ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣ୍ଡରଗ୍ରାଉଣ୍ଡୱେ ନିର୍ମାଣ ଦାବିରେ ଗୋଲାମୁଣ୍ଡାରେ ଗଣଧାରଣା ତିନୋଟି ପ୍ରମୁଖ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ୱେ ନିର୍ମାଣ ପାଇଁ ଦାବି,

ଅଣ୍ଡରଗ୍ରାଉଣ୍ଡୱେ ନିର୍ମାଣ ଦାବିରେ ଗୋଲାମୁଣ୍ଡାରେ ଗଣଧାରଣା

ତିନୋଟି ପ୍ରମୁଖ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ୱେ ନିର୍ମାଣ ପାଇଁ ଦାବି,
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ଜନ ସଂଗ୍ରାମ ସମିତି ଓ ଗ୍ରାମବାସୀ

ଗୋଲାମୁଣ୍ଡା, ୦୨/୧୦ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ତିନୋଟି ପ୍ରମୁଖ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ୱେ ନିର୍ମାଣ କରିବା ଦାବିରେ ଜନ ସଂଗ୍ରାମ ସମିତି କଳାହାଣ୍ଡି ପକ୍ଷରୁ ଗୋଲାମୁଣ୍ଡାଠାରେ ଗଣଧାରଣା ଆରମ୍ଭ ହୋଇଛି। ବାରମ୍ବାର ରାସ୍ତା ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଭିଯୋଗ କରି ଏହି ଧାରଣା ଦିଆଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ସମିତି ଓ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗୁରୁବାର ସକାଳ ୯ଟାରୁ ଗୋଲାମୁଣ୍ଡାସ୍ଥିତ ବିଜୁ ଏକ୍ସପ୍ରେସ୍‌ୱେ ରାସ୍ତାକଡ଼ରେ ଜନ ସଂଗ୍ରାମ ସମିତି କଳାହାଣ୍ଡିର ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଏହି ଗଣଧାରଣା ଆରମ୍ଭ କରାଯାଇଛି। ଗୋଲାମୁଣ୍ଡା ଅଞ୍ଚଳରେ ଅଣ୍ଡରପାସ ନିର୍ମାଣ ଦାବି ଦୀର୍ଘଦିନ ଧରି ହୋଇଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ସମିତି ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି।ସମିତି ପକ୍ଷରୁ ଗୋଲାମୁଣ୍ଡା ଅଞ୍ଚଳର ତିନୋଟି ପ୍ରମୁଖ ସ୍ଥାନରେ ଅଣ୍ଡରପାସ ବା ଅଣ୍ଡରଗ୍ରାଉଣ୍ଡ ବ୍ରିଜ୍‌ ନିର୍ମାଣ ପାଇଁ ଦାବି ରଖାଯାଇଛି। ସେଥିମଧ୍ୟରୁ ପ୍ରଥମଟି ହେଉଛି ଗୋଲାମୁଣ୍ଡା ଝାଙ୍କରପଡ଼ାଠାରୁ ସିନାମାଲ, କେନ୍ଦୁପାଣି, ଫୋଇରିପାଣି, ନକଟିକାନୀ, ଗୁଦୁରୁଘୁମା ଓ ଝୁଲନା ଆଦି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ଦ୍ୱିତୀୟଟି ନାଏକପଡ଼ାଠାରୁ ଓଏଭି ସ୍କୁଲକୁ ଯାଉଥିବା ରାସ୍ତା ଏବଂ ତୃତୀୟଟି ପୁରୁଣା ବ୍ଲକ ଛକଠାରୁ ନୂଆପଡ଼ାକୁ ସଂଯୋଗ କରୁଥିବା ରାସ୍ତା। ଏହି ତିନୋଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେଲେ ଅଞ୍ଚଳର ବହୁ ଗ୍ରାମର ଲୋକେ ଉପକୃତ ହେବା ସହ ଦୈନନ୍ଦିନ ଯାତାୟାତରେ ଦେଖାଦେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ସମିତି ଆଶା ପ୍ରକାଶ କରିଛି। ବିଶେଷକରି ଏହି ରାସ୍ତାଗୁଡ଼ିକ ଦେଇ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀ ପ୍ରତିଦିନ ଯାତାୟାତ କରୁଥିବା ବେଳେ ରାସ୍ତା କ୍ରସିଂ ସମୟରେ ଦୁର୍ଘଟଣାର ଆଶଙ୍କା ରହୁଛି। ସମିତିର ଅଭିଯୋଗ ଅନୁଯାୟୀ, ଏହି କ୍ରସିଂ ସ୍ଥାନଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ କ୍ଷତି ହେଉଛି। ଅଣ୍ଡରପାସ ନିର୍ମାଣ ହେଲେ ଯାତାୟାତ ଅଧିକ ସୁବିଧାଜନକ ହେବା ସହ ରାସ୍ତା ପାର ହେବା ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ହ୍ରାସ ପାଇବ ବୋଲି ସମିତି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ନାଏକପଡ଼ାଠାରୁ ଓଏଭି ସ୍କୁଲକୁ ଯାଉଥିବା ରାସ୍ତାରେ ଅଣ୍ଡରପାସ ନିର୍ମାଣ ହେବା ଦ୍ୱାରା ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ହୋଇପାରିବ ବୋଲି ଦାବି ହୋଇଛି। ସେହିପରି ଅନ୍ୟ ଦୁଇଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେଲେ ଗ୍ରାମାଞ୍ଚଳର ଲୋକଙ୍କୁ ଯାତାୟାତ ପାଇଁ ଦୀର୍ଘ ରାସ୍ତା ବୁଲି ଯିବାକୁ ପଡ଼ିବ ନାହିଁ ଏବଂ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଯାତାୟାତରେ ସୁବିଧା ହୋଇପାରିବ ବୋଲି ଆନ୍ଦୋଳନକାରୀମାନେ ମତ ପ୍ରକାଶ କରିଛନ୍ତି। ଏହି ଦାବିକୁ ନେଇ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ସର୍ଭେ, ବୈଷୟିକ ଯାଞ୍ଚ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜନ ସଂଗ୍ରାମ ସମିତି କଳାହାଣ୍ଡି ଦାବି କରିଛି। ଏଥିସହ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଓ ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦାବିଗୁଡ଼ିକର ସ୍ଥାୟୀ ସମାଧାନ କରିବାକୁ ସମିତି ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗଣଧାରଣାରେ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହ ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇ ଅଣ୍ଡରପାସ ନିର୍ମାଣ ଦାବି ଉଠାଇଛନ୍ତି। ଦୀର୍ଘଦିନର ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ନେଇ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରଖିବାକୁ ସମିତିର କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ଦୃଢ଼ ମତ ପ୍ରକାଶ କରିଛନ୍ତି।

Related posts

କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା 

masiha

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

ଖୁସୀ ଆନନ୍ଦର ଆସର ଖ୍ରୀଷ୍ଟମାସ ବଡଦିନ

Sunil Chandra Nayak

Leave a Comment

error: Content is protected !!