ପଶ୍ଚିମବଙ୍ଗରେ ନୂତନ ଭାବେ ୫ଟି ଜିଲ୍ଲା ଗଠନ ସହିତ ବେଲଦାରେ ସବ୍ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତତ୍ପରତା: ଜଳେଶ୍ବରକୁ ସବଡିଭିଜନ ମାନ୍ୟତା କେବେ ?
ଜଳେଶ୍ଵର,୭/୭ (ମନିସ):ଓଡ଼ିଶା ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗର ବିଜେପି ସରକାର ଗତ ମଇ ମାସ ୯ ତାରିଖରେ ଦାୟିତ୍ବ ଗ୍ରହଣ କରିବାର ୪୮ ଦିନ ମଧ୍ୟରେ ଗତ ଜୁନ୍ ୨୨ ତାରିଖରେ ବିଧାନସଭାରେ ହୋଇଥିବା ବଜେଟ୍ ଅଧିବେଶନରେ ୫ ଟି ନୂତନ ଜିଲ୍ଲା ଯଥା କୋଲକାତା,ସୁନ୍ଦରବନସ୍,ଆରାମବାଗ, ଜାଙ୍ଗିପୁର ଓ ବସିରହାଟ ପ୍ରଭୁତି ଗଠନ ପାଇଁ ଘୋଷଣା କରିଛନ୍ତି।ପୂର୍ବରୁ ପଶ୍ଚିମବଙ୍ଗରେ ରହିଥିବା ୨୩ ଟି ଜିଲ୍ଲା ଏବେ ବୃଦ୍ଧି ପାଇ ୨୮ ଟି ଜିଲ୍ଲାରେ ପହଞ୍ଚିଛି।ମାତ୍ର ୧୯୯୩ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୩ ଟି ଜିଲ୍ଲାରୁ ୩୦ ଟି ଜିଲ୍ଲା ଗଠିତ ହେବା ପର ଠାରୁ ଦୀର୍ଘ ୩୩ ବର୍ଷ ବିତି ଯାଇଥିଲେ ମଧ୍ୟ ଓଡ଼ିଶାରେ ନା ନୂତନ ଜିଲ୍ଲା ଅଥବା ନୂତନ ସବ୍ ଡିଭିଜନ ଘୋଷଣା ହୋଇଛି।ସେଥିପାଇଁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ ଓ ରାଜ୍ୟ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ରାଜ୍ୟରେ ଗତ ଦୁଇ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥିବାରୁ ଓଡ଼ିଶା ବାସୀଙ୍କ ଆସ୍ଥା ଧୀରେ ଧୀରେ ରାଜ୍ୟ ସରକାରଙ୍କ ଉପରୁ କମିବାରେ ଲାଗିଛି। ଗତ ୭/୪/୨୦୧୭ ତାରିଖରେ ପଶ୍ଚିମବଙ୍ଗରେ ୧୯ ଟି ଜିଲ୍ଲା ବୃଦ୍ଧି ପାଇ ୨୩ ଟି ଜିଲ୍ଲା ହୋଇଥିଲା।ଅପରପକ୍ଷେ ପଶ୍ଚିମ ମେଦିନୀପୁର ଜିଲ୍ଲା ନାରାୟଣଗଡ଼ ବ୍ଲକ୍ର ବେଲଦାଠାରେ ସବ୍ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନର ଏକ ଟିମ୍ ଗତ ସପ୍ତାହରେ ବେଲଦା ଗସ୍ତ କରିଛି ଟିମ୍ରେ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ ବିଜିନ କ୍ରିଷ୍ଣା, ଖଡ଼ଗପୁର ସବଡିଭିଜନ୍ ସବ୍ ଡିଭିଜନ ଅଫିସର୍ ଜ୍ୟୋତି ଘୋଷ ଓ ନାରାୟଣଗଡ଼ ବିଧାୟକ ରମା ପ୍ରସାଦ ଗିରି ସାମିଲ ଥିଲେ। ଯାହା ଜଣାପଡ଼ିଛି,ଯେ ଏହି ଟିମ୍ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ବିଧାୟକ ଶ୍ରୀ ଗିରି କହିଛନ୍ତି, ଖୁବ୍ଶୀଘ୍ର ସବ୍ଡିଭିଜନ୍ ପ୍ରତିଷ୍ଠାନେଇ ବିଧିବଦ୍ଧ ଘୋଷଣା ହେବ।ଉଲ୍ଲେଖ ଥାଉ କି ନାରାୟଣଗଡ଼, କେସିଆଡ଼ି, ମୋହନପୁର, ଦାନ୍ତୁନ-୧ ଓ ଦାନ୍ତୁନ-୨ ପ୍ରଭୁତି ବ୍ଲକ୍କୁ ନେଇ ଏକ ନୂତନ ସବଡିଭିଜନ୍ ପ୍ରତିଷ୍ଠା କରିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ତେବେ ପଶ୍ଚିମବଙ୍ଗରେ ନୂଆ ବିଜେପି ସରକାର ଆସିବା ପରେ ନାରାୟଣଗଡ଼ର ନିବନିର୍ବାଚିତ ବିଧାୟକ ଶ୍ରୀ ଗିରି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |ତେବେ ଓଡ଼ିଶା ସୀମାଠାରୁ ମାତ୍ର କିଛି ଦୂର ବେଲଦାରେ ସବ୍ ଡିଭିଜନ୍ ପ୍ରତିଷ୍ଠା ପାଇଁ ଉଭୟ ପ୍ରଶାସନିକ ଓ ରାଜନୈତିକସ୍ତରରେ ତତ୍ପରତା ପ୍ରକାଶ ପାଉଥିବା ବେଳେ ଦୁଇ ଦଶନ୍ଧିର ଦାବି ପରେ ବି ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଜଳେଶ୍ଵରରେ ସବ୍ଡିଭିଜନ୍ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଉନି। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଳେଶ୍ବର ହେଉଛି ଉତ୍ତର ବାଲେଶ୍ବରର ଜଳେଶ୍ଵର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ର କେନ୍ଦ୍ରସ୍ଥଳ । ଜଳେଶ୍ଵରକୁ ରାଜ୍ୟ ରାଜପଥ, ଜାତୀୟ ରାଜପଥ ଓ ରେଳପଥ ସଂଯୋଗ ମଧ୍ୟ ରହିଛି। ଏଠାରେ ଏସ ଡି ପି ଓ କାର୍ଯ୍ୟାଳୟ,ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ସହକାରୀ ନର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟ ସମେତ ଏ.ଡି.ଜେ କୋର୍ଟ,ସବ୍ ଜଜ୍ କୋର୍ଟ,ଜଳେଶ୍ଵର ମୁଖ୍ୟ ଡାକଘର ପ୍ରଭୁତି ବହୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ରହିଛି।
ମୋଟାମୋଟି ଭାବେ ଏଠାରେ ସବ୍ଡିଭିଜନ୍ ପ୍ରତିଷ୍ଠା ପାଇଁ ସବୁପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ବେ ଦାବିକୁ ଗୁରୁତ୍ବ ଦିଆ ନ ଯିବା ପରିତାପର ବିଷୟ। ଉଲ୍ଲେଖ ଥାଉ କି ଜଳେଶ୍ବର, ଭୋଗରାଇ, ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରୁ ବାଲେଶ୍ଵର ସଦର ମହକୁମା ଦୂରତା ୧୦୦ କିମିରୁ ୧୨୦ କିମି ଫଳରେ ଲୋକଙ୍କୁ ଉପଯୁକ୍ତ ପ୍ରଶାସନିକ ସେବା ମିଳି ପାରୁ ନାହିଁ। ଯଦି ମିଳୁଛି, ତେବେ ବାଲେଶ୍ବର ଯିବା ପାଇଁ ଲୋକଙ୍କୁ ହଇରାଣ ସହ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଜଳେଶ୍ଵରରେ ସବ୍ଡିଭିଜନ୍ ହେଲେ ଏହିସବୁ ସମସ୍ୟାର ସମାଧାନ ହୋଇପାରିବ । ସେହିପରି ଉତ୍ତର ବାଲେଶ୍ବରରେ ଏକାଧିକ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ରାଇବଣିଆ ଭଳି ଅଞ୍ଚଳ ଜଙ୍ଗଲ ସମ୍ପଦରେ ଭରି ରହିଛି| ଜଳେଶ୍ଵରରେ ସବ୍ଡିଭିଜନ୍ ପ୍ରତିଷ୍ଠା ହେଲେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଇପାରିବେ ।ତେବେ ଓଡ଼ିଶାର ଡବଲ ଇଞ୍ଜିନ ସରକାର କେବେ ଜଳେଶ୍ଵରକୁ ସବଡିଭିଜନର ମାନ୍ୟତା ପ୍ରଦାନ କରିବେ ତାହା ଦେଖିବାକୁ ବାକି ରହିଲା ?
ସୁକୁମାର ରଣା ଙ୍କ ରିପୋର୍ଟ୍

