ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦ୍‌ଘାଟିତ

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦ୍‌ଘାଟିତ

ରାଇରଙ୍ଗପୁର, ( ଅକ୍ଷୟ ବିଶ୍ବାଳ) – ୭/୦୮:  ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଏକ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଉଦ୍‌ଘାଟିତ ହୋଇଛି।

ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀଯୁକ୍ତ ଜଲେନ ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ନଗରପାଳ ଶ୍ରୀ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପ ଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ,ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ, ଭାରତର ଏଥେଲେଟିକ ଫେଡେରେସନର ସଭାପତି ତଥା ଓଡିଶା ଆଥେଲେଟିକ ଅସସିଏସନର ସଭାପତି ଡ଼ ଜି ଏସ ପଟ୍ଟନାୟକ, ଓଡିଶା ଏଥେଲେଟିକ ଆସୋସିଏସନ ସମ୍ପାଦକ ଅଭିଜିତ ପାଳ, ଉପସଭାପତି ଅଶୋକ ସାହୁ, ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନ ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଅନ୍ତର୍ଜାତୀୟ ଅଲମ୍ପିୟାଡ଼ ଖେଳାଳୀ ହାର୍ଡଲସ ରାଣୀ ଅନୁରାଧା ବିଶ୍ୱାଳ ଯୋଗ ଦେଇଥିଲେ ଏବଂ ଅନ୍ୟାନ୍ୟ ଅତିଥି,କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ।

ଉପଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ତାଙ୍କର ଅଭିବ୍ୟକ୍ତି ରଖିଥିଲେ।ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କନିଷ୍ଠ ବର୍ଗର ପ୍ରତିଭାବାନ ଦୌଡ଼କୁଦ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଦୌଡ଼, ଲମ୍ଫ, ନିକ୍ଷେପ ଓ ଅନ୍ୟାନ୍ୟ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି 

ଉଦ୍‌ଘାଟନୀ ସମାରୋହରେ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଏଭଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଯୁବ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ପ୍ରତିଭା ବିକାଶ ସହିତ ଶୃଙ୍ଖଳା, ଧୈର୍ଯ୍ୟ, ଦଳଗତ ମନୋଭାବ ଓ କ୍ରୀଡ଼ାସୁଲଭ ମନୋଭାବ ସୃଷ୍ଟି କରିଥାଏ। ଏହି ପ୍ରତିଯୋଗିତାରୁ ଆଗାମୀ ଦିନରେ ରାଜ୍ୟ ତଥା ଜାତୀୟସ୍ତରରେ ଓଡ଼ିଶାର ଗୌରବ ବଢ଼ାଇବା ପାଇଁ ଅନେକ ପ୍ରତିଭାବାନ କ୍ରୀଡ଼ାବିତ୍‌ ସୃଷ୍ଟି ହେବେ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ଅଧିକାରୀ ମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି।

ଆଗାମୀ ତିନି ଦିନ ଧରି ଚାଲିବାକୁ ଥିବା ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ କ୍ରୀଡ଼ାବିତ୍‌ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ରାଜ୍ୟର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବେ ବୋଲି ଆଶା ପୋଷଣ କରାଯାଇଛି।

ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଠ କ୍ରୀଡ଼ାବିତ ଶ୍ରୀ ପ୍ରବୋଧ କୁମାର ମହାନ୍ତି, ଶ୍ରୀ ଲାଲମୋହନ ମହାନ୍ତ, ଶ୍ରୀ ବୀରଧାନ ମାରାଣ୍ଡି, ଶ୍ରୀପ୍ରସାଦ ମହାନ୍ତ, ପୂର୍ଣ୍ଣିମା ହେମ୍ବ୍ରମ, ପୁଙ୍ଗା ସୋରେନ, କୁମାର ରଞ୍ଜନ ପଣ୍ଡା ଓ ଶ୍ରୀ ପ୍ରଦୀପ କୁମାର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାପରେ ପ୍ରତିଯୋଗିତାକୁ ଶୁଭାରମ୍ଭ ଉଦେଶ୍ୟରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିତା ପତାକାକୁ ଉତ୍ତୋଳନ କରିଥିଲେ ଏବଂ ମୁଖ୍ୟ ଅତିଥି ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ।

ସଭା ଶେଷରେ ଅତିରିକ୍ତ ଜିଲ୍ଲପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ବିଭିନ୍ନ ବିଭଗୀୟ ଅଧିକାରୀଙ୍କ ସହଯୋଗରେ ସୁଚାରୁ ରୂପେ ଚାଲିଛି।

Related posts

ଦାଦନ ଶ୍ରମିକର ଜଳିଗଲା ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Sunil Chandra Nayak

ତିର୍ତ୍ତୋଲ ଏସ.ଡି.ପି.ଓ, ଏବଂ ଅବକାରୀ ଅଫିସରଙ୍କୁ ନବବର୍ଷର ସୁଭେତ୍ସା

Sunil Chandra Nayak

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

masiha

Leave a Comment

error: Content is protected !!