ମହାବିନାୟକଙ୍କ ଆଜ୍ଞାମାଳ ନେଇ ୨୧ତମ ଗଣେଶ ପୂଜାର ଶୁଭାରମ୍ଭ କଲା ପ୍ୟାଶନ କ୍ଲବ
ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ୍ -୪ ଏମ୍.ଏଲ୍.ଏ କଲୋନୀସ୍ଥିତ ଯୁବ ଅଗ୍ରଣୀ ଅନୁଷ୍ଠାନ ପ୍ୟାଶନ କ୍ଲବ ପକ୍ଷରୁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୨୧ତମ ବାର୍ଷିକ ଗଣେଶ ପୂଜାର ଶୁଭାରମ୍ଭ ଆଜ୍ଞାମାଳ ଗ୍ରହଣ ଓ ମାଟି ଅନୁକୂଳ କାର୍ଯ୍ୟକ୍ରମ ମାଧ୍ଯମରେ କରାଯାଇଛି।
ଏହି ଅବସରରେ ଚଣ୍ଡିଖୋଲସ୍ଥିତ ପ୍ରସିଦ୍ଧ ମହାବିନାୟକ ମନ୍ଦିରରେ କ୍ଲବର ସଦସ୍ୟମାନେ ପହଞ୍ଚି ପ୍ରଭୁ ମହାବିନାୟକଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଚଳିତ ବର୍ଷର ଗଣେଶ ପୂଜା ପାଇଁ ଆଜ୍ଞାମାଳ ଗ୍ରହଣ କରିଥିଲେ।
କ୍ଲବର ସଭାପତି ତପନ ପକ୍ଲାଇଙ୍କ ସଂଯୋଜନାରେ ଅନୁଷ୍ଠାନର ବରିଷ୍ଠ ଓ ଯୁବ ସଦସ୍ୟମାନେ ଏକାଠି ହୋଇ ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଚଳିତ ବର୍ଷ ପ୍ୟାଶନ କ୍ଲବର ଗଣେଶ ପୂଜାର ତୋରଣ ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଓଡ଼ିଶା ଆର୍ଟ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ବାରା କରାଯାଉଛି | ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ନୂଆ ଓ ଆକର୍ଷଣୀୟ ଥୁମ୍ ମାଧ୍ୟମରେ ଭୁବନେଶ୍ବରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ କ୍ଳବ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ପୂର୍ବରୁ ପ୍ୟାଶନ କ୍ଲବ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ଶ୍ରୀଗଜାନନ ବେଶର ବିଗ୍ରହକୁ ନନ୍ଦିଘୋଷ ରଥ ଉପରେ ପ୍ରଦର୍ଶନ କରିବା ସହ ଗତବର୍ଷ ପାଣି ବୋତଲ ଆକୃତିର ଆକର୍ଷଣୀୟ ତୋରଣ ନିର୍ମାଣ କରି ରାଜଧାନୀବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା I ଏହି ପରମ୍ପରାକୁ ଆଗକୁ ନେଇ ଚଳିତ ବର୍ଷ ମଧ୍ଯ କିଛି ନୂଆ ଓ ସୃଜନଶୀଳ ଚିନ୍ତାଧାରା ନେଇ ପୂଜା ଆୟୋଜନ କରାଯାଉଛି ।
ଆଜିର ମାଟି ଅନୁକୂଳ କାର୍ଯ୍ୟକ୍ରମରେ କାରିଗରମାନଙ୍କୁ ଆଜ୍ଞାମାଳ ପ୍ରଦାନ କରି ଆନୁଷ୍ଠାନିକ ଭାବେ ମୂର୍ତି ଓ ତୋରଣ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଆସନ୍ତା ଗଣେଶ ପୂଜାରେ ଭୁବନେଶ୍ୱରବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ମିଳିବ ବୋଲି କ୍ଲବର ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି |
ଏହି ଅବସରରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡା. ନାରାୟଣ ମହାପାତ୍ର, ସ୍ଥାନୀୟ ଯୁବ ସମାଜସେବୀ ନରେଜ ସାହୁ, କ୍ଲବର ଉପଦେଷ୍ଟା ମନୋଜ କୁମାର ରାଉଳ, ଉପସଭାପତି ପ୍ରଶାନ୍ତ ବଡୁ, ସହ-ସମ୍ପାଦକ କେଦାର ମହାରଣା, କୋଷାଧ୍ୟକ୍ଷ ଗୋପାଳ ଦାସଙ୍କ ସମେତ କ୍ଲବର ବରିଷ୍ଠ ଓ ଯୁବ ସଦସ୍ୟମାନେ ଉପସ୍ଥିତ ଥିଲେ I
ପ୍ୟାଶନ କ୍ଲବ ପକ୍ଷରୁ ଆସନ୍ତା ଗଣେଶ ପୂଜା ଅବସରରେ ସମସ୍ତ ଭୁବନେଶ୍ବରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରାଯାଇଛି I ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପ୍ରଦାନ କରନ୍ତୁ।
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

