ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଣୁପୁରରେ ନିଶାମୁକ୍ତ ସମାଜ ଗଠନ ପାଇଁ ଆଧ୍ୟାତ୍ମିକ ସଚେତନତା ଅଭିଯାନ

ଗୁଣୁପୁରରେ ନିଶାମୁକ୍ତ ସମାଜ ଗଠନ ପାଇଁ ଆଧ୍ୟାତ୍ମିକ ସଚେତନତା ଅଭିଯାନ

ଗୁଣୁପୁର: ନିଶାମୁକ୍ତ, ସୁସ୍ଥ ଓ ମୂଲ୍ୟବୋଧଭିତ୍ତିକ ସମାଜ ଗଠନ ଉଦ୍ଦେଶ୍ୟରେ ଗୁଣୁପୁରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ର ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଷ୍ଠାନରେ ଧାରାବାହିକ ଭାବେ ଆଧ୍ୟାତ୍ମିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ‘ନିଶାମୁକ୍ତ ପ୍ରତିଜ୍ଞା ଅଭିଯାନ’ ଓ ପବିତ୍ର ‘ରକ୍ଷାବନ୍ଧନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଶୃଙ୍ଖଳିତ, ସୁସ୍ଥ ଓ ଆଧ୍ୟାତ୍ମିକ ଜୀବନଶୈଳୀ ଆପଣେଇବା ପାଇଁ ଏହି ଅଭିଯାନରେ ଆହ୍ୱାନ ଦିଆଯାଇଥିଲା।

ବ୍ରହ୍ମାକୁମାରୀଙ୍କ ଆଧ୍ୟାତ୍ମିକ ଜ୍ଞାନରେ ଅନୁପ୍ରାଣିତ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଯୁବପିଢ଼ିଙ୍କୁ ଆତ୍ମଜ୍ଞାନ ଓ ଆଧ୍ୟାତ୍ମିକ ମାର୍ଗ ଆପଣେଇବା ପାଇଁ ପ୍ରେରିତ କରିଥିଲେ।ଗୁଣୁପୁର ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ସଞ୍ଚାଳିକା ଭଗିନୀ ଗୀତା ରକ୍ଷାବନ୍ଧନର ଆଧ୍ୟାତ୍ମିକ ରହସ୍ୟ ଓ ଏହାର ଗଭୀର ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ। ପବିତ୍ରତା, ପରସ୍ପର ସମ୍ମାନ, ଭାଇଚାରା ଓ ଆଧ୍ୟାତ୍ମିକ ଚେତନାର ବିକାଶରେ ରକ୍ଷାବନ୍ଧନର ଗୁରୁତ୍ୱ ସମ୍ପର୍କରେ ସେ ବୁଝାଇଥିଲେ।

୨୨ ଅଗଷ୍ଟ ୨୦୨୬ରେ କୁଜେନ୍ଦ୍ରୀସ୍ଥିତ SSD ହାଇସ୍କୁଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।୨୩ ଅଗଷ୍ଟ ୨୦୨୬ରେ ଗୁଣୁପୁର ସେବା ସମାଜରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

୨୪ ଅଗଷ୍ଟ ୨୦୨୬ରେ ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କ୍ରମରେ ୨୬ ଅଗଷ୍ଟ ୨୦୨୬ରେ ବଂଶଧାରା ମହାବିଦ୍ୟାଳୟ, ଗୁଣୁପୁରରେ ମଧ୍ୟ ନିଶାମୁକ୍ତ ପ୍ରତିଜ୍ଞା ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଓ ସମ୍ପାଦକ ଲକ୍ଷ୍ମୀ ମୋହନ କୁଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସେ ଭଗିନୀ ରୀତାଙ୍କଠାରୁ ଈଶ୍ୱରୀୟ ଉପହାର (Godly Gift) ଗ୍ରହଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଉପାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।

ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ବୁଦ୍ଧିଜୀବୀମାନେ ଯୋଗଦେଇ ନିଶାମୁକ୍ତ, ସୁସ୍ଥ ଓ ସୁସଂସ୍କୃତ ସମାଜ ଗଠନ ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖି ଶୃଙ୍ଖଳିତ, ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନାଭିତ୍ତିକ ଜୀବନ ଆପଣେଇବା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

Sunil Chandra Nayak

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

masiha

ହାପି ମୋମେଣ୍ଟସ ର ଆନ୍ତର୍ଜାତିକ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!