ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ 

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ 

ବାଲିଗୁଡ଼ା, ୧୫/୧୦: (ମନିସ): ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ। ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହା ସହ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱ ଓ ପ୍ରତିନିଧିତ୍ୱର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ମତଦାନ ହୋଇଥିଲା। ମତଦାନ ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ମୋଟ ୯ ରାଉଣ୍ଡରେ ଗଣତି ଶେଷ ହୋଇଥିଲା। ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ସମସ୍ତ ୮ଟି ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦରେ ଶ୍ରୀଧର ସିଅ ୩୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଉପସଭାପତି ପଦରେ ଅବିନାଶ ମସିହା ଦିଗାଳ ୩୭୫ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ଭାବେ ଅଭୟ ପାଟମାଝି ୩୭୧ ଖଣ୍ଡ ଭୋଟ ପାଇଥିବା ବେଳେ ସହସମ୍ପାଦକ ଭାବେ ଅଂଶୁମାନ ବେହେରା ୩୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ଡିଏସଏ ସମ୍ପାଦକ ଭାବେ ଇତି ନାୟକ ୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ ଡିଏସଏ ସହସମ୍ପାଦକ ଭାବେ ବିଜୟ କହଁର ୪୦୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। କ୍ରୀଡ଼ା ସମ୍ପାଦକ ପଦରେ ଇସାକ ନାୟକ ୨୮୫ ଖଣ୍ଡ ଭୋଟ ପାଇଥିବା ବେଳେ କ୍ରୀଡ଼ା ସହସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ ୩୮୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଥିଲେ। ଏହିପରି ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।

ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ

ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ଏଥିସହ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏହି ନିର୍ବାଚନ ପ୍ରକ୍ରିୟା ସମୟରେ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଅପେକ୍ଷା ରହିଛି। ଆସନ୍ତା ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ନିର୍ବାଚନ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଥିବା ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।

Related posts

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

ସରିଆଁ ଉ.ପ୍ରା.ବିଦ୍ୟାଳୟରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

masiha

Leave a Comment

error: Content is protected !!