ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୩ ବର୍ଷର ସେବା ପରେ ଆଡ୍ ହକ ଅଧ୍ୟାପକଙ୍କ ଭବିଷ୍ୟତ ଅନିଶ୍ଚିତ ବେତନ ବୈଷମ୍ୟ, ସ୍ଥାୟୀ ନିଯୁକ୍ତି ଓ ଛଟେଇକୁ ନେଇ ବଢ଼ୁଛି ଅସନ୍ତୋଷ; ସମାଧାନ ନ ମିଳିଲେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଚେତାବନୀ

୧୩ ବର୍ଷର ସେବା ପରେ ଆଡ୍ ହକ ଅଧ୍ୟାପକଙ୍କ ଭବିଷ୍ୟତ ଅନିଶ୍ଚିତ

ବେତନ ବୈଷମ୍ୟ, ସ୍ଥାୟୀ ନିଯୁକ୍ତି ଓ ଛଟେଇକୁ ନେଇ ବଢ଼ୁଛି ଅସନ୍ତୋଷ; ସମାଧାନ ନ ମିଳିଲେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଚେତାବନୀ

 ଭୁବନେଶ୍ୱର  – ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ କାର୍ଯ୍ୟରତ ଆଡ୍ ହକ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଆହୁରି ଗଭୀର ହୋଇଛି। ଦୀର୍ଘ ୧୩ ବର୍ଷର ସେବା ସତ୍ତ୍ୱେ ସ୍ଥାୟୀ ନିଯୁକ୍ତି ନ ମିଳିବା, ବେତନ ବୈଷମ୍ୟ ଏବଂ ସମ୍ପ୍ରତି ଘଟିଥିବା ଛଟେଇକୁ ନେଇ ଆଡ୍ ହକ ଅଧ୍ୟାପକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଅଧ୍ୟାପକମାନଙ୍କ କହିବା ଅନୁସାରେ, ୨୦୧୩ ମସିହାରେ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ନିୟମିତ ଚୟନ ପ୍ରକ୍ରିୟା ମାଧ୍ୟମରେ ୬୨୪ ଜଣ ଆଡ୍ ହକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ଦୁଇ ବର୍ଷ ସେମାନେ ମୂଳ ବେତନ ସହ ମହଙ୍ଗା ଭତ୍ତା ପାଇଥିଲେ। କିନ୍ତୁ ୨୦୧୬ ମସିହାରେ ସେମାନଙ୍କୁ କନ୍ସୋଲିଡେଟେଡ୍ ବେତନ ବ୍ୟବସ୍ଥାକୁ ଅଣାଯାଇ ମାସିକ ୩୧,୨୭୫ ଟଙ୍କା ପାରିଶ୍ରମିକ ନିର୍ଦ୍ଧାରଣ କରାଯାଇଥିଲା।

ଆଡ୍ ହକ ଅଧ୍ୟାପକମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ସେମାନଙ୍କ ପାରିଶ୍ରମିକ କେତେକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବେତନଠାରୁ ମଧ୍ୟ କମ୍ ରହିଛି। ଏହି ପ୍ରସଙ୍ଗରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ମସିହାରେ ‘ଶ୍ରାବଣୀ ମିଶ୍ର ବନାମ ଓଡ଼ିଶା ସରକାର’ ମାମଲାରେ ବେତନ ବୃଦ୍ଧି ଓ ଏରିଅର ସମ୍ପର୍କିତ ରାୟ ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନଥିବା ସେମାନେ ଦାବି କରିଛନ୍ତି।

ଏହାରି ମଧ୍ୟରେ ସ୍ଥାୟୀ ନିଯୁକ୍ତି ସମ୍ପର୍କିତ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାବେଳେ ପର୍ଯ୍ୟାୟକ୍ରମେ ଆଡ୍ ହକ ଅଧ୍ୟାପକଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ଉଠିଛି। ସମ୍ପ୍ରତି ୬ ଜଣ ଆଡ୍ ହକ ଅଧ୍ୟାପକଙ୍କୁ ଛଟେଇ ପରେ ଅନ୍ୟମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଏହି ପରିସ୍ଥିତିକୁ ନେଇ କେତେକ ଅଧ୍ୟାପକ ପ୍ରଶ୍ନ ଉଠାଇଛନ୍ତି ଯେ ସରକାରଙ୍କ ଏଭଳି ପଦକ୍ଷେପ ସାଧାରଣ ଲୋକଙ୍କ ସ୍ୱାର୍ଥ ସହ ସଙ୍ଗତିପୂର୍ଣ୍ଣ କି ନୁହେଁ।ଅଧ୍ୟାପକମାନଙ୍କ କହିବା ଅନୁଯାୟୀ, ଦୀର୍ଘ ୧୩ ବର୍ଷର ସେବା ପରେ ହଠାତ୍ ଚାକିରି ହରାଇବା ଅନେକ ପରିବାରକୁ ଆର୍ଥିକ, ସାମାଜିକ ଓ ମାନସିକ ସଙ୍କଟରେ ପକାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କ ଦୀର୍ଘଦିନର ଅବଦାନକୁ ବିଚାରକୁ ନେଇ ସରକାର ମାନବିକ ଓ ନ୍ୟାୟସଙ୍ଗତ ଦୃଷ୍ଟିକୋଣରୁ ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।

ସେମାନଙ୍କ ଚେତାବନୀ, ଯଦି ଶୀଘ୍ର ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ନ୍ୟାୟ ଦାବିରେ ଆଡ୍ ହକ ଅଧ୍ୟାପକମାନେ ଓଡ଼ିଶା ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିବେ ବୋଲି ଜଣାଇଛନ୍ତି।

Related posts

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

Sunil Chandra Nayak

‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

Sunil Chandra Nayak

Leave a Comment

error: Content is protected !!