ଘର ଭିତରୁ ସୁନାଗହଣା ବ୍ୟବସାୟୀଙ୍କ ମାଆଙ୍କ ବେକରୁ ପ୍ରାୟ ସାଢେ଼ ତିନି ଲକ୍ଷ ଟଙ୍କାର ସୁନା ଚେନ ଲୁଟ କଲେ ଦୁର୍ବୃତ୍ତ
ରାଇରଙ୍ଗପୁର: ଦିନକୁ ଦିନ ରାଇରଙ୍ଗପୁର ସହରରେ ଚୋରି ଲୁଟ ଛିନତାଇ ଭଳି ଘଟଣା ବଢ଼ିବାରେ ଲାଗିଛି। ଦିନ ଦ୍ବିପହରରେ ପୋଲିସ କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଲୁଟ୍ କରୁଛନ୍ତି ଲୁଟେରା। କେତେବେଳେ ବାଇକ ଡିକି ଭାଙ୍ଗି ଟଙ୍କା ପଇସା ଲୁଟ କରୁଛନ୍ତି ତ କେତେବେଳେ କାହାର ଘରେ ପଶି ତାଲା ଭାଙ୍ଗି ଚୋରି କରୁଛନ୍ତି। ପୁଣି କେତେବେଳେ କୌଣସି ମହିଳା ଙ୍କୁ ଏକୁଟିଆ ପାଇ ପିନ୍ଧିଥିବା ସୁନା ଚେନ ଓ ଟଙ୍କା ପଇସା ଲୁଟ କରୁଛନ୍ତି
ଦୁର୍ବୃତ୍ତ। ତେବେ ପୁଣି ଥରେ ରାଇରଙ୍ଗପୁର ସହରରେ ଏପରି କିଛି ଲୁଟ ଘଟଣା ସାମ୍ନା କୁ ଆସିଛି। ଏଥର ଦୁର୍ବୃତ୍ତ ଘରେ ପଶି ଜଣେ ବୃଦ୍ଧା ଙ୍କ ଠାରୁ ସୁନା ଚେନ ଲୁଟ କରି ଖସି ପଳେଇ ଯିବାରେ ସକ୍ଷମ ହୋଇଛନ୍ତି। ରାଇରଙ୍ଗପୁର ସହରର ପ୍ରତିଷ୍ଠିତ ସୁନାଗହଣା ବ୍ୟବସାୟୀ କାମେଶ୍ବର ପରିଡ଼ା ଙ୍କ ଅଁଳାଡୁବା ସ୍ଥିତ ବାସଭବନରୁ ସୁନା ଚେନ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ସେ ପୁଣି ସାଢେ଼ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଚେନ। ଆଜି ଦିନ ପାଖାପାଖି ୧୦ ଟା ସମୟରେ ଉକ୍ତ ବ୍ୟବସାୟୀ ଙ୍କ ବୃଦ୍ଧା ମାଆ ରୁକ୍ମଣୀ ପରିଡ଼ା ଗାଧୁଆ ପାଧୁଆ ସାରି ଘର ଭିତରେ ଲୁଗା ଶୁଖାଉଥିଲେ। ସେ ସମୟରେ ଜଣେ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ହେଲମେଟ ପିନ୍ଧି ତାଙ୍କ ଘର ସାମନାରେ ଛିଡ଼ା ହୋଇଥିଲା। ରୁକ୍ମଣୀ ପରିଡ଼ା ଙ୍କୁ ଏକୁଟିଆ ଦେଖି ଦୁର୍ବୃତ୍ତ ଜଣକ ତାଙ୍କ ଘରେ ପଶି ତାଙ୍କ ମୁହଁକୁ ଚାପି ରଖି ପିନ୍ଧିଥିବା ସୁନା ଚେନ ଟି ନେଇ ସେଠାରୁ ଖସି ପଳାଇ ଯାଇଥିଲା। ପରେ ରୁକ୍ମଣୀ ପରିଡ଼ା ଚିଲ୍ଲେଇବାରୁ ଘରେ ଥିବା ବୋହୁ, ନାତି ଓ ନାତୁଣୀ ଆସି ଯାଇଥିଲେ। ତେବେ ସେ ପିନ୍ଧିଥିବା ପ୍ରାୟ ୨୭ ଗ୍ରାମ ଓଜନର ଏକ ସୁନା ଚେନ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଦୁର୍ବୃତ୍ତ ଜଣକ ଲୁଟ କରିବା ପରେ ରାଇରଙ୍ଗପୁର ଗୋଶାଳା ରାସ୍ତାରେ ପଳେଇ ଯାଇଥିବାର ସୂଚନା ରହିଛି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୁଅ କାମେଶ୍ବର ପରିଡ଼ା ରାଇରଙ୍ଗପୁର ଟାଉନ ଥାନା ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ତନାଘନା ଆରମ୍ଭ କରିଛି। ତେବେ ଦିନ ୧୦ ଟା ସମୟରେ ରାଇରଙ୍ଗପୁର ସହରର ୱାର୍ଡ ନଂ ୧୦ ରେ ଘରେ ପଶି ଜଣେ ୭୦ ବର୍ଷର ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଛିନତାଇ କରି ଖସି ପଳେଇ ଯିବା ରାଇରଙ୍ଗପୁର ସହରରେ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଥିବା ବେଳେ ଯଥାଶୀଘ୍ର ଏଭଳି ଦୁର୍ବୃତ୍ତ ମାନଙ୍କ ଉପରେ ଲଗାମ ଲଗେଇବା ପାଇଁ ଦାବି ହୋଇଛି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

