ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସଂକଳ୍ପ 

ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସଂକଳ୍ପ 

୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଓ ‘ସୁପୋଷିତ ଓଡ଼ିଶା’ ଗଠନରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା 

ବ୍ରହ୍ମପୁର, ୨୯/୦୭ : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି । ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଅଙ୍ଗନୱାଡି କର୍ମୀ ମାନଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସିଧାସଳଖ ବାର୍ତ୍ତାଳାପକରି ସେମାନଙ୍କ ସମସ୍ୟା ଶୁଣିବା ସହିତ ଗଠନମୂଳକ ପରାମର୍ଶ ନେଇଥିଲେ । ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ସେ ଅଙ୍ଗନୱାଡି କର୍ମୀ ମାନଙ୍କୁ ସଂକଳ୍ପ କରାଇଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଙ୍ଗନୱାଡ଼ି କର୍ମୀଙ୍କ ନିଷ୍ଠାକୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କ ଉଦ୍ୟମ ଯୋଗୁଁ କେବଳ ଗଞ୍ଜାମ ଜିଲ୍ଲାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା ଯୋଜନା’ର ଲାଭ ପାଇପାରିଛନ୍ତି। ଏହି ପରିଶ୍ରମ ପାଇଁ ସରକାର ୧୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରଦାନ କରୁଛନ୍ତି ଏବଂ ଭବିଷ୍ୟତରେ ଆହୁରି ଉତ୍ତମ କାର୍ଯ୍ୟ କଲେ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । କୋମଳ ଶିଶୁକୁ ପିତାମାତାମାନେ ଅଙ୍ଗନୱାଡ଼ି ଦିଦିଙ୍କ ଭରସାରେ ଛାଡ଼ୁଥିବାରୁ, ସେମାନେ କେବଳ ସ୍ୱେଚ୍ଛାସେବୀ ନୁହଁନ୍ତି ବରଂ ଦେଶର ଭବିଷ୍ୟତ ନିର୍ମାତା ବୋଲି ସେ କହିଥିଲେ ।ରାଜ୍ୟକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ଏକ ପ୍ରମୁଖ ଲକ୍ଷ୍ୟ। ତେଣୁ ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଖରାପ ମନେହେଲେ ତାହାକୁ ପ୍ରତ୍ୟାଖ୍ୟାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। କେନ୍ଦ୍ରଗୁଡ଼ିକରେ ଥିବା ଅଚଳ ଓଜନ ଓ ଉଚ୍ଚତା ମାପକ ଯନ୍ତ୍ର ଶୀଘ୍ର ବଦଳାଯିବା ସହ ପାନୀୟ ଜଳ, ବିଦ୍ୟୁତ୍, ପାଚେରୀ ଏବଂ ଶୌଚାଳୟ ଭଳି ମୌଳିକ ସମସ୍ୟା ଯେତେଶୀଘ୍ର ସମ୍ଭବ ସେତେ ଶୀଘ୍ର ଦୂର କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।   

ଉପମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ହିମୋଗ୍ଲୋବିନ୍ ସ୍ତରର ନିୟମିତ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେବା ସହ ମା’ମାନଙ୍କ ଶାରୀରିକ-ମାନସିକ ସୁସ୍ଥତା ପାଇଁ ସବୁ କେନ୍ଦ୍ରରେ ପ୍ରତିଦିନ ୧୫ ମିନିଟ୍ ଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । କର୍ମୀମାନଙ୍କ ମୋବାଇଲ୍ ରିଚାର୍ଜ ଓ ଇଣ୍ଟରନେଟ୍ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ବର୍ଦ୍ଧିତ ସାଇବର ଠକେଇରୁ ରକ୍ଷା ପାଇବା ପାଇଁ କାହା ସହ କୌଣସି ‘ଓଟିପି’ ସେୟାର ନ କରିବାକୁ ସେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସତର୍କ କରାଇଥିଲେ।ସମାଜର ଅସହାୟ, ବିଧବା ଓ ଏକାକୀ ମହିଳାଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ପ୍ରଶାସନିକ ସ୍ୱଚ୍ଛତା ପାଇଁ ୨/୩ ମାସ ବ୍ୟବଧାନରେ ସେ ନିଜେ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି କହିଥିଲେ। 

ବିଗତ ୨୫ ବର୍ଷର କୁପୋଷଣ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ‘ଟାର୍ଗେଟେଡ୍ ଟ୍ରାନ୍ସଫର୍ମେସନ୍’ ଅଧୀନରେ ଦୁର୍ବଳ କାର୍ଯ୍ୟଦକ୍ଷତା ଥିବା କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକର କାୟାକଳ୍ପ ପରିବର୍ତ୍ତନ କରାଯାଉଛି। ପ୍ରତ୍ୟେକ ବରିଷ୍ଠ ଅଧିକାରୀଙ୍କୁ ଗୋଟିଏ ଗୋଟିଏ କେନ୍ଦ୍ରର ‘ପୋଷଣ ଅଭିଭାବକ’ ଭାବେ ଦାୟିତ୍ୱ ଦିଆଯାଇଛି, ଯେଉଁମାନେ ସିଧାସଳଖ ସେଗୁଡିକର ତଦାରଖ କରିବେ। 

ସୁପରଭାଇଜର ପଦବୀ ପୂରଣ ସହ ମନିଟରିଂ କଡ଼ାକଡ଼ି କରାଯାଉଛି। କେବଳ ଖାଦ୍ୟ ନୁହେଁ, ଶିଶୁର ପ୍ରାଥମିକ ଶିକ୍ଷା ଓ ପରିମଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାଛଡ଼ା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଜରିଆରେ କିଶୋର-କିଶୋରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଅନଲାଇନ୍ ନିରାପତ୍ତା ସମସ୍ୟାର ସମାଧାନ ମଧ୍ୟ କରାଯାଉଛି।

୨୦୩୬ ମସିହା ସୁଦ୍ଧା ଏକ ‘ବିକଶିତ ଓଡ଼ିଶା’ ଏବଂ ‘ସୁପୋଷିତ ଓଡ଼ିଶା’ ଗଠନ ପାଇଁ ଅଙ୍ଗନୱାଡ଼ି କର୍ମୀମାନେ ନିଷ୍ଠାର ସହ କାମ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶ୍ଵଲ୍, ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜର ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଅଙ୍ଗନୱାଡ଼ିକର୍ମୀଙ୍କ ନିଷ୍ଠା ଓ ପରିଶ୍ରମର ଉଚ୍ଚପ୍ରଶଂସା କରିବା ସହିତ ଜିଲ୍ଲା ତଥା ରାଜ୍ୟରୁ କୁପୋଷଣ ଦୁରକରିବାରେ ଅଙ୍ଗନୱାଡ଼ିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ରହିଛି ବୋଲି ପ୍ରକାଶ କରିଥିଲେ । ଅଙ୍ଗନୱାଡ଼ିକର୍ମୀମାନଙ୍କ ଆଶାଆକାଂକ୍ଷା ପୂର୍ଣ୍ଣ କରିବା ପାଇଁ ସରକାର ସଦା ତତ୍ପର ବୋଲି ସେମାନେ କହିଥିଲେ ।ବୈଠକର ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସରକାର ଓ ସମାଜ ମଧ୍ୟରେ ଥିବା ‘ମୁଖ୍ୟ ସେତୁ’ ବୋଲି ଅଭିହିତ କରିଥିଲେ। ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସାକାର କରି ଗଞ୍ଜାମକୁ ସମ୍ପୂର୍ଣ୍ଣ ରୂପେ ‘ଅପପୁଷ୍ଟି ମୁକ୍ତ’ କରିବା ସହ ରାଜ୍ୟର ଏକ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଗର୍ଭବତୀ ମହିଳା, କିଶୋରୀ ଏବଂ ୧ ରୁ ୫ ବର୍ଷର ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଜିଲ୍ଲାରେ ଯେପରି କୌଣସି ଗୋଟିଏ ବି ଶିଶୁ ଖର୍ବକାୟ ବା କୃଶକାୟ ନ ରୁହନ୍ତି, ସେ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମ୍ମିଳନୀ ରେ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ସଚେତନତା ପାଇଁ ଏକ ଅଭିନୟର ପ୍ରଦର୍ଶନ କରା ଯାଇଥିଲା । ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ଶତାଧିକ ଅଙ୍ଗନୱାଡି କର୍ମୀଙ୍କ ସହିତ ସିଡ଼ିପିଓ ଓ ସୁପରଭାଇଜରମାନେ ଯୋଗ ଦେଇଥିଲେ ।

Related posts

ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ସାଧାରଣ ନିର୍ବାଚନ – ୨୦୨୪ : ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

masiha

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଙ୍କ ପତ୍ନୀ ବିୟୋଗ

masiha

Leave a Comment

error: Content is protected !!