ନବରଙ୍ଗପୁରରେ ‘ମେଗା ସଦସ୍ୟତା ଅଭିଯାନ ସମ୍ୱନ୍ଧ ଯୋଜନା ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ନବରଙ୍ଗପୁର,l:(୨୫.୦୯.୨୦୨୬)(ରବି ନାରାୟଣ ମହାନ୍ତି)ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ *ମେଗା ସଦସ୍ୟତା ଅଭିଯାନ ସମ୍ୱନ୍ଧ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଛି।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ସମବାୟ ସଂସ୍ଥା ପକ୍ଷରୁ ନିର୍ମିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରାଯିବା ସହ ନୂତନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଏଥିସହ ସମବାୟ ବିଭାଗରେ ନିଯୁକ୍ତି ପାଇଁ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ମିଶନ ଶକ୍ତି ହଲ୍ଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ବାଇଁ, ପୂର୍ବତନ ମାନ୍ୟବର ସାଂସଦ ପର୍ଶୁରାମ ମାଝୀ, ସମବାୟ ବିଭାଗର ଅଧିକାରୀବୃନ୍ଦ, ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟା, ବିଭିନ୍ନ ବିଭାଗର ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ପୂର୍ବରୁ ଉପସ୍ଥିତ ଅତିଥି ଓ ବିଭାଗୀୟ ଅଧିକାରୀମାନେ ସମବାୟ ଆନ୍ଦୋଳନର ଗୁରୁତ୍ୱ, ଏହାର ଉଦ୍ଦେଶ୍ୟ ଏବଂ ସାମାଜିକ ଓ ଆର୍ଥିକ ବିକାଶରେ ସମବାୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସମବାୟ ବ୍ୟବସ୍ଥା ସହିତ ଯୋଡ଼ିବା, ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଏବଂ ସଦସ୍ୟମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବା ଦିଗରେ ‘ମେଗା ସଦସ୍ୟତା ଅଭିଯାନ’ର ଗୁରୁତ୍ୱ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ନିଜ ଅଞ୍ଚଳର ସ୍ଥାନୀୟ ସମବାୟ ସମିତିରେ ସଦସ୍ୟତା ଗ୍ରହଣ କରି ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବାରେ ସହଭାଗୀ ହେବା ପାଇଁ ଆହ୍ୱାନ କରାଯାଇଥିଲା।ସମବାୟ ମାଧ୍ୟମରେ ସାମୂହିକ ଅଂଶଗ୍ରହଣ, ପରସ୍ପର ସହଯୋଗ, ଆର୍ଥିକ ସଶକ୍ତିକରଣ ଓ ସ୍ଥାନୀୟ ବିକାଶକୁ ଆଗକୁ ବଢ଼ାଇବା ଦିଗରେ ଏହି ‘ମେଗା ସଦସ୍ୟତା ଅଭିଯାନ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

