ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗିଧମାଳରେ ୪ ମଦକୋଠି ବନ୍ଦ ଦାବି, ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ଗିଧମାଳରେ ୪ ମଦକୋଠି ବନ୍ଦ ଦାବି, ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତର ଗିଧମାଳ ଗ୍ରାମରେ ଚାଲୁଥିବା ଚାରିଟି ମଦକୋଠିକୁ ତୁରନ୍ତ ବନ୍ଦ କରିବା ଦାବିରେ ଗ୍ରାମବାସୀ ମୁହଁ ଖୋଲିଛନ୍ତି। ମଦକୋଠି ଗୁଡ଼ିକ ହସ୍ପିଟାଲ ଓ ବିଦ୍ୟାଳୟ ନିକଟରେ ରହିଥିବାରୁ ଗ୍ରାମର ପରିବେଶ ଓ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗିଧମାଳ ଗ୍ରାମରେ ଉଦ୍ଧବ ମେହେରଙ୍କ ମଦକୋଠି ହସ୍ପିଟାଲ ସମ୍ମୁଖରେ, ଗୌର ମେହେରଙ୍କ ମଦକୋଠି ମଧ୍ୟ ହସ୍ପିଟାଲ ସମ୍ମୁଖରେ, ଗୋବିନ୍ଦ ଭୋଇଙ୍କ ମଦକୋଠି ହସ୍ପିଟାଲ ପଛପଟେ ଏବଂ ଡିଙ୍ଗର ନାଗଙ୍କ ମଦକୋଠି ନୋଡାଲ ସ୍କୁଲ ପଛପଟେ ରହିଛି। ଏହି ସ୍ଥାନଗୁଡ଼ିକରେ ମଦ ବିକ୍ରି ହେଉଥିବାରୁ ବିଭିନ୍ନ ସମୟରେ ମଦ୍ୟପଙ୍କ ଭିଡ଼ ଓ ଉତ୍ପାତ ଦେଖିବାକୁ ମିଳୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ବିଶେଷକରି ହସ୍ପିଟାଲ ଓ ବିଦ୍ୟାଳୟ ନିକଟରେ ମଦକୋଠି ରହିବାକୁ ନେଇ ମହିଳା, ଝିଅ-ବୋହୂ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ମଦ୍ୟପାନ ଯୋଗୁଁ ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଥିବା ଏବଂ ଯୁବପିଢ଼ି ଉପରେ ଏହାର ଖରାପ ପ୍ରଭାବ ପଡ଼ୁଥିବା ମଧ୍ୟ ସେମାନେ କହିଛନ୍ତି।

ଏନେଇ ଗ୍ରାମବାସୀ ସିନାପାଲି ଥାନାଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ଥାନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିଥିବା ଗ୍ରାମବାସୀ କହିଛନ୍ତି।

ଅନ୍ୟପଟେ, ଅବକାରୀ ବିଭାଗ ନିକଟରେ ଅଭିଯୋଗ ଜଣାଇବା ପାଇଁ ଗ୍ରାମବାସୀ ଯାଇଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଏବଂ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି।ତେବେ ଗ୍ରାମବାସୀଙ୍କ ଦାବି ହେଉଛି, ଗିଧମାଳ ଗ୍ରାମରେ ଚାଲୁଥିବା ଚାରିଟି ମଦକୋଠିର ତୁରନ୍ତ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ହସ୍ପିଟାଲ ଓ ସ୍କୁଲ ନିକଟରେ ମଦ ବିକ୍ରିକୁ ନେଇ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ପ୍ରଶାସନ ଓ ଅବକାରୀ ବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛି, ତାହାକୁ ନେଇ ଗ୍ରାମବାସୀଙ୍କ ନଜର ରହିଛି।

Related posts

ଉତ୍କଳମଣି ସେବାସଂସ୍ଥାର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

masiha

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରାସ୍ତା ଅବସ୍ଥା ସୁଧୁରିବ କେବେ? ସୁଧାରିବ କିଏ?

Sunil Chandra Nayak

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!