ସାଜିଛି ସ୍ଥାନୀୟ ଏନ୍ଏସି ପ୍ରଶାସନ । ବିଶେଷ ଭାବେ ସହର ଭିତରେ ପ୍ରବାହିତ ହୋଇଥିବା ନାଳ, ନର୍ଦ୍ଦମା, ଖାଲରେ ପାଣି ଜମି ରହିବା ଦ୍ଵାରା ମଶାଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାଫଳରେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନ୍ଏସି ପକ୍ଷରୁ ତୁରନ୍ତ ସହରର ସମସ୍ତ ଅଞ୍ଚଳରେ ନାଳ ନର୍ଦମା ସଫା କରିବା ସହ ମଶାମରା ଧୂଆଁ ସ୍ପ୍ରେ କରିବାକୁ ସହରବାସୀ ଦାବି କରୁଛନ୍ତି ।

Related posts

Deaf Delhi Bulls crowned champions of the IDCA’s 2nd T10 Women’s Deaf Premier League.

masiha

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

ବେହେରା ରେ ‘ନଶା ମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!