କଳାହାଣ୍ଡି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଆରମ୍ଭ , ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ
କଳାହାଣ୍ଡି ୨୬.୧୦.୨୦୨୬: ଓଡ଼ିଶା ସରକାର ତଥା ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ସରକାରୀ କାର୍ଯ୍ୟରେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ କଳାହାଣ୍ଡି ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ ଆରମ୍ଭ ହୋଇଛି।
ଏହି ଅବସରରେ ଲାଞ୍ଜିଗଡ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିରରେ ଯୋଗଦେଇଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସାଧୁତାର ଶପଥ ପାଠ କରାଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ତନ୍ମୟ କୁମାର ଦରୱାନ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ।
ଏଥିସହ ଜିଲ୍ଲାର ସଦର ମହକୁମା ,ଉପଖଣ୍ଡ ଓ ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ଗ୍ରହଣ କରି ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ନୈତିକତା ଓ ନିଷ୍ଠା ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ସାତ ଦିନବ୍ୟାପୀ ଏହି ସଚେତନତା ସପ୍ତାହ ପାଳନ ଅବସରରେ ଦୁର୍ନୀତିର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସମାଜରେ ସଚ୍ଚୋଟତା ଓ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜିଲ୍ଲାବ୍ୟାପୀ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି କ୍ରମରେ ସଚେତନତା ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,ପ୍ରବନ୍ଧ ଓ କାର୍ଟୁନ୍ ପ୍ରତିଯୋଗିତା, ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦୁର୍ନୀତି ନିବାରଣ ସଚେତନତା ଗ୍ରାମସଭା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଦୁର୍ନୀତିର କୁପରିଣାମ, ଏହାର ନିରାକରଣ ଏବଂ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

