ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଞ୍ଜୁରୀ ମିଳିଲା, କିନ୍ତୁ tender/ନିବିଦା ପ୍ରକ୍ରିୟାରେ ବିଳମ୍ବ: ଆଟିଗାଁ–ଡୋକ୍ରିପଡ଼ା ରାସ୍ତା ନିର୍ମାଣ କେବେ?

ମଞ୍ଜୁରୀ ମିଳିଲା, କିନ୍ତୁ tender/ନିବିଦା ପ୍ରକ୍ରିୟାରେ ବିଳମ୍ବ: ଆଟିଗାଁ–ଡୋକ୍ରିପଡ଼ା ରାସ୍ତା ନିର୍ମାଣ କେବେ?

ଜୁନାଗଡ଼:୭/୮(ମନୀ ସ)ବର୍ଷ ବର୍ଷ ଧରି ଅବହେଳିତ ହୋଇପଡ଼ିଥିବା ଆଟିଗାଁ–ତେଲ ନଦୀ ସେତୁ ସଂଯୋଗୀକରୁଥିବା କାଂପାନୁଛାନ–ଡୋକ୍ରିପଡ଼ା ପ୍ରାୟ ତିନି କିଲୋମିଟର ରାସ୍ତା ପାଇଁ ଶେଷରେ ଆଶାର ଆଲୋକ ଦେଖାଦେଇଛି। ଦୀର୍ଘଦିନର ଜନଦାବି, ସାଧାରଣ ଲୋକଙ୍କ ଲଗାତାର ଜନସ୍ୱାର୍ଥ ଅଭିଯାନ ପରେ ଏହି ରାସ୍ତାକୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା–ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ ଅଧୀନରେ ମଞ୍ଜୁର କରାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ୧୩ ମାର୍ଚ୍ଚ ୨୦୨୬ରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବୈଠକରେ ଏହି ରାସ୍ତାକୁ ପଞ୍ଚାୟତିରାଜ ବିଭାଗରୁ ଗ୍ରାମୀଣ କାର୍ଯ୍ୟ ବିଭାଗ ଅଧୀନକୁ ହସ୍ତାନ୍ତର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ବ୍ୟବହାରିକତା ପ୍ରତିବେଦନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପ୍ରସଙ୍ଗକୁ ନେଇ ସାମାଜିକ କର୍ମୀ ଡ଼. ଲୋକେଶ ଦୁର୍ଗା ଦୀର୍ଘଦିନ ଧରି ସାମାଜିକ ଗଣମାଧ୍ୟମ, ବିଭିନ୍ନ ଗଣମାଧ୍ୟମ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ବ୍ୟବସ୍ଥା ମାଧ୍ୟମରେ ଏହି ରାସ୍ତାର ଦୟନୀୟ ଅବସ୍ଥାକୁ ଉଠାଇ ଆସୁଥିଲେ। ଏହାର ପ୍ରତିଉତ୍ତରରେ ଗ୍ରାମୀଣ କାର୍ଯ୍ୟ ବିଭାଗ, ଭବାନୀପାଟଣା ପକ୍ଷରୁ ଜାରି ସରକାରୀ ପତ୍ରରେ ସ୍ପଷ୍ଟ କରାଯାଇଛି ଯେ ରାସ୍ତାଟି ଉକ୍ତ ଯୋଜନାରେ ମଞ୍ଜୁର ହୋଇଛି। ବିସ୍ତୃତ ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ହେବା ପରେ ନିବିଦା ପ୍ରକ୍ରିୟା ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସରକାରୀ ପତ୍ରରେ ଉଲ୍ଲେଖ ରହିଛି।

ବର୍ଷା ଋତୁରେ ଏହି ରାସ୍ତା ପ୍ରାୟ ଅଚଳ ହୋଇଯାଉଥିଲା। ବଡ଼ ବଡ଼ ଖାଦ, କାଦୁଅ ଓ ଭଙ୍ଗା ରାସ୍ତା ଯୋଗୁଁ ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଏବଂ ସାଧାରଣ ଲୋକ ପ୍ରତିଦିନ ଅସହ୍ୟ ଦୁର୍ଭୋଗ ଭୋଗୁଥିଲେ। ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା, କୃଷିଜାତ ଉତ୍ପାଦ ପରିବହନ ଓ ଦୈନନ୍ଦିନ ଯାତାୟାତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଥିଲା।

ଅଞ୍ଚଳବାସୀଙ୍କ ମତରେ, ଏହି ମଞ୍ଜୁରୀ ଦୀର୍ଘଦିନର ଜନଦାବି ଓ ଜନଆନ୍ଦୋଳନର ଏକ ଐତିହାସିକ ସଫଳତା। କିନ୍ତୁ ମଞ୍ଜୁରୀ ମିଳିବାର ବହୁ ଦିନ ପରେ ମଧ୍ୟ ନିବିଦା ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସେମାନଙ୍କ କହିବା କଥା, “କାଗଜପତ୍ରରେ ମଞ୍ଜୁରୀ ମିଳିଛି, କିନ୍ତୁ ରାସ୍ତାରେ କାମ କେବେ ଆରମ୍ଭ ହେବ, ସେହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ।”

ରାସ୍ତାଟି ନିର୍ମାଣ ହେଲେ ଆଟିଗାଁ ଅଞ୍ଚଳ ସମେତ ତେଲ ନଦୀ ସେତୁ ସଂଯୋଗୀ ଗ୍ରାମଗୁଡ଼ିକର ଯାତାୟାତ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ସାମଗ୍ରିକ ଗ୍ରାମୀଣ ଉନ୍ନତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ତେବେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ—ମଞ୍ଜୁରୀ ମିଳିସାରିଛି, କିନ୍ତୁ ଆଟିଗାଁ–ଡୋକ୍ରିପଡ଼ା ରାସ୍ତାର ଟେଣ୍ଡର ପ୍ରକ୍ରିୟା କେବେ ଶେଷ ହେବ ଏବଂ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ? ଏହାର ଉତ୍ତରକୁ ଏବେ ସମଗ୍ର ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ଡାବୁଗାଁରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ

masiha

ମହିଳାମାନଙ୍କ ଦ୍ଵାରା ରାଜନଗରରେ ଘରେଘରେ ସୁଭଦ୍ରା ସଚେତନତା ରାଲି ଅନୁଷ୍ଠିତ

masiha

Leave a Comment

error: Content is protected !!