ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନଭେମ୍ବର ୩ରୁ…
ରାଉରକେଲା: ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆସନ୍ତା ନଭେମ୍ବର ୩ଠାରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ୍ ସେଂଟରଠାରେ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫ଟି ନାଟ୍ୟାନୁଷ୍ଠାନ ସେମାନଙ୍କର ନାଟକ ପ୍ରଦର୍ଶନ କରିବେ। ଉଦ୍ଘାଟନୀ ସଂଧ୍ୟାରେ ବାଲେଶ୍ୱରର ନାୟିକା ପକ୍ଷରୁ ନାଟକ ‘ତା’ରି ଲାଗି’, ଦ୍ୱିତୀୟ ସଂଧ୍ୟାରେ ଯାଜପୁରର ଅନ୍ୱେଷଣ ଥିଏଟର ଗ୍ରୁପ୍ ଦ୍ୱାରା ନାଟକ ‘ବାଲ୍ମୀକି’, ତୃତୀୟ ସଂଧ୍ୟାରେ ସଂବଲପୁରର ଶ୍ରୀ କଲଚରାଲ ଆସୋସିଏସନ୍ ଦ୍ୱାରା ନାଟକ ‘ସାଧନା’, ଚତୁର୍ଥ ସଂଧ୍ୟାରେ ସୁନାବେଡାର ଗୋଲଡେନ୍ ମିଗ୍ କଳା ପରିଷଦ ଦ୍ୱାରା ନାଟକ ‘ଅନୁପମା’ ଏବଂ ପଂଚମ ତଥା ଉଦ୍ଯାପନୀ ସଂଧ୍ୟାରେ ରାଉରକେଲାର ପଂଚତତ୍ୱ ପକ୍ଷରୁ ନାଟକ ‘ଲୁହା ଶିକୁଳି’ ମଂଚସ୍ଥ କରାଯିବ। ଉଦ୍ଘାଟନୀ ସଂଧ୍ୟାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଏବଂ ଉଦ୍ଯାପନୀ ସଂଧ୍ୟାରେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଏହି ପଂଚଦିବସୀୟ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ, ନାଟକ ଓ ସଂସ୍କୃତିର ଉନ୍ନତି କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରିଥିବା ଆମ ସହରର ସୁନାମଧନ୍ୟ କବି, ଲେଖକ, ନାଟ୍ୟକାର ତଥା ନାଟ୍ୟ ବ୍ୟକ୍ତିତ୍ୱମାନେ ଏବଂ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଅଭିବୃଦ୍ଧି ନିମନ୍ତେ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନେ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିବା ସହିତ ଆୟୋଜକମାନଙ୍କୁ ଉତ୍ସାହିତ କରିବେ। ଏହି ମହୋତ୍ସବରେ ସହରର କଳା, ସାହିତ୍ୟ, ନାଟକ ପ୍ରତିି ରୁଚି ଥିବା ବ୍ୟକ୍ତିବିଶେଷମାନେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ‘ସଂକଳ୍ପ’ ପକ୍ଷରୁ ସଭାପତି ଡଃ କିଶୋରୀ ଦାଶ ଏବଂ ସାଧାରଣ ସଂପାଦକ ପ୍ରକାଶ ସାହାଣୀ ବିନମ୍ର ନିବେଦନ କରିଛନ୍ତି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

