ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଉପ-କାରାଗାରରେ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା’ ଅଭିଯାନ l ଅନ୍ତେବାସୀଙ୍କ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ

ଆସିକା ଉପ-କାରାଗାରରେ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା’ ଅଭିଯାନ l ଅନ୍ତେବାସୀଙ୍କ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ

ଆସିକା, ୯/୮/୨୬ (ଶିବ ଶଙ୍କର ମିଶ୍ର ) ନିଶାମୁକ୍ତ ସମାଜ ଗଠନର ମହତ୍ତ୍ୱପୂର୍ଣ୍ଣ ସଂକଳ୍ପକୁ ନେଇ ଆସିକା ଉପ-କାରାଗାର ପରିସରରେ ଏକ ପ୍ରେରଣାଦାୟକ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉପ-କାରାଗାର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଖଗେଶ୍ଵର ସିଂଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା, ରାଜଯୋଗ ଓ ନିଶାମୁକ୍ତିର ସନ୍ଦେଶ ଅନ୍ତେବାସୀମାନଙ୍କ ମଧ୍ୟରେ ପହଞ୍ଚାଯାଇଥିଲା।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଆସିକା ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତେବାସୀମାନଙ୍କୁ ଜୀବନ ପରିବର୍ତ୍ତନର ଏକ ନୂତନ ଦିଗ ଦେଖାଇଥିଲେ। ସେ କହିଥିଲେ ଯେ, ନିଶାରୁ ମୁକ୍ତି କେବଳ ଏକ ଅଭ୍ୟାସକୁ ଛାଡ଼ିବା ନୁହେଁ; ଏହା ନିଜ ଚିନ୍ତା, ଚେତନା ଓ ଜୀବନଶୈଳୀର ଏକ ସକାରାତ୍ମକ ପରିବର୍ତ୍ତନ। ସହଜ ରାଜଯୋଗ ଅଭ୍ୟାସ ମାଧ୍ୟମରେ ମନକୁ ଶାନ୍ତ, ସ୍ଥିର ଓ ଶକ୍ତିଶାଳୀ କରି ଶାରୀରିକ ଓ ମାନସିକ ସୁସ୍ଥତା ଲାଭ କରାଯାଇପାରିବ।

ସେ ଅନ୍ତେବାସୀଙ୍କୁ ନିଜ ଜୀବନରେ ନୂତନ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରି ପରିବାର ଓ ସମାଜର ଉତ୍ତରୋତ୍ତର ଉନ୍ନତିରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ। ଅଭିଯାନ ର ଏକ ପ୍ରମୁଖ ଅଂଶ ଭାବେ ସମସ୍ତ ଅନ୍ତେବାସୀଙ୍କୁ ବ୍ୟସନମୁକ୍ତ ଜୀବନ ଆପଣେଇବା ପାଇଁ ଶପଥପାଠ କରାଯାଇଥିଲା। ନିଶାମୁକ୍ତିର ଏହି ସଂକଳ୍ପ ମାଧ୍ୟମରେ ନିଜ ଜୀବନକୁ ନୂଆ ଭାବରେ ଗଢ଼ିବା ଏବଂ ପରିବାର ପ୍ରତି ନିଜର ଦାୟିତ୍ୱବୋଧକୁ ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା। ଉପ-କାରାଗାର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଖଗେଶ୍ଵର ସିଂ ତାଙ୍କ ବକ୍ତବ୍ୟରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଥିଲେ ଯେ,କାରାଗାର ରେ ଅନ୍ତେବାସୀମାନଙ୍କ ଜୀବନଶୈଳୀରେ ସୁଧାର ଆଣିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସକାରାତ୍ମକ ଚିନ୍ତନର ବିକାଶରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଅନ୍ତେବାସୀଙ୍କୁ ରାଜଯୋଗ ଅଭ୍ୟାସ ଦ୍ଵାରା ଆତ୍ମିକ ଚେତନାକୁ ଜାଗ୍ରତ କଲେ ମନରେ ଆତ୍ମବଳ ଓ ସକାରାତ୍ମକ ଚିନ୍ତନ ବୃଦ୍ଧି ପାଇବା ସହ ବ୍ୟସନରୁ ମୁକ୍ତ ହୋଇ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଆପଣେଇବା ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ରହ୍ମାକୁମାରୀ ସୁଜ୍ଞାନୀ ଅନ୍ତେବାସୀମାନଙ୍କୁ ସହଜ ରାଜଯୋଗର ପ୍ରାୟୋଗିକ ଅଭ୍ୟାସ କରାଇଥିଲେ।

ରାଜଯୋଗ ମାଧ୍ୟମରେ ଅନ୍ତେବାସୀଙ୍କ ମନରେ “ମୁଁ ବଦଳିପାରିବି, ମୋ ଜୀବନ ବଦଳିପାରିବ”—ଏହି ଆତ୍ମବିଶ୍ୱାସ ସ୍ରୁଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ସତ୍ୟ ପ୍ରିୟ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଉପ କାରାଗାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

Related posts

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟ

masiha

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

Leave a Comment

error: Content is protected !!