ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ? ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ ! , ୨- ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

ଫୁଣ୍ଡା ଗ୍ୟାସ ବିତରଣ ଏଜେନ୍ସି କୁ ଅନୁକମ୍ପା କାହା ସ୍ଵାର୍ଥରେ ?

ସିଲିଣ୍ଡର ଜବତ ପରେ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୁନ !
ଏହାର ତଦନ୍ତ ହେବ : ଧର୍ମଗଡ଼ ଉପଜିଲ୍ଲାପାଳ

 ଜୁନାଗଡ଼୨୫/୮(ମନୀ ସ)ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ଦେଶରେ ଖାଉଟି ଗ୍ୟାସ ଯୋଗାଣକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି। ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନିଜର ଦୈନନ୍ଦିନ କାମ ଛାଡ଼ି ଏଜେନ୍ସିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଜୁନାଗଡ଼ ବ୍ଲକର ଅନେକ ଉପଭୋକ୍ତା ଗୋଲାମୁଣ୍ଡା ଅଞ୍ଚଳରେ ଥିବା ଭାରତ ଗ୍ୟାସ ଏଜେନ୍ସି ଉପରେ ନିର୍ଭରଶୀଳ। ଜୁନାଗଡ଼ରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂର ଯାତ୍ରା କରି ଲୋକେ ସକାଳୁ ଏଜେନ୍ସିରେ ପହଞ୍ଚୁଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଅନେକ ସମୟରେ ଗ୍ୟାସ ନମିଳିବାରୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଛି। ସ୍ଥାନୀୟ ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ଗୋଟିଏ ଗ୍ୟାସ ସିଲିଣ୍ଡର ପାଇବାକୁ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଜୁନାଗଡ଼ର କିଛି ଦୋକାନକୁ ରାତି ସମୟରେ ଗ୍ୟାସ ସିଲିଣ୍ଡର ଯୋଗାଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏହା ଯୋଗୁଁ ସାଧାରଣ ଉପଭୋକ୍ତା ଗ୍ୟାସ ପାଇବାରୁ ବଞ୍ଚିତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ର ଭାରତୀ ଗ୍ୟାସ ଏଜେନ୍ସି ପକ୍ଷରୁ ଏକ ପିକଅପ ଗାଡି ଖାଉଟି ଗ୍ୟାସ ଜୁନାଗଡ଼ କୁ ଚୋରାଚାଲାଣ ହେଉଥିଲା । କୌଣସି ମତେ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଜୁନାଗଡ଼ରେ ପିକଅପ ଗାଡିକୁ ଧରିବାରେ ସଫଳ ହେବା ସହ ୭୮ ଟି ସିଲିଣ୍ଡର କୁ ଜବତ କରିଥିଲେ । ସେଥିମଧ୍ୟରୁ ୨ ଟି ସିଲିଣ୍ଡର ଡ୍ୟାମେଜ ଥିବା ବେଳେ ୧୯ ଟି ଖାଲି ସିଲିଣ୍ଡର ଓ ବାକି ୫୪ ଟି ଫୁଲ ସିଲିଣ୍ଡର ଥିଲା । ଯୋଗାଣ ବିଭାଗ ଗାଡିକୁ ପୁଲିସକୁ ଜିମା ଦେଇଥିବା ବେଳେ ଗ୍ୟାସ ସିଲିଣ୍ଡରକୁ ମୁଣ୍ଡରାଗୁଡା ଗ୍ୟାସ ଏଜେନ୍ସିକୁ ଜିମା ଦେଇଥିବା ଜଣାଯାଏ । ପରିତାପର ବିଷୟ ବେଆଇନ ଗ୍ୟାସ ଜବତ କରିବାର ୪୮ ଘଣ୍ଟା ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଏଜେନ୍ସି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅନ୍ୟ ପକ୍ଷରେ ବ୍ଲକ ଯୋଗାଣ ନିରୀକ୍ଷକ ଓ ଉପଖଣ୍ଡ ଯୋଗାଣ ଅଧିକାରୀ ଫୁଣ୍ଡା ସ୍ଥିତ ଭାରତୀ ଗ୍ୟାସ ଏଜେନ୍ସି ର ସିଲିଣ୍ଡର ବୋଲି ଜାଣିଥିଲେ ସୁଦ୍ଧା ସମ୍ପୃକ୍ତ ଏଜେନ୍ସିକୁ ସିଲ ନ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କେଵଳ ତଦନ୍ତ ଚାଲିଛି ବୋଲି ବୁଆଁ ବୁଲାଉଥିବା ଅଭିଯୋଗ ହୁଏ । ଏ ସଂପର୍କରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଥିଲେ । ଏହାର ଏକ ନିରପେକ୍ଷ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ରାକ୍ଷୀ ପର୍ବ ପୂର୍ବରୁ ଜୁନାଗଡ଼ରେ ଚଢ଼ାଉ: ୩୫ କେଜି ବାସି ଖାଦ୍ୟ ନଷ୍ଟ, ୨୦୦ କେଜି ପଲିଥିନ୍ ଜବତ

ଜୁନାଗଡ଼,୨୫।୮( ମନୀସ) ଆଗାମୀ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ, ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇଛି। ପର୍ବପର୍ବାଣୀ ସମୟରେ ମିଠା ଓ ପନିର ଭଳି ସାମଗ୍ରୀର ଚାହିଦା ବଢୁଥିବାରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତା ପାଇଁ ଏହି ବିଶେଷ ଅଭିଯାନ ହୋଇଥିଲା।ଏହି ଅଭିଯାନରେ ସହରର ପ୍ରାୟ ୨୪ଟି ଖାଦ୍ୟ ପ୍ରତିଷ୍ଠାନ ଓ ମିଠା ଦୋକାନରେ ଖୋଳତାଡ଼ କରାଯାଇଥିଲା। ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପ୍ରାୟ ୩୫ କିଲୋଗ୍ରାମ ବାସି ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କୃତ୍ରିମ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଚିହ୍ନଟ ହୋଇଥିଲା। ଏହି ସବୁ ସାମଗ୍ରୀ ବ୍ୟବହାର ଅନୁପଯୁକ୍ତ ହୋଇଥିବାରୁ ଟିମ୍ ପକ୍ଷରୁ ତାହାକୁ ତୁରନ୍ତ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି। ସେହିପରି ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କ ଠାରୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଧାରା ୬୯ ଅନୁଯାୟୀ ମୋଟ ୯,୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ପନିରରେ ମିଶ୍ରଣ ହେଉଥିବା ଷ୍ଟାର୍ଚ୍ଚ (ଭେଜାଲ) ଚିହ୍ନଟ ପାଇଁ ୭ଟି ପ୍ରତିଷ୍ଠାନରୁ ପନିର ସଂଗ୍ରହ କରାଯାଇ ‘ରାପିଡ୍ ଆୟୋଡିନ୍ ପରୀକ୍ଷା’ କରାଯାଇଥିଲା। ତେବେ ସମସ୍ତ ୭ଟି ଯାକ ନମୁନା ନେଗେଟିଭ୍ ଆସିଥିଲା, ଅର୍ଥାତ୍ ସେଥିରେ ଷ୍ଟାର୍ଚ୍ଚ ମିଳିନଥିଲା। ଏହା ସହିତ ଅଧିକ ବିସ୍ତୃତ ଯାଞ୍ଚ ପାଇଁ ମିଠା ଓ ପନିର ସମେତ ଆଉ ୮ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଲ୍ୟାବ୍‌କୁ ପଠାଯାଇଛି। ଖାଦ୍ୟ ସହିତ ପରିବେଶ ଓ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶାସନ ନଜର ରଖିଥିଲା। ଜୁନାଗଡ଼ ଏନଏସି ଟିମ୍ ପକ୍ଷରୁ ବିଭିନ୍ନ ଦୋକାନରୁ ପ୍ରାୟ ୨୦୦ କିଲୋଗ୍ରାମ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ଏବଂ ବ୍ୟାନ୍ ହୋଇଥିବା ପଲିଥିନ୍ ଜବତ କରାଯାଇଛି। ନିୟମ ଭାଙ୍ଗି ଏହାକୁ ବ୍ୟବହାର କରୁଥିବା ୧୨ ଜଣ ବ୍ୟବସାୟୀଙ୍କ ଠାରୁ ୫,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ସ୍ପେଶାଲ ଡ୍ରାଇଭ୍‌ରେ କଳାହାଣ୍ଡି ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ନାଏକ, ଜୁନାଗଡ଼ ଏନଏସିର ସାନିଟେସନ୍ ଏକ୍ସପର୍ଟ ବାଳକୃଷ୍ଣ ବଞ୍ଜାରା, ଖାଦ୍ୟ ନିରାପତ୍ତା ସହାୟକ ରାଜୀବ ଲୋଚନ ରଣା, ଜୁନାଗଡ଼ ଥାନାର ଏସ୍‌ଆଇ ତପନ କୁମାର କାଲୋଙ୍କ ସମେତ ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗର କର୍ମଚାରୀମାନେ ସାମିଲ ଥିଲେ। ପର୍ବପର୍ବାଣୀ ସମୟରେ ଗ୍ରାହକମାନେ ଯେପରି ଶୁଦ୍ଧ ଓ ନିରାପଦ ଖାଦ୍ୟ ପାଇପାରିବେ, ସେଥିପାଇଁ ବ୍ୟବସାୟୀମାନଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

Sunil Chandra Nayak

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!