ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଯୋଗ ଫଇସଲାରେ ଅବହେଳା ବରଦାସ୍ତ ହେବନି : ୭ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ କଲେକ୍ଟରଙ୍କ କଡ଼ା ନିର୍ଦ୍ଦେଶ

ଅଭିଯୋଗ ଫଇସଲାରେ ଅବହେଳା ବରଦାସ୍ତ ହେବନି : ୭ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ କଲେକ୍ଟରଙ୍କ କଡ଼ା ନିର୍ଦ୍ଦେଶ

ଭବାନୀପାଟଣା – ତା. ୧୪.୦୭.୨୦୨୬ : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ୍ (OSWAN) ସମ୍ମିଳନୀ କକ୍ଷରେ ଆଜି ବିଭିନ୍ନ ପ୍ରକାରର ସରକାରୀ ଅଭିଯୋଗର ବକେୟା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା ଓ ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ,, ଅଭିଯୋଗ ଶାଖାର ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ଲମ୍ବୋଦର ନାଏକ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ସମୀକ୍ଷା ସମୟରେ ଜିଲ୍ଲାପାଳ CPGRAMS, ଜନଶୁଣାଣି ଅନ୍‌ଲାଇନ୍ (ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ), ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ, ରାଜ୍ୟପାଳଙ୍କ ଅଭିଯୋଗ, ବିଭାଗୀୟ ଅଭିଯୋଗ ଏବଂ ପ୍ରତି ସୋମବାର ଆୟୋଜିତ “ଯୁଗ୍ମ ଜନଶୁଣାଣି (କଲେକ୍ଟରଙ୍କ ଅଭିଯୋଗ ଶୁଣାଣି)” ରେ ଥିବା ବକେୟା ମାମଲାଗୁଡ଼ିକ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଅନେକ କାର୍ଯ୍ୟାଳୟରେ ଅଭିଯୋଗ ଦୀର୍ଘଦିନ ଧରି ବକେୟା ରହିଥିବାରୁ ଏହାକୁ ଜିଲ୍ଲାପାଳ ଗୁରୁତର ଭାବେ ଗ୍ରହଣ କରିଥିଲେ । ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ସମସ୍ତ ବକେୟା ଅଭିଯୋଗକୁ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରିବାକୁ ହେବ । ଅଭିଯୋଗ ନିଷ୍ପତ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଏହାର ନିୟମିତ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି ସତର୍କ କରି କହିଥିଲେ ଯେ, ପରବର୍ତ୍ତୀ ସମୀକ୍ଷା ବୈଠକ ସୁଦ୍ଧା ଯଦି କୌଣସି କାର୍ଯ୍ୟାଳୟରେ ଅବହେଳା କାରଣରୁ ଅଭିଯୋଗ ବକେୟା ରହିଥାଏ, ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ବିରୋଧରେ କଠୋର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ ଅଧିକାରୀଙ୍କ ବେତନ ମଧ୍ୟ ସ୍ଥଗିତ ରଖାଯାଇପାରେ । ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ ଯେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ଅଭିଯୋଗ ନିଷ୍ପତ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି ଏବଂ ଏହାର ନିୟମିତ ଓ କଡ଼ା ତଦାରଖ କରାଯିବ । ଅଭିଯୋଗର ତ୍ୱରିତ ନିଷ୍ପତ୍ତି ମାଧ୍ୟମରେ ସାଧାରଣ ଲୋକଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରିବା ହିଁ ଜିଲ୍ଲା ପ୍ରଶାସନର ପ୍ରମୁଖ ଲକ୍ଷ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ୍ ତାରରେ ଅକସ୍ମାତ ନିଆ ଲାଗି ବଡ ଧରଣ ଦୁର୍ଘଟଣା ରୁ ରକ୍ଷା ପାଇଲେ ଜନସାଧାରଣ

Sunil Chandra Nayak

ଅଗଷ୍ଟ କ୍ରାନ୍ତି ଦିବସ ଅଵସରରେ ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ୱାର୍ଲ୍ଡ ଏକ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ 

Leave a Comment

error: Content is protected !!