‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତୃତୀୟ ସଂଧ୍ୟାରେ ନାଟକ ‘ସାଧନା’ ମଂଚସ୍ଥ
ରାଉରକେଲା :ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆଜି ତୃତୀୟ ସଂଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ସଂବଲପୁର ଶ୍ରୀ କଲଚରାଲ ଆସୋସିଏସନ୍ ପକ୍ଷରୁ ସଂବଲପୁରୀ ନାଟକ ‘ସାଧନା’ ମଂଚସ୍ଥ ହୋଇଯାଇଛି। ନାଟକଟିକୁ ଆଶିଷ କୁମାର ସୋନାର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟ ରଂଜନ ବେହେରା। ସଂଗୀତ ସୌମ୍ୟଜିତ୍ ସୌମିତ୍ରୀ ବଡପଣ୍ଡା ଓ ସଂଗୀତ ସହଯୋଗୀ ସତ୍ୟ ନାରାୟଣ ସାହୁ ଦାୟିତ୍ଵ ତୁଲାଇଥିଲେ। ଆଲୋକ ସାଗର ସ୍ୱରୂପ ସ୍ୱାଇଁ, ମଂଚସଜ୍ଜା ଦେବେନ୍ଦ୍ର କୁମାର ଅମାତ, ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସଂଗୀତା ସାହୁ। ବିଭିନ୍ନ ଭୂମିକାରେ ସଂଗୀତା ସାହୁ, ସତ୍ୟ ରଂଜନ ବେହେରା, ସୌମ୍ୟଜିତ୍ ବଡପଣ୍ଡା, ନିକିତା ବେହେରା, ଅନ୍ୱେଷା ରାୟଗୁରୁ, ତନିଶା ରାୟଗୁରୁ, ଶିବାଂଶି ବଡପଣ୍ଡା, ସତ୍ୟନାରାୟଣ ସାହୁ ଅଭିନୟ କରିଥିବା ବେଳେ କୋରସ୍ରେ ଜଗଦୀଶ ନାରାୟଣ ମହାପାତ୍ର, ସୁଜିତ୍ କୁମାର ବେହେରା, ଆଶିଷ କୁମାର ସୋନାର, ତନିଶା ରାୟଗୁରୁ, ସନ୍ତୋଷ କୁମାର ରାୟଗୁରୁ, ଜୟ ନାରାୟଣ ସାହୁ ଓ ଶକ୍ତିସ୍ୱରୂପ ଭୋଳ ଅଂଶଗ୍ରହଣ କରିଥିଲେ। ମଂଚ ପରିଚାଳନାରେ ଆଶିଷ କୁମାର ସୋନାର, ଅଞ୍ଜଳି ରାୟଗୁରୁ, ଲଳିତ ମୋହନ ବେବର୍ତା ସହଯୋଗ କରିଥିଲେ। ଅଦ୍ୟମ ନିଷ୍ଟା ଓ ସାଧନା ବଳରେ ଅସମ୍ଭବକୁ ମଧ୍ୟ ସଂଭବ କରିହୁଏ। ଏହାର ଏକ ବିରଳ ନିଦର୍ଶନ ହେଉଛି ନାଟକର ମୁଖ୍ୟ ଚରିତ୍ର ଅଞ୍ଜି। ସେ ଜଣେ ସୁନିପୁଣା ନୃତ୍ୟ ଶିଳ୍ପୀ। କଳା କ୍ଷେତ୍ରରେ ଅନେକ ସମ୍ମାନ ପ୍ରାପ୍ତ। ମାତ୍ର ଘଟଣା କ୍ରମେ ଅସାମାଜିକ ତତ୍ୱଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ସବୁଦିନ ପାଇଁ ହରାଇବସେ ନିଜର ବାକ୍ ଶକ୍ତି ଓ ଶ୍ରବଣ ଶକ୍ତି। ବାପାଙ୍କ ପ୍ରେରଣା ଓ ନିଜର କଠୋର ସାଧନା ବଳରେ ପୁନର୍ବାର ସେ ନୃତ୍ୟ ଆରମ୍ଭ କରେ ଏବଂ ପ୍ରସିଦ୍ଧି ଓ ପ୍ରତିଷ୍ଠା ଅର୍ଜନ କରେ। ଏହି ବାର୍ତାକୁ ବହନ କରୁଥିବା ଭିନ୍ନ ସ୍ୱାଦଯୁକ୍ତ ସଂବଲପୁରୀ ନାଟକ ମାଗାସେସ୍ ପୁରସ୍କାର ବିଜୟିନୀ ପ୍ରସିଦ୍ଧ ମୁକ- ବଧୀର ସଂଗୀତ ଶିଳ୍ପୀ ଏଇଲିନ୍ ଗ୍ଲେନିଙ୍କ ସଂଘର୍ଷମୟ ଜୀବନ କାହାଣୀରୁ ଅନୁପ୍ରେରିତ। ଆଜିର ନାଟକ ମଂଚସ୍ଥ ପୂର୍ବରୁ ଆୟୋଜିତ ସଭାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଓ) ସେକ୍ଟର-୫ ରାଉରକେଲାର ଆଂଚଳିକ ମହାପ୍ରବନ୍ଧକ ପ୍ରସେନଜିତ୍ ନାରାୟଣ ହୋତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନାର ସେବା ନିବୃତ ମୁଖ୍ୟ ମହାପ୍ରବନ୍ଧକ ତଥା ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲାର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ଓ ରାଜ୍ୟର ଜଣେ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର କୈଳାସ ଚନ୍ଦ୍ର ପାଣିଗ୍ରାହୀ ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ‘ସଂକଳ୍ପ’ର ସଭାନେତ୍ରୀ ଡଃ କିଶୋରୀ ଦାଶ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପ୍ରସନ୍ନ କୁମାର ଦାଶ,ଉତ୍କଳ ସମ୍ମିଳନୀର ସଭାପତି ତଥା ସଂକଳ୍ପର ଅନ୍ୟତମ ଉପଦେଷ୍ଟା ଆଇନଜୀବୀ ସୁଦାମ ଚରଣ ଦାଶ ମଞ୍ଚାସୀନ ଥିଲେ । ବିଶିଷ୍ଟ ନାଟ୍ୟକାର ସତ୍ୟରଞ୍ଜନ ବେହେରାଙ୍କୁ ନାଟ୍ଯକର୍ମୀ ବସନ୍ତ ଦାଶ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରବୀର ମିଶ୍ର କାର୍ଯ୍ୟକର୍ମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ନାଟକର ନିର୍ଦ୍ଦେଶିକାଙ୍କୁ ‘ସଂକଳ୍ପ’ସମ୍ମାନରେ ଓ ତାଙ୍କ ନାଟ୍ୟାନୁଷ୍ଠାନକୁ ଚିତ୍ତ ରଣା ସ୍ମୃତି ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅଭିନେତା ଅଭିନେତ୍ରୀ ଓ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ପକ୍ଷରୁ ପ୍ରବୀର ଜେନା, ପ୍ରିୟଦର୍ଶନ ରାଉତ, ଅକ୍ଷୟ ଧଳ, ଅଧ୍ୟାପକ ବସନ୍ତ କୁମାର ଦାସ, ରଶ୍ମୀ ରେଖା ଦାସ, ହେମନ୍ତ ବେହେରା, ଶରତ ଚନ୍ଦ୍ର ଦାସ, ନାଟ୍ୟକାର ପ୍ରଭାକର ପାତ୍ର, ବଟକୃଷ୍ଣ ଶତପଥୀ, ସଂଜୟ ମହାନ୍ତି, କୁଞ୍ଜନଲାଲ ବୋଷ, ଗଣପତି ରଣା, ଓ ପ୍ରକାଶ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସଂକଳ୍ପର ପ୍ରତିଷ୍ଠା, ପରିଚାଳନା ଓ ପ୍ରଗତିରେ ବିଶେଷ ସହାୟକ ହୋଇ ଇହ ଲୋକ ତ୍ୟାଗ କରିଥିବା ପାଂଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଅତିଥିମାନେ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

