ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl
ବୈଠକ ଆରମ୍ଭରେ ଜିଲ୍ଲାପାଳ କହିଥିଲେ ଯେ, ତହସିଲ ଓ ରାଜସ୍ୱ ପ୍ରଶାସନ ହେଉଛି ଜିଲ୍ଲା ପ୍ରଶାସନର ମୁଖମଣ୍ଡଳ। ତେଣୁ ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ, ସମ୍ବେଦନଶୀଳ ଓ ଗତିଶୀଳ କରିବା ସହ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସେ ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଖରିଆର ରୋଡ୍ରେ ସଦ୍ୟ ସମାପ୍ତ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସମନ୍ୱିତ ଭାବେ ନିୟମ ଉଲ୍ଲଂଘନ ବିରୋଧରେ ପଦକ୍ଷେପ ଜାରି ରଖିବାକୁ କହିଥିଲେ। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ପରିବହନ କରୁଥିବା ଯାନଗୁଡ଼ିକ ଉପରେ ସିଟି ଆଣ୍ଡ ଜିଏସ୍ଟି ବିଭାଗ, ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରମାନେ ମିଳିତ ଭାବେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଜିଲ୍ଲାରେ କୃଷକ ପଞ୍ଜୀକରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ତହସିଲଦାରମାନେ ନିୟମିତ ଭାବେ ଫାର୍ମର ରେଜିଷ୍ଟ୍ରି ସମ୍ବନ୍ଧୀୟ ବୈଠକ କରିବାକୁ କୁହାଯାଇଥିଲା।ଅବୈଧ ଖଣି ଅଞ୍ଚଳରେ ନିଷେଧାଦେଶ ଜାରି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ବ୍ୟକ୍ତିଗତ ଗାର୍ଡ ଫାଇଲ୍ ଠିକ୍ ଭାବେ ସଂରକ୍ଷଣ କରିବାକୁ କୁହାଯାଇଥିଲା।ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ଦିଗରେ ଜମିଜମା ରେକର୍ଡ ସଂଶୋଧନ ଓ ମ୍ୟୁଟେସନ୍ ମାମଲାର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଅଗଷ୍ଟ ୨୦୨୬ ସୁଦ୍ଧା ଜିଲ୍ଲାର ୫ଟି ତହସିଲରେ ମୃତ ଖାତାଧାରୀଙ୍କ ଖାତା ସମ୍ବନ୍ଧୀୟ ରେକର୍ଡ ଅଫ୍ ରାଇଟ୍ସ (ଆର୍ଓଆର୍) ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ମୋଟ ୨୫,୫୧୫ଟି ମୃତ ଖାତା ଚିହ୍ନଟ ହୋଇଥିବା ବେଳେ ୨୩,୯୪୧ଟି ମାମଲାରେ ଆର୍ଓଆର୍ ଅଦ୍ୟତନ/ନିଷ୍ପତ୍ତି କରାଯାଇଛି। ଏହି କାର୍ଯ୍ୟର ସାମଗ୍ରିକ ଅଗ୍ରଗତି ୯୩.୮୩ ପ୍ରତିଶତ ରହିଛି।ଶିକ୍ଷାନୁଷ୍ଠାନଙ୍କ ଜମି ଅଧିକାର ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଜିଲ୍ଲାରେ ଅଗ୍ରଗତି ହୋଇଛି। ୫ଟି ତହସିଲରେ ମୋଟ ୯୯୬ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ୪୨୮ଟି ଶିକ୍ଷାନୁଷ୍ଠାନକୁ ଆର୍ଓଆର୍ ପ୍ରଦାନ କରାଯାଇଛି। ଅବଶିଷ୍ଟ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଆଯାଇଛି।ପରିବହନ ବିଭାଗର ରାଜସ୍ୱ ଆଦାୟ ଓ ପ୍ରବର୍ତ୍ତନ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା। ଅଗଷ୍ଟ ୨୦୨୬ରେ ଆର୍ଟିଓ, ନୂଆପଡ଼ା ପକ୍ଷରୁ ୧ କୋଟି ୧୭ ଲକ୍ଷ ୨ ହଜାର ୯୪୧ ଟଙ୍କା ରାଜସ୍ୱ ଆଦାୟ ହୋଇଛି, ଯାହା ମାସିକ ଲକ୍ଷ୍ୟର ୯୦.୦୨ ପ୍ରତିଶତ। ଅଗଷ୍ଟ ପର୍ଯ୍ୟନ୍ତ ପ୍ରଗତିଶୀଳ ଆଦାୟ ୫ କୋଟି ୯୬ ଲକ୍ଷ ୭୦ ହଜାର ୬୭୪ ଟଙ୍କା ରହିଛି।
ହେଲମେଟ୍ ବ୍ୟବହାର ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଏନ୍ଏସିଗୁଡ଼ିକ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ହେଲମେଟ୍ ବ୍ୟବହାର ନେଇ ସଚେତନତାମୂଳକ ଘୋଷଣା କରିବାକୁ କୁହାଯାଇଥିଲା।
ରାଜସ୍ୱ ଆଦାୟ ସମ୍ବନ୍ଧୀୟ ବିଭିନ୍ନ ବିଭାଗର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିରେ ଏସ୍ଜିଏସ୍ଟି ଆଦାୟରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୩୪.୩୧ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା। ସେହିପରି ଓଜନ ଓ ପରିମାପ ବିଭାଗ ପକ୍ଷରୁ ଅଗଷ୍ଟ ୨୦୨୬ରେ ୧,୪୭୫ଟି ନିୟମିତ ଯାଞ୍ଚ ଓ ୧,୦୮୪ଟି ଓଜନ ଓ ପରିମାପ ଯାଞ୍ଚ/ମୋହର ଦିଆଯାଇଥିବା ବେଳେ ମୋଟ ୭ ଲକ୍ଷ ୫୨ ହଜାର ୧୫୫ ଟଙ୍କା ଫି’ ଆଦାୟ ହୋଇଛି।ବୈଠକରେ ରାଜସ୍ୱ ପ୍ରଶାସନରେ ଉଲ୍ଲେଖନୀୟ ସହଯୋଗ, ସକ୍ରିୟ ଭୂମିକା, ଉତ୍ତମ ସମନ୍ୱୟ, ସଚ୍ଚୋଟତା ଓ ଜନସ୍ୱାର୍ଥମୂଳକ କାର୍ଯ୍ୟ ପାଇଁ ନୂଆପଡ଼ା ତହସିଲର ଲଖନ ରାଉତଙ୍କୁ ‘ରାଜସ୍ୱ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡିଏଫ୍ଓ (ପ୍ରାନ୍ତୀୟ ) ଅଜିଜ୍ ଖାନ୍, ଡେପୁଟି ଜ଼ିଲ୍ଲାପାଳ (ରାଜସ୍ୱ) ସୁଚିସ୍ମିତା ମହାଉତି, ଡେପୁଟି ଜ଼ିଲ୍ଲାପାଳ (ନିର୍ବାଚନ) ଶେଖ୍ ନସିମ୍, ସମସ୍ତ ତହସିଲଦାର, ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

