ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଜିଲ୍ଲାର ସହର ଓ ଗାଁ ଗାଁରେ କଲବଲ କରୁଛି ମଶା, ୨- ବିଦ୍ୟାଳୟରେ ଅସୁସ୍ଥ,ଡାକ୍ତରଖାନାରେ ମୃତ , ଛାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି, ୩- ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦର ପୂଜ୍ଯ ପୂଜା ସମାରୋହ, ୪- ଢେଙ୍କାନାଳ ଛଦେଶ ଅଞ୍ଚଳବାସୀ ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର , ୫- ବ୍ରିଟିଶ ଅମଳର ଭାପୁର ଫାଣ୍ଡିକୁ ଥାନା ମାନ୍ୟତା କେବେ ?  ନାହିଁ କର୍ମଚାରୀଙ୍କ ବାସଗୃହ,ଅତ୍ୟାଧୁନିକ ଭିତ୍ତିଭୂମି

ଜିଲ୍ଲାର ସହର ଓ ଗାଁ ଗାଁରେ କଲବଲ କରୁଛି ମଶା,

କାଗଜରେ ସୀମିତ ସରକାରୀ ସଚେତନତା ପଡୁନି ମଶାତେଲ କି ବ୍ଲିଚିଂ ପାଉଡର ଘରେ ଘରେ ଥଣ୍ଡା,ଜ୍ଵର,କାଶ ଡେଙ୍ଗୁଜ୍ଵର ଆଶଙ୍କା

ଢେଙ୍କାନାଳ – ବନ୍ୟା ଛାଡିବା ପରେ ବି ବର୍ଷା ଲାଗି ରହିଛି। ଆଉ ଏହାର ଫାଇଦା ନେଇ ଢେଙ୍କାନାଳ ଜିଲ୍ଲାର ସହର,ବଜାର ସହ ବିଶେଷ ଭାବେ ୮ ଟି ବ୍ଳକର ସଦର,ଗଁଦିଆ,ଓଡାପଡ଼ା,ହିନ୍ଦୋଳ, ଭୁବନ,କାମାକ୍ଷାନଗର,ପରଜଙ୍ଗ,କଙ୍କଡ଼ାହାଡ଼ ଓ ୨୧୫ ଟି ପଞ୍ଚାୟତରେ ମଶା ରାଜ୍ କରୁଛି। ଘରେ ଘରେ ଜ୍ଵର,ଥଣ୍ଡା,କାଶ ଆରମ୍ଭ ହୋଇସାରିଲାଣି। ଡେଙ୍ଗୁର ଛାୟା ଘାରୁଛି। କିନ୍ତୁ ପ୍ରଶାସନ ଚିର ନିନ୍ଦ୍ରାରେ । ବର୍ଷା ଆଗରୁ ବୈଠକ ହେଲା,ଫାଇଲ ସରିଲା,ସଚେତନତା ରାଲି ବି ବାହାରିଲା। କିନ୍ତୁ ତାହା କାଗଜ ଓ ଫଟୋ ପର୍ଯ୍ୟନ୍ତ ସୀମିତ ରହିଲା। ବାସ୍ତବରେ କିଛି ବି ହେଲାନି । ବର୍ଷା ଋତୁ ଆରମ୍ଭରୁ ଡ୍ରେନ୍,ନାଳ ସଫା ହୋଇନି । ଫଳରେ ଗାଁ ଗାଁରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ରାସ୍ତା ଉପରେ ଦିନର ପର ଦିନ ପାଣି ଜମି ରହୁଛି। କୁଢ଼ କୁଢ଼ ଅଳିଆ ପଚି ପୂରା ଗନ୍ଧ ବାହାରୁଛି। ଅଧା ଭଙ୍ଗା ପାତ୍ର,ଖଣ୍ଡିଆ ଟାୟାର,ପ୍ଲାଷ୍ଟିକ ଡବାରେ ସ୍ଥିର ପାଣି ଜମି ମାଈ ଏଡିସ ମଶାର ବଂଶ ବୃଦ୍ଧି କରାଉଛି। ମଶା ତେଲ ନାଳ ନର୍ଦ ମାରେ ପଡୁନି । ଫଗିଂ ମେସିନ ବି କାମ କରୁନି । ସ୍ଵାସ୍ଥ୍ୟ ବିଭାଗରୁ ଆସୁଥିବା ବ୍ଲିଚିଙ୍ଗି ପାଉଡର ଓ ଗାମାସିନ ମଧ୍ଯ ଦୁର୍ନୀତିର ଶିକାର ହେଉଛି। ସ୍ଥାନୀୟ ଅଭିଯୋଗ – କିଛି ଦୁର୍ନୀତି ଖୋର କର୍ମଚାରୀ ସେସବୁ ବାଟମାରଣା କରୁଛନ୍ତି। ଖବର ଛପିବା ଡରରେ କେବଳ ଅଙ୍ଗନବାଡି କର୍ମୀଙ୍କୁ ଡାକି ଗୋIଟିଏ ଦୁଇଟି ଜାଗାରେ ଫଟୋ ଉଠାଇ ବ୍ଲିଚି ପକାଇ କାମ ସାରି ଦିଆଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୂମିକା ପ୍ରଶ୍ନ ବାଚୀ। ସଚେତନତା ନାଁରେ କେବଳ ମାଇକରେ ଘୋଷଣା। ମଶା ତେଲ,ବିଚି,ଫଗିଂ – କିଛିର ବ୍ୟବସ୍ଥା ନାହିଁ। ବ୍ଲକ ପ୍ରଶାସନ କହୁଛି ‘ଆମେ କରୁଛୁ’,କିନ୍ତୁ ବାସ୍ତବତାରେ ତାର ପ୍ରମାଣ ଶୂନ୍। ବୁଦ୍ଧିଜୀବୀଙ୍କ କହିବା – ‘ ଏମିତି ଚାଲିଲେ ଡେଙ୍ଗୁକୁ ଅଟକାଇ ହେବନି । ବରଂ ମହାମାରୀ ଆକାର ନେବ ।” ସ୍ୱଚ୍ଛତା ହିଁ ଡେଙ୍ଗୁ ନିରାକରଣର ପ୍ରଥମ ଔଷଧ। କିନ୍ତୁ ସେହି ସ୍ୱଚ୍ଛା ସ୍ୱଚ୍ଛତା କାର୍ଯ୍ୟକୁ ପ୍ରଶାସନ ଅଣଦେଖା କରୁଛି। ଲୋକମାନେ ଦାବି କରିଛନ୍ତିଯେ ତୁରନ୍ତ ଜିଲ୍ଲାର ସମସ୍ତ ସହର,ବଜାର ଏବଂ ଗାଁରେ ଡ୍ରେନ ସଫା,ମଶା ତେଲ ଛିଞ୍ଚା ଓ ଫଗିଂ କରାଯାଉ । ବ୍ଲିଚି ଓ ଗାମାସିନ ବିତରଣରେ ହେଉଥିବା ଦୁର୍ନୀତିର ତଦନ୍ତ ହେଉ। ଦୋଷୀ କର୍ମଚାରୀଙ୍କ ବିରୋଧ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ I ନଚେତ ଆଗାମୀ ଦିନରେ ଡେଙ୍ଗୁ ରୋଗୀ ସୃଷ୍ଟି ହେବାର ଅଶଙ୍କା ଦେଖା ଦେଉଛି। ପଞ୍ଚାୟତ ନିର୍ବାଚନ ଆଗରେ ଭୋଟ୍ ମାଟି ମାଗିବାକୁ ଅସିବା ପୂର୍ବରୁ ନେତା ଓ ପ୍ରଶାସନ ଏବେ ଲୋକଙ୍କ ଜୀବନ ବଞ୍ଚାନ୍ତୁ। ନଚେତ ମିଶା କାମୁଡାରେ ଜୀବନ ଯିବ,ଆଉ ଦାୟିତ୍ଵ ନେବ କିଏ ?

ବିଦ୍ୟାଳୟରେ ଅସୁସ୍ଥ,ଡାକ୍ତରଖାନାରେ ମୃତ , ଛାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବୁଧବାର ମଧ୍ୟାହ୍ନ ଭୋଜନ ପରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଗୁରୁବାର ତାଙ୍କ ପାର୍ଥିବ ଶରୀର ବିଦ୍ୟାଳୟକୁ ଅଣାଯାଇ ଶୋକ ପାଳନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଶବାଧାରରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପବିତ୍ର ସାଥୁଆ ମହାପାତ୍ର ଙ୍କ ପୁଅ ମଙ୍ଗରାଜ (୧୩) ଭୁବନ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ବୁଧବାର ମଧ୍ୟାହ୍ନ ଭୋଜନ ପରେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଓ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ, ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ତହସିଲଦାର ଜ୍ୟୋତିରୂପା ଶତପଥୀ, ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତା ପ୍ରିୟଦର୍ଶନୀ ପହଞ୍ଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣା ପଡିବ ବୋଲି କହିଥିଲେ । ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପାର୍ଥିବ ଶରୀରକୁ ଉଚ୍ଚ ବିଦ୍ୟାଳୟ ପରିସରକୁ ଅଣାଯାଇଥିଲା । ସେଠାରେ ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ସମେତ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଓ ପରିଚାଳନା କମିଟି ସଦସ୍ୟ ମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବିଦ୍ୟାଳୟ ତରଫରୁ ଶବ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପ୍ରକାଶଥାଉ କି ବାତ ରୋଗରେ ଉକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଭୁବନ ଥାନାରେ କେସ ନଂ ୧୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦର ପୂଜ୍ଯ ପୂଜା ସମାରୋହ

ଢେଙ୍କାନାଳ – ଅଖିଳ ଭାରତୀୟ ସାହିତ୍ଯ ପରିଷଦର ଢେଙ୍କାନାଳ ଜିଲ୍ଲା ଶାଖା ଓ ପାଲାଗାୟକ ପରିଷଦ, ଢେଙ୍କାନାଳ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ଯରେ ଏକ ପୂଜ୍ଯ ପୂଜା ସମାରୋହ ଢେଙ୍କାନାଳ ସହରସ୍ଥିତ ଶ୍ରୀଦଧିବାମନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍କଳର ଅନ୍ୟତମ ବରପୁତ୍ର ତଥା ସତ୍ଯବାଦୀ ପଞ୍ଚସଖା ଯୁଗର ସ୍ବନାମଧନ୍ଯ ବିନ୍ଧାଣୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଏବଂ ନିକଟରେ ପରଲୋକଗତ ଗାୟକ ରତ୍ନ ପଣ୍ଡିତ ଚରଣ ସ୍ବାଇଁ ଓ ଗାୟକ ଶେଖର ପଦ୍ମଶ୍ରୀ ଜଗନ୍ନାଥ ବେହେରାଙ୍କ ଉଦ୍ଦେଶ୍ଯରେ ଅନୁଷ୍ଠିତ ଏହି ପୂଜ୍ଯ ପୂଜା ଉତ୍ସବରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ ଢେଙ୍କାନାଳ ପାଲାଗାୟକ ପରିଷଦର ସମ୍ପାଦକ ଡ. ଧର୍ମାନନ୍ଦ ପୃଷ୍ଟି । ସାହିତ୍ଯ ପରିଷଦର ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ଇଂ ଲଳିତ ମୋହନ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପରିଡ଼ା ଉତ୍ସବର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ସଦସ୍ଯମାନେ ବରପୁତ୍ରମାନଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଘ୍ଯ ପ୍ରଦାନ ସହ ଦୀପ ଓ ଧୂପ ପ୍ରଜ୍ଜ୍ଵଳନ କରିଥିଲେ । ସାହିତ୍ଯ ପରିଷଦର ଢେଙ୍କାନାଳ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ପାଲାଗାୟକ ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ସ୍ତୋତ୍ର ପାଠ କରିବା ସହ ଦିବଂଗତ ଗାୟକ ସ୍ବର୍ଗତ ସ୍ଵାଇଁ ଓ ଗାୟକ ସ୍ବର୍ଗତ ବେହେରାଙ୍କ ସହିତ ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଚରିତ ଓ ସାହିତ୍ଯ କୃତି ଉପରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ । ଉପସ୍ଥିତ ସଦସ୍ଯମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ଗୀତିକବି ରାମଚନ୍ଦ୍ର ମହାଳିକ ଓ କବିଜ୍ଯୋତି ନିରଞ୍ଜନ ପତି ସ୍ବରଚିତ କବିତା ପାଠ ପୂର୍ବକ ଦିବଂଗତ ବରେଣ୍ଯ ସାଧକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ପାଲାଗାୟକ ପଦ୍ମନାଭ ଜେନା, କୁଳମଣି ବେହେରା, ଦିଲ୍ଲୀପ କୁମାର ରାଜ, ପ୍ରଶାନ୍ତ କୁମାର ବେହେରା, ଆଦିତ୍ଯ କୁମାର ବେହେରା ଓ ସତ୍ଯାନନ୍ଦ ବେହେରା ପରଲୋକଗତ ପାଲାଗାୟକମାନଙ୍କ ସହିତ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ପାଲାପ୍ରେମୀ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ବେହେରା, ପ୍ରମୋଦ କୁମାର ପରିଡ଼ା, ନିର୍ମଳା ମହାପାତ୍ର ଓ ମନୋରମା ସିଂହ ପ୍ରମୁଖ ବରପୁତ୍ରମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ଯ ବକ୍ତା ଡ. ଧର୍ମାନନ୍ଦ ପୃଷ୍ଟି ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ସଂକ୍ଷିପ୍ତ ଜୀବନୀ ଓ ପାଲା ପରିବେଷଣ ଶୈଳୀ ସମ୍ପର୍କରେ ଆଲୋକପାତ କରିବା ସହ ସେ ପାଲାରେ ଆଣିଥିବା ସଂସ୍କାର ଓ ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସବୁଠାରୁ ଗୌରବର ବିଷୟ ଥିଲା, ଢେଙ୍କାନାଳ ଜିଲ୍ଲାର ଗେଙ୍ଗୁଟିଆ ପାଲାମଞ୍ଚ ଗାୟକ ଶ୍ରୀଯୁକ୍ତ ବେହେରାଙ୍କୁ ଉତ୍କର୍ଷତାର ଚରମ ସୀମାରେ ପହଞ୍ଚାଇ ଥିଲା । ସଭାପତି ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପଟ୍ଟନାୟକ ମହାନ୍ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କର ବିବିଧ କୃତି ବିଷୟରେ ସାରଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ ଏବଂ ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଓ ପାଲାଗାୟକ ପରିଷଦ ଆନୁକୂଲ୍ଯରେ ଅନୁଷ୍ଠିତ ଏଭଳି ପୂଜ୍ଯ ପୂଜା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଦିଲ୍ଲୀପ କୁମାର ରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲା ପରେ ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ଶାନ୍ତିପାଠ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ

ଢେଙ୍କାନାଳ ଛଦେଶ ଅଞ୍ଚଳବାସୀ ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ ଗୋଟି ପଞ୍ଚାୟତ ସେଗୁଡ଼ିକ ହେଲା – ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ, ଗୋବିନ୍ଦପ୍ରସାଦକୁ ନେଇ ଛଦେଶ ଅଞ୍ଚଳ ଗଠିତ। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମାନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି,ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରଶାସନିକ,ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ଆମ୍ଭର ପୂରଣ ହେଲା ନାହିଁ। ଏହା ମଧ୍ୟରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ରିଲିଫ ମିଳିପାରିଲା ନାହିଁ। ଏଣୁ ଛଦେଶ ବ୍ଲକ ଗଠନ,ବିଜୁଳି ସମସ୍ୟା ସ୍ଥାୟୀ ସମାଧାନ,ଭାପୁର ତଥା ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଏବଂ ଷ୍ଟାପ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା,ଭାପୁର ଫାଣ୍ଡି ଥାନାର ମାନ୍ୟତା ଦେବା,ଭାପୁର ସାପୁଆ ନଦୀର ପୁନର ଉଦ୍ଧାର କରିବା,ଶଙ୍କରପୁର ଠାରୁ କୋତ୍ତମ ରାସ୍ତାର ମରାମତି,ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଛଦେଶ ଅଞ୍ଚଳବାସୀ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଏହାର ସମାଧାନ କରା ନଯାଏ ତେବେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଦାବୀ ପୂରଣ ହେବାଯାଏଁ ଭାପୁର ଠାରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ହୋଇଛି ବୋଲି ଚେତାବନୀ ଦେଇଛନ୍ତି। ଆମ୍ଭର ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ ପୂର୍ବକ ଆମ୍ଭ ଛଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆମ୍ଭ ଅଞ୍ଚଳବାସୀଙ୍କ ଆଶା ଓ ବିଶ୍ୱାସ ।

ବ୍ରିଟିଶ ଅମଳର ଭାପୁର ଫାଣ୍ଡିକୁ ଥାନା ମାନ୍ୟତା କେବେ ? 
ନାହିଁ କର୍ମଚାରୀଙ୍କ ବାସଗୃହ,ଅତ୍ୟାଧୁନିକ ଭିତ୍ତିଭୂମି

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନରେ ଥିବା ୧୯୨୬ ମସିହାରେ ଆଜିକୁ ୧୦୦ ବର୍ଷ ଭାପୁର ପୋଲିସ ଫାଣ୍ଡି ବ୍ରିଟିଶ ଅମଳରୁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ଥାନା ମାନ୍ୟତା ମିଳିନାହିଁ। ଦୀର୍ଘ ବର୍ଷର ଇତିହାସ ବହନ କରୁଥିବା ଏହି ଫାଣ୍ଡି ବର୍ତ୍ତମାନ ଛଦେଶ ଅଞ୍ଚଳର ଆଇନଶୃଙ୍ଖଳା ଦାୟିତ୍ବ ବହନ କରୁଥିବା ସତ୍ତ୍ବେ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧାର ଅଭାବ ଏବେ ଚିନ୍ତାର ବିଷୟ ପାଲଟିଛି। ଭାପୁର ବଜାର ପାଖ ୪୨ ନଂ ଜାତୀୟ ରାଜପଥ ରାସ୍ତା କଡରେ ଅବସ୍ଥିତ ଭାପୁର ଫାଣ୍ଡି ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ସହ ବ୍ୟାଙ୍କ,ବିଭିନ୍ନ ଦୋକାନ,ଶିକ୍ଷାନୁଷ୍ଠାନ,ଚିକିତ୍ସାଳୟ,ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକ‌ତା ରହିଛି। ବର୍ତ୍ତମାନ ଭାପୁର ଫାଣ୍ଡି ଅଧୀନରେ ପ୍ରାୟ ୧୨ଟି ପଞ୍ଚାୟତର ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ଵ ଜନସାଧାରଣ ରହିଛନ୍ତି। ଭାପୁର ବଜାର ଠାରୁ ସଦର ଥାନା ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଫାଣ୍ଡି ଉପରେ ଅଞ୍ଚଳର ୧୨ଟି ପଞ୍ଚାୟତ ସଦର ବ୍ଲକରେ ୮ଟି ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଭାଲିଆବୋଲକାଟେଣୀ,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା ଧୀରପାଟଣା,ଶଙ୍କରପୁର ଓ ଓଡ଼ାପଡ଼ା ବ୍ଲକ ଅଧୀନରେ ୪ ଟି ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦ ତଥା ପାମାଳ ଠାରୁ କୋଟବେରେଣୀକୁ ନେଇ ଛଦେଶ ଅଞ୍ଚଳ ଗଠିତ। ଫାଣ୍ଡି ଉପରେ ଭାପୁର ଛଦେଶ ଅଞ୍ଚଳବାସୀ ସମ୍ପୂର୍ଣ ନିର୍ଭର କରନ୍ତି। ତେବେ ଦିନକୁ ଦିନ ବଢ଼ୁଥିବା ଅପରାଧ,ବେଆଇନ ଦେଶୀ ମଦ କାରବାର,ତାସରେ ଜୁଆ ଖେଳ ଆଡ୍ଡା,ଚୋରା ଖଣି ଖନନ,ନିଶାଦ୍ରବ୍ୟ କାରବାର ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଫାଣ୍ଡି କରିବା ସୀମିତ କର୍ମଚାରୀ ମଧ୍ୟରେ କଷ୍ଟସାଧ୍ୟ ହୋଇପଡ଼ିଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଫାଣ୍ଡିରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ ଆବାସ ବା କ୍ରାର୍ଟର ବ୍ୟବସ୍ଥା ନାହିଁ। ଜରୁରୀ ପରିସ୍ଥିତିରେ ତୁରନ୍ତ ଡ୍ୟୁଟିରେ ଯୋଗଦେବାରେ ଅସୁବିଧା ସୃଷ୍ଟି ହେଉଛି। ପୋଲିସ କର୍ମଚାରୀଙ୍କ ପାଇଁ ଆବାସ ବ୍ୟବସ୍ଥା ନଥିବାରୁ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସେବା ପ୍ରଦାନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି ଏବଂ ଫାଣ୍ଡିଟି ସେଇ ଜରାଜୀର୍ଣ୍ଣ ହୋଇ ପୁରୁଣା ଆଜବେଷ୍ଟରେ ରହିଛି,ବର୍ତ୍ତମାନ ପରିସ୍ଥିତିରେ କେବଳ ଫାଣ୍ଡିଟି ଥାନା ମାନ୍ୟତା ପ୍ରଦାନ ସହ,ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ କ୍ୱାର୍ଟର,ଆଧୁନିକ ଭିତ୍ତିଭୂମି ଓ ଜନବଳ ବୃଦ୍ଧି ମଧ୍ୟ ସମାନ ଭାବେ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା,ବ୍ରିଟିଶ ଅମଳରୁ ହୋଇଥିବା ଏହି ଫାଣ୍ଡିକୁ ସମୟୋପଯୋଗୀ ଭାବେ ଥାନାରେ ଉନ୍ନୀତ କରାଯିବା ସହ ପୋଲିସ କର୍ମଚାରୀଙ୍କ ପାଇଁ ଆବାସ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଗଲେ ସମଗ୍ର ଅଞ୍ଚଳର ଆଇନଶୃଙ୍ଖଳା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ତେଣୁ ରାଜ୍ୟ ସରକାର ଓ ପୋଲିସ ମୁଖ୍ୟାଳୟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

masiha

ଡିଜେଲ୍-ପେଟ୍ରୋଲ୍ ସଙ୍କଟ : ହଇରାଣ ଟ୍ରକ ଚାଳକ ଓ ସାଧାରଣ ଲୋକ

ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!