ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ

ନବରଙ୍ଗପୁର:( ୩୦ ଅକ୍ଟୋବର ୨୦୨୬:)(ରବି ନାରାୟଣ ମହାନ୍ତି)ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେଟା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକ ପ୍ରଫୁଲ୍ଲ କୁମାର ପାଢି, ଆଞ୍ଚଳିକ ପରିବହନ ଅଧିକାରୀ ସ୍ଵାହା ହେମ୍ବ୍ରମ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।ଗତ ୦୩.୦୯.୨୦୨୬ ତାରିଖରେ ଅନୁଷ୍ଠିତ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ଅନୁପାଳନ ସମୀକ୍ଷା କରାଯାଇଥିଲା। ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ, ଆବଶ୍ୟକ ସ୍ଥାନରେ ସ୍ପିଡ୍ ବ୍ରେକର୍ ନିର୍ମାଣ, ରାସ୍ତାରେ ଉପଯୁକ୍ତ ସାଇନ୍‌ବୋର୍ଡ, ରୋଡ୍ ମାର୍କିଂ, ଆଲୋକୀକରଣ ଏବଂ କ୍ଷତିଗ୍ରସ୍ତ ଟ୍ରାଫିକ୍ ସିଗ୍‌ନାଲ୍ ଓ ସୂଚନା ଫଳକର ମରାମତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ବିଦ୍ୟାଳୟ, ଡାକ୍ତରଖାନା, ବଜାର ଓ ଦୁର୍ଘଟଣାପ୍ରବଣ ଛକଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆଲୋଚନା ହୋଇଥିଲା।ଗତ ବର୍ଷ ଓ ଚଳିତ ବର୍ଷର ସଡ଼କ ଦୁର୍ଘଟଣା ସଂକ୍ରାନ୍ତୀୟ ତଥ୍ୟର ତୁଳନାତ୍ମକ ସମୀକ୍ଷା କରାଯାଇଥିଲା। ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର ନକରିବା ଏବଂ ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ ବିରୋଧରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଜୋର୍ ଦିଆଯାଇଥିଲା। ସେପ୍ଟେମ୍ବର ୨୦୨୬ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ‘ଜିରୋ ଫାଟାଲିଟି ୱିକ୍ସ’ ପାଳନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ କରି ସେଠାରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ, ରାସ୍ତାରେ ମାର୍କିଂ ଓ ସୂଚନା ଫଳକ ସ୍ଥାପନ ସହିତ ଆବଶ୍ୟକ ସ୍ଥାନରେ କ୍ରେନ୍ ଓ ଆମ୍ବୁଲାନ୍ସ ମୁତୟନ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥିଲା। ଦୁର୍ଘଟଣା ସମୟରେ ତ୍ୱରିତ ସେବା ଯୋଗାଇବା ପାଇଁ ଦୁର୍ବଳ ଓ ସମ୍ବେଦନଶୀଳ ରାସ୍ତାଖଣ୍ଡଗୁଡ଼ିକରେ ୧୧୨/୧୦୮ ଆମ୍ବୁଲାନ୍ସ ସେବାର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗକୁ ଗୁରୁତ୍ୱ ଦିଆଯାଇଥିଲା।ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମନ୍ୱୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆଲୋଚନା ହୋଇଥିଲା। ଏଥିସହ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ପିଏମ୍ ରାହତ (PM RAHAT) ଏବଂ ରାହବୀର (Raah-Veer) ଯୋଜନା ସମ୍ପର୍କରେ ଓଡ଼ିଆ ଭାଷାରେ ସଚେତନତା ପୋଷ୍ଟର୍ ପ୍ରସ୍ତୁତି ଓ ବିଭିନ୍ନ ସର୍ବସାଧାରଣ ସ୍ଥାନ, ବସ୍‌ଷ୍ଟାଣ୍ଡ ଓ ପରିବହନ କାର୍ଯ୍ୟାଳୟରେ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ ଅଭିଯାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅଭିଯାନରେ ସ୍କୁଲ୍ ବସ୍, ଯାତ୍ରୀବାହୀ ଗାଡ଼ି, ଡମ୍ପର, ଟ୍ୟାଙ୍କର ଏବଂ ବିପଜ୍ଜନକ ସାମଗ୍ରୀ ପରିବହନ କରୁଥିବା ଯାନବାହନର ଯାଞ୍ଚ କରାଯିବ। ଏଥିସହ ସ୍ପିଡ୍ ଲିମିଟିଂ ଡିଭାଇସ୍ (SLD) ଓ ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD)ର କାର୍ଯ୍ୟକ୍ଷମତା, ସକ୍ରିୟତା ଓ ରିଅଲ୍ ଟାଇମ୍ ତଥ୍ୟ ପ୍ରେରଣ ବ୍ୟବସ୍ଥା ଯାଞ୍ଚ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ଗଠନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଆରକ୍ଷୀ ବିଭାଗ, ପରିବହନ ବିଭାଗ, ଏନ୍‌ଏଚ୍‌ଏଆଇ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ପୌର ପ୍ରଶାସନ ଏବଂ ରାଜସ୍ୱ ବିଭାଗର ପ୍ରତିନିଧିମାନେ ସଦସ୍ୟ ରହିବେ। ଏହି ଟାସ୍କ ଫୋର୍ସ ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ, ବେଆଇନ ପାର୍କିଂ ରୋକିବା, ଆବଶ୍ୟକ ସ୍ଥାନରେ ରୋଡ୍ ମାର୍କିଂ ଓ ସାଇନ୍‌ବୋର୍ଡ ସ୍ଥାପନ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ଗ୍ରହଣ ଦିଗରେ କାର୍ଯ୍ୟ କରିବ।ଜିଲ୍ଲାରେ ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା, ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରିବା ଏବଂ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ

masiha

ଏବିଭି୍ପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା  

Sunil Chandra Nayak

କାର୍ ଧକ୍କାରେ ମହିଳା ମୃତ 

Sunil Chandra Nayak

Leave a Comment

error: Content is protected !!