ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ। କଂଗ୍ରେସ ଓ ବିଜେଡିର ବିକାଶ ବିରୋଧୀ ଆଭିମୁଖ୍ୟକୁ କଡ଼ା ନିନ୍ଦା….

ବିଜେପି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କଂଗ୍ରେସ ଓ ବିଜେଡିର ବିକାଶ ବିରୋଧୀ ଆଭିମୁଖ୍ୟକୁ କଡ଼ା ନିନ୍ଦା….

ବିଜେପି କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ଏସ୍. ଏନ୍. କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ମୂଖ୍ୟ ଅତିଥି ରୁପେ ଯୋଗ ଦେଇଛନ୍ତି।ଏଥିରେ ଶାରଦା ପ୍ରସାଦ ଶତପଥୀ,ରାଜ୍ୟ ସାଧାରଣ ସମ୍ପାଦକ, ଶିବାଜୀ ମହାନ୍ତି ରାଜ୍ୟ ଉପସଭାପତି,ଭବେନ୍ଦ୍ର ପଣ୍ଡା,ରାଜ୍ୟ ଉପସଭାପତି,ସୁଜିତ୍ କୁମାର ରାଜ୍ୟ ସଭା ସାଂସଦ,ମାଳବିକା ଦେବୀ ,ଲୋକସଭା ସାଂସଦ,ସୁଧୀର ରଞ୍ଜନ ପଟ୍ଟଯୋଷି ବିଧାୟକ,ହିମାଂଶୁ ଶେଖର ମେହେର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ,ଯୁଗଳ କିଶୋର ପୋଡ଼ ଜିଲ୍ଲା ସଭାପତି,ଧନଞ୍ଜୟ ପାତ୍ର ପୂର୍ବତନ ଜିଲ୍ଲା ସଭାପତି,ସୁନୀଲ କୁମାର ବେହେରା – ପୂର୍ବତନ ଜିଲ୍ଲା ସଭାପତି,ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି,ଦେବେନ୍ଦ୍ର ମହାନ୍ତି ପୂର୍ବତନ ଜିଲ୍ଲା ସଭାପତି,ଶେଷଦେବ ବେହେରା ପୂର୍ବତନ ଜିଲ୍ଲା ସଭାପତି,ନମିତା ରାଣୀ ସାହୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇ ମୋଦି ସରକାର ଓ ମୋହନ ମାଝୀ ସରକାରଙ୍କୁ କୃତଜ୍ଞତା ଜଣାଇ କଂଗ୍ରେସ ଓ ବିଜେଡିର ବିକାଶ ବିରୋଧୀ ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଥଲେ।

ଏହି ବୈଠକରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରଙ୍କ ଐତିହାସିକ ଜନକଲ୍ୟାଣ ତଥା ବିକାଶମୂଳକ କାର୍ଯ୍ୟକୁ ସାଧୁବାଦ ଜଣାଇ ଦୁଇଟି ଧନ୍ୟବାଦ ପ୍ରସ୍ତାବ ଏବଂ ବିରୋଧୀ କଂଗ୍ରେସ ଓ ବିଜେଡିର ଦେଶ ତଥା ରାଜ୍ୟ ବିରୋଧୀ ଆଚରଣ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।  

ପ୍ରସ୍ତାବ ନଂ-୧: ଯୁଗାନ୍ତକାରୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତ ଆଜି ୭.୮% ଆର୍ଥିକ ଅଭିବୃଦ୍ଧି ହାର ସହ ବିଶ୍ୱର ବୃହତ୍ ଅର୍ଥନୀତି ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି। ବୈଠକରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ବିକାଶ ଯାତ୍ରାକୁ ପ୍ରଶଂସା କରାଯାଇଛି:  

ଜନକଲ୍ୟାଣ ଓ ସେବା: ଅନ୍ତୋଦୟ ନୀତି ବଳରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି, ୪ କୋଟିରୁ ଅଧିକ ପକ୍କା ଘର, ୬୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ସୁବିଧା, ୩ କୋଟିରୁ ଊର୍ଦ୍ଧ୍ୱ ‘ଲକ୍ଷପତି ଦିଦି’ ଏବଂ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି।  

ସୁରକ୍ଷା ଓ ଭିତ୍ତିଭୂମି: ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗରେ ଦେଶକୁ ନକ୍ସଲମୁକ୍ତ କରାଯାଇଛି। ୧୬୪ଟି ବନ୍ଦେ ଭାରତ ଟ୍ରେନ୍, ୨୨ଟି ସହରରେ ମେଟ୍ରୋ, ଅଟଳ ଟନେଲ, ଚେନାବ୍ ଓ ପମ୍ବନ ସେତୁ ଭଳି ବୃହତ ପ୍ରକଳ୍ପ ଦେଶକୁ ଆଗେଇ ନେଉଛି। ଭିତ୍ତିଭୂମି ଖର୍ଚ୍ଚ ବାର୍ଷିକ ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଛି।  

ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି: ରେଳବାଇ, ସେମିକଣ୍ଡକ୍ଟର, ଶିକ୍ଷା, ଜାତୀୟ ରାଜପଥ, ବନ୍ଦର ଓ ଜାହାଜ ନିର୍ମାଣ ଆଦି କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ଖୋଲା ହୃଦୟରେ ସହାୟତା ଯୋଗାଇ ଦେଇଛନ୍ତି।  

ପ୍ରସ୍ତାବ ନଂ-୨: ଲୋକାଭିମୁଖୀ ଶାସନ ଓ ସମୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା

୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସଂକଳ୍ପ ସହ କାର୍ଯ୍ୟ କରୁଥିବା ମୋହନ ମାଝୀ ସରକାରଙ୍କ ଗତ ଦୁଇ ବର୍ଷର କାର୍ଯ୍ୟକାଳ ରାଜ୍ୟ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି:  

କୃଷି ଓ କୃଷକ କଲ୍ୟାଣ: ଧାନର ସର୍ବନିମ୍ନ ସମର୍ଥନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ, ସିଏମ୍ କିଷାନ ଯୋଜନାରେ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ, ୧୦୦ଟି ମଡେଲ ମଣ୍ଡି, ୨୦ ବର୍ଷ ଧରି ବନ୍ଦ ଥିବା ବଡ଼ମ୍ବା ଓ ନୟାଗଡ଼ ସମବାୟ ଚିନି କଳର ପୁନରୁଦ୍ଧାର ଏବଂ ରେକର୍ଡ ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି।  

ମହିଳା ଓ ସାମାଜିକ ସୁରକ୍ଷା: ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ ୫ଟି କିସ୍ତିରେ ୨୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ମୁଣ୍ଡପିଛା ଚାଉଳ ୫ କେଜିରୁ ୧୦ କେଜିକୁ ବୃଦ୍ଧି କରାଯାଇଛି। ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା କ୍ଷେତ୍ରରେ ୭.୧୨ ଲକ୍ଷ ହିତାଧିକାରୀଙ୍କୁ ସାଚୁରେସନ୍ ମୋଡ୍‌ରେ ଭତ୍ତା ପ୍ରଦାନ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ତଥା ୮୦%ରୁ ଅଧିକ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦିଆଯାଉଛି।  

ସ୍ୱାସ୍ଥ୍ୟ ଓ ଶିକ୍ଷା: ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩.୪୬ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି। ରାଜ୍ୟରେ ୮ଟି ନୂତନ ନର୍ସିଂ କଲେଜ, ୩ଟି ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ୍ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ହୋଇଛି। ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ସହ କେଜିରୁ ପିଜି ପର୍ଯ୍ୟନ୍ତ ଟ୍ୟୁସନ ଫି’ ସମ୍ପୂର୍ଣ୍ଣ ଛାଡ଼, ୪ଟି ନୂଆ ବିଶ୍ୱବିଦ୍ୟାଳୟ ଏବଂ ୧୮ଟି ନୂଆ ସରକାରୀ କଲେଜ ଖୋଲାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି ମଞ୍ଜୁର ହୋଇଛି।ଭିତ୍ତିଭୂମି, ଶିଳ୍ପ ଓ ନିଯୁକ୍ତି: ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୦,୧୧୦ କିମି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ, ଅନ୍ତୋଦୟ ଗୃହ ଯୋଜନାରେ ୧.୬୦ ଲକ୍ଷ ପରିବାରକୁ ଗୃହ ସହାୟତା, ୩୧୮ଟି ‘ଅଟଳ ବସଷ୍ଟାଣ୍ଡ’ ମଧ୍ୟରୁ ୮୦ଟି କାର୍ଯ୍ୟକ୍ଷମ। ଶିଳ୍ପ କ୍ଷେତ୍ରରେ ୨୪ ଲକ୍ଷ କୋଟିର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଏବଂ ୯ଟି ଏଚ୍ଏଲ୍‌ସିଏ ବୈଠକରେ ୯.୫୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ଦ୍ୱାରା ୩,୧୦,୮୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।  

ପ୍ରସ୍ତାବ ନଂ-୩: କଂଗ୍ରେସ ଓ ବିଜେଡିର ବିକାଶ ବିରୋଧୀ ମନୋଭାବ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ

କାର୍ଯ୍ୟକାରିଣୀ ବୈଠକରେ ବିରୋଧୀ କଂଗ୍ରେସ ଓ ବିଜେଡିର ନକରାତ୍ମକ ଏବଂ ବିଭାଜନକାରୀ ରାଜନୀତିକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି:  

ସ୍ୱାଧୀନତା ଦିବସରେ କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ପ୍ରତି ଅବମାନନା ପ୍ରଦର୍ଶନ ଏବଂ ସଂସଦରେ ମହିଳା ଆରକ୍ଷଣ ବିଲ୍‌କୁ ବିରୋଧ କରିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ।  

ଭାରତୀୟ ସେନା, ବାୟୁସେନା, ସିବିଆଇ, ନ୍ୟାୟାଳୟ, ଇଭିଏମ୍ ଏବଂ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନ ଉପରେ କଂଗ୍ରେସ-ବିଜେଡି ପକ୍ଷରୁ ବାରମ୍ବାର ମିଥ୍ୟା ଆରୋପ ଲଗାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି।  

ପୂର୍ବତନ ବିଜେଡି ସରକାର ସମୟରେ ଘଟିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ତଦନ୍ତ କମିଶନ ଫାଇଲ୍‌କୁ ଜାଣିଶୁଣି ଗାଏବ କରିବା ଘଟଣା ଉପରେ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।  

ରାଜ୍ୟରେ କଂଗ୍ରେସ ଦଳ ବିଜେଡିର ‘ବି-ଟିମ୍’ ଭାବେ କାର୍ଯ୍ୟ କରୁଛି। ନିକଟରେ ଓଡ଼ିଶାର ୯ଟି ଜିଲ୍ଲାରେ ହୋଇଥିବା ବନ୍ୟା ବିପର୍ଯ୍ୟୟକୁ ନେଇ ବିଜେଡି ନେତାମାନେ ଯେଉଁ ହାଲୁକା ଓ ତୁଚ୍ଛ ରାଜନୀତି କରୁଛନ୍ତି, ତାହା କ୍ଷତିଗ୍ରସ୍ତ ଲୋକଙ୍କ ଜଖମରେ ଲୁଣ ଦେବା ସଦୃଶ ବୋଲି ବୈଠକରେ କୁହାଯାଇଛି।  

ଡବଲ-ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ ବିକାଶ ଧାରାକୁ କଳାହାଣ୍ଡି ଜିଲ୍ଲାର ପ୍ରତିଟି ଘରେ ପହଞ୍ଚାଇବା ଏବଂ ବିରୋଧୀଙ୍କ ଅପପ୍ରଚାରକୁ ଉଚିତ୍ ଜବାବ ଦେବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ବୈଠକରେ ସାଂସଦ ସୁଜିତ୍ କୁମାର ଓ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷି ଆହ୍ୱାନ ଦେଇଥିଲେ ।

ଜିଲ୍ଲା ସଭାପତି ଶ୍ରୀ ଯୁଗଳ କଶୋର ପୋଡ଼ ସମସ୍ତେ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଦଳର ନିର୍ଦ୍ଦେଶ କୁ ପାଳନ କରି ଲୋକ ସମ୍ପର୍କକୁ ଜୋରଦାର କରିବା ସହ ଆଗାମୀ ଦିନରେ ଜିଲ୍ଲା ପରିଷଦ ଗଠନ ଓ ପୌର ନିର୍ବାଚନ କୁ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ପାଳିତ

masiha

ସାମ୍ବାଦିକ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ

Sunil Chandra Nayak

ଅଳ୍ପକେ ବଞ୍ଚିଗଲା ପରିବାରର ୪ ଜଣଙ୍କ ଜୀବନ 

masiha

Leave a Comment

error: Content is protected !!