ରାତିରେ ବ୍ୟବହାର ହେଉଛି ଅଟଳ ବସଷ୍ଟାଣ୍ଡ
ଆସିକା, ୩୦/୯/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ସଦରମହକୁମା ରେ ଆଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ବସଷ୍ଟାଣ୍ଡ ଯାତ୍ରୀ ପରିବହନ ସେବାଠାରୁ ଦୂରେଇ ଯାଇଥିବା ଲକ୍ଷ୍ୟ କରାଯାଉଛି । ରଙ୍ଗିନ ରଙ୍ଗରେ ସଜେଇ ହୋଇଥିବା ଏହି ବସଷ୍ଟାଣ୍ଡ ଯାତ୍ରୀ ଙ୍କୁ ସେବା ପ୍ରଦାନ କରିପାରୁନାହିଁ । ବର୍ତ୍ତମାନ ସୁଦ୍ଧା ଭିତରର ଇଣ୍ଟେରିଅର ଡେକୋରେଟ କାମ ସରିପରିନାହିଁ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅତ୍ୟନ୍ତ ବେପରୁଆ ଓ ତରବର ଭାବେ ସଂପ୍ରତି ଧରାକୋଟ ବଡଦାଣ୍ଡ ସାହିରେ ରାତ୍ରିରେ ରହୁଥିବା ପାଞ୍ଚ ଗୋଟି ମୁଖ୍ୟମନ୍ତ୍ରୀ ବସ ( ଲକ୍ଷ୍ମୀ ବସ) କୁ ଅଟଳ ବସଷ୍ଟାଣ୍ଡ ରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଯାହାଫଳରେ ବସ ଗୁଡିକ ବସଷ୍ଟାଣ୍ଡ ରୁ ସକାଳୁ ବାହାରି ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ରାତ୍ରିରେ ପୁଣି ଫେରି ବସଷ୍ଟାଣ୍ଡ ଭିତରେ ରହୁଛି । ଆଶ୍ଚର୍ଯ୍ୟର କଥା ବି ଡି ଓ ଙ୍କ ଅଧୀନରେ ବସସେବା ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଯାତ୍ରୀ ପରିବହନ ସେବାକୁ ସୁଗମ ପାଇଁ ଗୁରୁତ୍ୱ ଦିଆଯାଉନାହିଁ । ବ୍ରହ୍ମପୁର ଠାରୁ ଜାତୀୟ ରାଜପଥ 59 ଦେଇ ଆସିକା, ଧରାକୋଟ, ସୋରଡା,ଦାରିଂବାଡ଼ି, ବାଲିଗୁଡ଼ା ଦେଇ ସଂଖ୍ୟାଧିକ ବସ ଚଳାଚଳ କରୁଥିଲେ ମଧ୍ଯ ଧରାକୋଟ ଅଟଳ ବସଷ୍ଟାଣ୍ଡ କୁ ଗୋଟିଏ ମଧ୍ୟ ବସ ଆସୁନାହିଁ । ଏଣୁ ଦୂର ଦୁରାନ୍ତ କୁ ଯିବାପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ବସଷ୍ଟାଣ୍ଡ କୁ ସମସ୍ତ ବସ ଗଡ଼ିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଧରାକୋଟ ରେ ଟି ବି ମୁକ୍ତ ଭାରତ ଅଭିଯାନ
ଆସିକା, ୩୦/୯/୨୬ (ଶିବ ଶଙ୍କର ମିଶ୍ର ) ଜାତୀୟ ଯକ୍ଷ୍ମା ନିରାକରଣ ଅଭିଯାନ ତରଫରୁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ଧରାକୋଟ ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟ ରେ ବୃଦ୍ଧ, ବୃଦ୍ଧା,ମଧୁମେହ ରୋଗୀ, ଟି ବି ରୋଗୀ,ତାଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତି ମାନଙ୍କ ମାଗଣା ଏକ୍ସ ରେ ସ୍କ୍ରିନିଙ୍ଗ କରାଯାଇଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପ୍ରଭାକର ଶତପଥୀ,ଏ ଏନ ଏମ ବିଷ୍ଣୁ ପ୍ରିୟା ରେଡ୍ଡୀ,ସଙ୍ଗୀତାନଜଳି ପ୍ରଧାନ, ସୁଚିସ୍ମିତା ସାବତ, ଆଶା କର୍ମୀ ଉର୍ମିଳା ବେହେରା, ଲକ୍ଷ୍ମୀ ଦେବୀ ବେହେରା, ଗାଁ କଲ୍ୟାଣ ସମିତି ସଭାପତି ଅଶୋକ କୁମାର ଗୌଡ ପ୍ରମୁଖ ଏଥିରେ ଉପସ୍ଥିତ ରହିଥିଲେ। ଆଜି 71 ଜଣଙ୍କର ସ୍କ୍ରିନିଙ୍ଗ କରାଯାଇଥିଲା ।

