ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସରକାରୀ ଆଇଟିଆଇ ର ସମବର୍ତ୍ତନ ଉତ୍ସବ , ୨- ମଠକରଗୋଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ , ୩-କଙ୍କଡ଼ାହାଡ଼ ବ୍ଲକ୍ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ଙ୍କୁ ଶୁଭେଚ୍ଛା , ୪- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌‌ର ପ୍ରୋଜେକ୍ଟ ଦୃଷ୍ଟି ସହାୟତାରେ ଦୃଷ୍ଟିଶକ୍ତି ଫେରିପାଇଲେ ପ୍ରମୋଦ , ୫- ପିଏମ୍ କିଷାନର ୨୪ ତମ କିସ୍ତି ପ୍ରଦାନ, ଜିଲ୍ଲାର ୧,୦୬,୬୪୨ ଜଣ ଚାଷୀ ଭାଇ ଭଉଣୀ ଉପକୃତ , ୬-ଢେଙ୍କାନାଳରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ , ୭- ଏରାପଦା ନିଶ୍ଚିନ୍ତା ପାହାଡ଼ରେ ଟ୍ରେଞ୍ଚ ଖୋଳା କୁ ବିରୋଧ , ୮- ଠିକାଦାରର ମନମାନୀ , ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ବିନା ସୂଚନା ଫଳକରେ ଚାଲିଛି ଅଟ୍ଟାଳିକା, ଇଟା ନିମ୍ନ ମାନ ର, ସ୍ଥାଇତ୍ଵ ନେ଼ଇ ପ୍ରଶ୍ନ , ୯- କାମାକ୍ଷାନଗର ମହାବିଦ୍ୟାଳୟ ରେ ସ୍ୱାମୀ ବିବୋନନ୍ଦଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ , ୧୦-ଢେଙ୍କାନାଳ ଲଷ୍ମୀପୂଜା, ଝିଲିମିଲି ଆଲୋକରେ ଝଲସୁଛି ସହର , ୧୧- ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ , ୧୨- ଢେଙ୍କାନାଳରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ , ୧୩- ହିନ୍ଦୋଳରେ ହାତୀ ଆତଙ୍କ ପୁଣି ଜଣଙ୍କର ଜୀବନ ନେଲା ହାତୀ , ୧୪-ସୁଭଦ୍ରା ଦିଦି ଖାଦ୍ୟ ଟ୍ରକ୍ ଉଦ୍ଘାଟନ , ୧୫- ଭାପୁର-ଛଦେଶ ଅଞ୍ଚଳରେ ଅବାଧ ଚୋରା ଦେଶୀ-ବିଦେଶୀ ମଦ କାରବାର ବଢୁଛି

ସରକାରୀ ଆଇଟିଆଇ ର ସମବର୍ତ୍ତନ ଉତ୍ସବ 

କାମାକ୍ଷାନଗର- ପରଜଙ୍ଗ ସ୍ଥିତ ସରକାରୀ ଆଇଟିଆଇ ର ସମନର୍ତ୍ତନ ଉତ୍ସବ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଆଇଟିଆଇ ର ଅଧକ୍ଷ ପ୍ରଦୀପ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନଭା ପାୱାର ପ୍ଲାଣ୍ଟ ମୁଖ୍ୟ ପରିଚାଳକ ବି ଲକ୍ଷ୍ମୀ ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପ୍ରତୀକ ପରିସ୍ଥିତିରେ ବେକାରୀ ସମସ୍ୟା ଉପୁଜୁଥିବା ବେଳେ ଏହି ଆଇଟିଆଇ ମାଧ୍ୟମରେ ବେକାରୀ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସରକାରୀ ପାଳିଟେକନିକ ର ଅଧ୍ୟକ୍ଷ ଇଞ୍ଜିନିୟର ଜିତମିତ୍ର ଶତପଥୀ, ଢେଙ୍କାନାଳ ଡ଼ିଏସଡ଼ିଓ କାର୍ଯ୍ୟାଳୟର ଯେଇଓ ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏଇ ଅବସରରେ ଅନୁଷ୍ଠାନର କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l

ମଠକରଗୋଳା ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କାମାକ୍ଷାନଗର- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ଚକ୍ର କୁ ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଉଦଘାଟନ କରି ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟ ରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ, ଅଦମ୍ୟ ସାହସ, ନିଷ୍ଠା, ତ୍ୟାଗ, ଦେଶ ପ୍ରେମ ଗଠନାତ୍ମକ ଚିନ୍ତାଧାରା ଓ ସୁଚିନ୍ତିତ ରଣନୀତି ପାଇଁ ଅଖଣ୍ଡ ଭାରତ ଗଠନ ର ସ୍ବପ୍ନ ପୂରଣ ହେବା ସହ ଆଜି ର ବିଶାଳ ଭାରତ ବର୍ଷରେ ଆମେ ବସବାସ କରିପାରୁଛୁ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀ ମାନେ ଆଜି ଦିବସ ର ତାତ୍ପର୍ଯ୍ୟ ଜାଣିବା ସହ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ସ୍ମୃତି ଚାରଣ କରିବା ପୂର୍ବକ ବିକଶିତ ଭାରତ ଗଠନ ରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ, ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସବିତା ଦେହୁରୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ ର ଐତିହାସିକ ପୃଷୃଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ଵପ୍ନିତା ରାଉତ,ଶୁଭସ୍ମିତା ବିଶ୍ବାଳ, ଶ୍ରଦ୍ଧାଞ୍ଜଳୀ ସ୍ବାଇଁ, ଦିପ୍ତିମୟୀ ସାହୁ, ପ୍ରତିଭା ମଞ୍ଜରୀ ଦାଶ, କୈଳାଶ ଚନ୍ଦ୍ର ପାତ୍ର,ଲଲିତ କୁମାର ବେହେରା,ଓ ବିନୟ କୁମାର ଦାସ ପ୍ରମୁଖ ଦିବସ ପାଳନ ର ବିଭିନ୍ନ ଦିଗ ଯଥା ଲୌହ ମାନବ ଙ୍କ ଦେଶ ପ୍ରେମ, ଅନନ୍ୟ ଗୁଣାବଳୀ, ଅଦମ୍ୟ ସାହସ, ବହୁ ଗଡ଼ଜାତ ରାଜ୍ୟ ମିଶ୍ରଣରେ ବଲ୍ଲଭ ଭାଇ ପଟେଲ ଙ୍କ ଭୁମିକା ଓ ରାଜନୈତିକ ବିଚକ୍ଷଣତା ଆଦି ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଦିତୀୟର୍ଦ୍ଧା ରେ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ଦୁର୍ନୀତି ନିବାରଣ ସଚେତନତା ରାଲି ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଦ୍ଭିଦ ବିଜ୍ଞାନ ର କାର୍ଯ୍ୟ କର୍ତ୍ତା ଶୁଭେନ୍ଦୁ କୁମାର ପରିଡ଼ା ଓ ମାନସ ଜେନା ଯାନ୍ତ୍ରିକ ସହାୟତା ପ୍ରଦାନ କରିଥିଲେ।

କଙ୍କଡ଼ାହାଡ଼ ବ୍ଲକ୍ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ଙ୍କୁ ଶୁଭେଚ୍ଛା

କାମାକ୍ଷାନଗର –   ଓଡ଼ିଶା ରେ ନୂତନ ଜାତୀୟ ରାଜପଥ ହେବା ପାଇଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ବିଧାୟକ ବିଭୁ ଧେନ୍ଦୁ ପ୍ରତାପ ଦାସ,ତାଙ୍କର ଅନୁମୋଦନ ପାଇଁ ପ୍ରସ୍ତାବ ଥିବା ୧୩ଟି ପ୍ରସ୍ତାବ ମଧ୍ୟରେ ଢ଼େଙ୍କାନାଳ ରୁ ନରଣ ପୁର ଯାହାକି କେନ୍ଦୁଝର – ଢ଼େଙ୍କାନାଳ ମୁଖ୍ୟ ଜାତୀୟ ରାଜପଥ ଦେଇ ଭୁବନେଶ୍ୱର କୁ ଯାଇହେବ, ଢ଼େଙ୍କାନାଳ ରୁ ନରଣ ପୁର ୧୦୦କିଲୋମିଟର ରାସ୍ତା ପାଇଁ ୨୦୦୪ ମସିହା ରେ ସରକାରଙ୍କ ଅତିରିକ୍ତ ସଚିବ ଏସ୍ ସି ପଟେଲ ଥାଇ ବିଭାଗୀୟ ଅଧିକାରୀଯନ୍ତ୍ରୀ, ଜାତୀୟ ରାଜପଥ ବିଭାଗ ଙ୍କୁ ଅବଗତ ହୋଇଥିବାର ୧୩ପ୍ରସ୍ତାବ ମଧ୍ୟରେ ବିଭାଗୀୟ ବିଧାୟକ ଙ୍କ ସହ ଆଲୋଚନାପର୍ଯ୍ୟାଲୋଚନା ହୋଇଥିଲା, ଆବଶ୍ୟକୀୟ ଅର୍ଥ ମଞ୍ଜୁରୀପାଇଁ ଏହି ପ୍ରସ୍ତାବ ଏବେ କାର୍ଯ୍ୟକାରୀ ହେବାକୁଯାଉଛି, ପାଲଲହଡ଼ା ର ପୂର୍ବତନ ବିଧାୟକ ବିଭୁ ଧେନ୍ଦୂ ପ୍ରତାପ ଦାସ ପ୍ରଚେଷ୍ଟା ଯୋଗୁ କେନ୍ଦୁଝର ରୁ ସିଧା ସଳଖ କଙ୍କଡ଼ାହାଡ଼ – କାମାକ୍ଷାନଗର ଦେଇ ଢ଼େଙ୍କାନାଳ ଯିବା ଓ ଭୁବନେଶ୍ୱର ଯିବା ସହଜ ହୋଇପାରିବ ଏବଂ ୩୫କିଲୋମିଟର ରାସ୍ତା କମିଯିବା ରେ ସମସ୍ତ ଙ୍କ ମନରେ ଶୁଭେଛା ର ବାର୍ତ୍ତା ବହନ କରିଛି,ଏହି ପରିପେକ୍ଷୀରେ କଂଗ୍ରେସ ର ଜିଲ୍ଲା ସାଧାରଣ ସମ୍ପାଦକ ଧୀର ଜେନା ଙ୍କ ସହ ଛାୟା କାନ୍ତ ପାତ୍ର,ରଞ୍ଜନ କୁମାର୍ ବେହେରା,ବିଚିତ୍ର ନନ୍ଦ ପତ୍ର,ରଘୁ ସିଂହ,ରଞ୍ଜିତ ସିଂହ, ଦନର୍ଦନ ମହନ୍ତ,ଅଜୟ ସାହୁ,ରମାକାନ୍ତ ବେହେରା ବାବୁଲି ସାହୁ,ଧନେଶ୍ୱର ସାହୁ,ବାଜି ସାହୁ,ରାମ ସାହୁ ଓ ଲାକ୍ସମି ଧର ସୋରେନ ଶୁଭେଛା ଜଣାଇଛନ୍ତି ପୂର୍ବତନ ପାଲଲହଡ଼ା ବିଧାୟକ ଶ୍ରୀ ଦାସ ଙ୍କୁ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌‌ର ପ୍ରୋଜେକ୍ଟ ଦୃଷ୍ଟି ସହାୟତାରେ ଦୃଷ୍ଟିଶକ୍ତି ଫେରିପାଇଲେ ପ୍ରମୋଦ

ଢେଙ୍କାନାଳ- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ର “ପ୍ରୋଜେକ୍ଟ ଦୃଷ୍ଟି’ ସହଯୋଗରେ ପୁଣିଥରେ ଦୁନିଆ ଦେଖିପାରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ସଞ୍ଜପଡ଼ା ପଞ୍ଚାୟତର ବାସୁବାହାଲା ଗ୍ରାମର ପ୍ରମୋଦ ବେହେରା। ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ସେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇଛନ୍ତି। ପ୍ରମୋଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଦୁଇଟିଯାକ ଆଖିରେ ମୋତିଆବିନ୍ଦୁ ହେବା ଯୋଗୁ ସେ ଦୃଷ୍ଟିଶକ୍ତି ହରାଇଥିଲେ, ଫଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପ୍ରମୋଦଙ୍କ ରୋଜଗାର ଠପ୍ ହୋଇଯାଇଥିଲା।

ସରକାରଙ୍କ “ଆୟୁଷ୍ମାନ ଯୋଜନା’ ମାଧ୍ୟମରେ ମାଗଣା ଚିକିତ୍ସାର ସୁବିଧା ସମ୍ପର୍କରେ ମଧ୍ୟ ସେ ଅବଗତ ନଥିଲେ। ଗ୍ରାମରେ ଚକ୍ଷୁ ସ୍କ୍ରିନିଂ ସମୟରେ ଟିଏସ୍‌ଏଫ୍ ର “ପ୍ରୋଜେକ୍ଟ ଦୃଷ୍ଟି’ ଟିମ୍ ପ୍ରମୋଦଙ୍କ ସମସ୍ୟା ଚିହ୍ନଟ କରିଥିଲେ। ପରେ ସ୍ୱାସ୍ଥ୍ୟ ପରାମର୍ଶ, କାଉନସେଲିଂ କରାଯିବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ପ୍ରୋଜେକ୍ଟ ଦୃଷ୍ଟି ଟିମ୍ ସଦସ୍ୟ ସହଯୋଗ କରିଥିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଆଖିରେ ଆର୍ଟିଫିସିଆଲ୍ ଇଣ୍ଟ୍ରାଓକୁଲାର ଲେନ୍ସ ଲଗାଯାଇଥିଲା, ଯାହା ଫଳରେ ସେ ଦୃଷ୍ଟିଶକ୍ତି ଫେରିପାଇଛନ୍ତି। 

ଏ ସମ୍ପର୍କରେ ପ୍ରମୋଦ କହିଛନ୍ତି, “ମୁଁ ଆଉ କେବେ ଦେଖିପାରିବି ବୋଲି ଭାବି ନଥିଲି। ବିନା ଖର୍ଚ୍ଚରେ ଏଭଳି ଚିକିତ୍ସା ସମ୍ଭବ ବୋଲି ଆମକୁ ଜଣାନଥିଲା। ଟାଟା ଷ୍ଟିଲ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’ ସହଯୋଗ ପାଇଁ ମୁଁ ଆଜି ପୁଣି ଥରେ ଦୁନିଆକୁ ଦେଖିପାରୁଛି।’

ସୂଚନାଯୋଗ୍ୟ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌‌ର “ପ୍ରୋଜେକ୍ଟ ଦୃଷ୍ଟି’ ଅଧୀନରେ ଗ୍ରାମାଞ୍ଚଳରେ ସଚେତନତା, ମାଗଣା ଚକ୍ଷୁ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର ସେବା ଯୋଗାଇ ଦିଆଯାଉଛି। ୨୦୨୩ରୁ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରୋଜେକ୍ଟ ମାଧ୍ୟମରେ ଟାଟା ଷ୍ଟିଲ ପ୍ଲାଣ୍ଟ ଆଖପାଖ ଆଞ୍ଚଳର୧୨୦୦ରୁ ଅଧିକ ମୋତିଆବିନ୍ଦୁ ରୋଗୀଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି।

ପିଏମ୍ କିଷାନର ୨୪ ତମ କିସ୍ତି ପ୍ରଦାନ, ଜିଲ୍ଲାର ୧,୦୬,୬୪୨ ଜଣ ଚାଷୀ ଭାଇ ଭଉଣୀ ଉପକୃତ    

         ଢ଼େଙ୍କାନାଳ- ପି.ଏମ୍. କିଷାନ ଦିବସ ପାଳନ ଅବସରରେ ଆଜି ଗୁଜୁରାଟର ବନାସକାଣ୍ଠା ଠାରେ ଆୟୋଜିତ ଉତ୍ସବ ସ୍ଥଳରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରବି ଋତୁ ଫସଲ ପାଇଁ ଦେଶର ୯ କୋଟି ୩୪ ଲକ୍ଷରୁ ଉର୍ଦ୍ଧ୍ବ କିଷାନ ଭାଇ-ଭଉଣୀମାନଙ୍କୁ ୧୮,୬୯୦ କୋଟିରୁ ଉର୍ଦ୍ଧ ସହାୟତା ରାଶି ଡ଼ି.ବି.ଟି. ମାଧ୍ୟମରେ ୨୪ ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ଦ୍ୱାରା ଓଡ଼ିଶାର ୩୫ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ଉପକୃତ ହେବେ ବୋଲି କହିଛନ୍ତି । ୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ରାଶି ଡ଼ି.ବି.ଟି. ମାଧ୍ୟମରେ ହସ୍ତାନ୍ତର କରାଯାଇଛି । କ୍ଷୁଦ୍ର ଚାଷୀ ଭାଇ ଭଉଣୀମାନେ ଏହି ଅର୍ଥ ରାଶି ବିନିଯୋଗ କରି ବିବିଧ ଫସଲ ଉତ୍ପାଦନ କରି ଲାଭାନ୍ବିତ ହେବା ସହ ରାଜ୍ୟର ଉନ୍ନତିରେ ସହାୟକ ହେବାକୁ କହିଥିଲେ । ଏହି ଉପଲକ୍ଷେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଲଳିତ ମୋହନ ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରବି ଫସଲ ପାଇଁ ଜିଲ୍ଲାର ୧ ଲକ୍ଷ ୬ ହଜାର ୬୪୨ ଜଣ ଚାଷୀ ଭାଇ ଭଉଣୀ ୨ ହଜାର ଟଙ୍କା ଲେଖାଏଁ ପି.ଏମ୍. କିଷାନ ସହାୟତା ରାଶି ପାଇବେ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ପଢ଼ିହାରୀ ପ୍ରକାଶ କରିଥିଲେ । ଏହି ସଭାରେ ଜିଲ୍ଲାର ବହୁ ସଂଖ୍ୟକ ଚାଷୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ 

ଢେଙ୍କାନାଳରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ଢେଙ୍କାନାଳ- ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଢେଙ୍କାନାଳର ସଦ୍‌ଭାବନା ହଲ୍‌ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ସପ୍ତାହର ବିଷୟବସ୍ତୁ ହେଉଛି ‘ସାଧୁତାରୁ ସମୃଦ୍ଧି’। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପାଟିଲ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ। ସଭାରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ ସାଧୁତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଏକ ସମୃଦ୍ଧ ସମାଜ ଗଠନର ମୂଳଦୁଆ। ସରକାରୀ କାର୍ଯ୍ୟରେ ନିଷ୍ଠା ଓ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ନିରପେକ୍ଷ ଓ ଦାୟିତ୍ୱପୂର୍ଣ୍ଣ ସେବା ଯୋଗାଇଦେବା ଦ୍ୱାରା ସମାଜରେ ବିଶ୍ୱାସ ବୃଦ୍ଧି ପାଏ ଏବଂ ପ୍ରକୃତ ସମୃଦ୍ଧିର ପଥ ପ୍ରଶସ୍ତ ହୁଏ। ଜନସାଧାରଣ ନିଜ ଅଧିକାର ପ୍ରତି ସଚେତନ ରହିବା ସହ ଦୁର୍ନୀତିକୁ କୌଣସି ରୂପରେ ପ୍ରଶ୍ରୟ ନ ଦେବାକୁ ସେ ଆହ୍ୱାନ ଦେଇଥିଲେ। ଓଡ଼ିଶା ଭିଜିଲାନ୍ସ ବିଭାଗ ସର୍ବଭାରତୀୟ ସ୍ତରରେ ଅନ୍ୟତମ ଉଚ୍ଚ ପ୍ରଦର୍ଶନକାରୀ ସଂସ୍ଥା ଭାବେ ପରିଗଣିତ ହେଉଥିବା ଉଲ୍ଲେଖ କରି ଜିଲ୍ଲାପାଳ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହାର ୬୦ ପ୍ରତିଶତରୁ ଅଧିକ ରହିବା ଭିଜିଲାନ୍ସ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରୁଛି। ଏହା ଏକ ଦିଗରେ ସନ୍ତୋଷଜନକ ହୋଇଥିବାବେଳେ ସାଧାରଣ ଜୀବନର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଉପସ୍ଥିତିକୁ ମଧ୍ୟ ସୂଚାଉଛି। ତେଣୁ ଦୁର୍ନୀତି ନିରାକରଣ ଦିଗରେ ସମସ୍ତ ସରକାରୀ ବିଭାଗ, ଅଧିକାରୀ, କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଆହୁରି ଉନ୍ନତିର ବ୍ୟାପକ ସୁଯୋଗ ରହିଛି। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସଚ୍ଚୋଟତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟ ବାବୁରାଓ ମାନେ କହିଥିଲେ ଯେ ଭିଜିଲାନ୍ସ ସଚେତନତା କେବଳ ଗୋଟିଏ କିମ୍ବା ଦୁଇ ଦିନରେ ସୀମିତ ନ ରହି ଏହା ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି ନିଜ ଆଚରଣ ଓ କାର୍ଯ୍ୟରେ ସାଧୁତା ଓ ସତ୍ୟନିଷ୍ଠା ଅବଲମ୍ବନ କଲେ ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ପଦ୍ମଚରଣ ସାହୁ ଏବଂ ଭିଜିଲାନ୍ସ ବିଭାଗ, ଢେଙ୍କାନାଳ ଶାଖାର ଡିଏସ୍‌ପି ଶ୍ରୀମତୀ ଅନସୂୟା ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆଜି ସକାଳେ ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଢେଙ୍କାନାଳ ସହରର ବାଜିଚୌକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଓ ଭିଜିଲାନ୍ସ ବିଭାଗର ଡିଏସ୍‌ପି ଶ୍ରୀମତୀ ଅନସୂୟା ସେନାପତି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସାଧୁତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ଜୀବନର ଅଂଶ ଭାବେ ଗ୍ରହଣ କରିବା ସହ ଦୁର୍ନୀତି ବିରୋଧରେ ସାମୂହିକ ସଚେତନତା ସୃଷ୍ଟି କରିବା ଦ୍ୱାରା ଏକ ସମୃଦ୍ଧ ଓ ନ୍ୟାୟସଙ୍ଗତ ସମାଜ ଗଠନ ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

ଏରାପଦା ନିଶ୍ଚିନ୍ତା ପାହାଡ଼ରେ ଟ୍ରେଞ୍ଚ ଖୋଳା କୁ ବିରୋଧ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରତନପୁର ପଂଚାୟତ ର ଏରାପଦା ନିଶ୍ଚିନ୍ତା ପାହାଡ଼ ପାଦଦେଶ ରେ ଚାଲିଛି ଟ୍ରେଞ୍ଚ ଖୋଳା। ଏହି ପାହାଡ଼ ଟି ବନ ବିଭାଗ ଅଧୀନରେ ଆସୁଥିବା ଅଭିଯୋଗ ରହିଛି। ତେବେ ବନ ବିଭାଗ ର ବିନା ଅନୁମତିରେ କିଭଳି କେଉଁ ପରିସ୍ଥିତରେ ପଂଚାୟତ ତରଫରୁ ଟ୍ରେଞ୍ଚ ଖୋଳା ଯାଉଛି। ତାହା ପୁଣି ଜେସିବି ମେସିନ ସହଯୋଗରେ। ଏନେଇ ଗ୍ରାମର କୈଳାସ ସାମଲ, ଶରତ ଜେନା, ମିନକେତନ ଜେନା, ପବିତ୍ର ସାମଲ, ସନ୍ତୋଷ ଦେହୁରୀ, ସର୍ବେଶ୍ୱର ସାମଲ ସନାତନ ମୁଣ୍ଡା, ଉମେଶ ବେହେରା ଗୋପାଳ ବେହେରା ଗଁଦିଆ ବିଡିଓ ପବିତ୍ର କୁମାର ବେହେରା ଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଭିଯୋଗ ରେ ଦର୍ଶଯାଇଛି ଯେ ଟ୍ରେଞ୍ଚ ଖୋଳା ଯାଇଥିବାରୁ ଜଙ୍ଗଲ ମଧ୍ୟକୁ ଗୃହ ପାଳିତ ପଶୁ କିମ୍ବା ଜାଳେଣି ପାଇଁ ଗ୍ରାମବାସୀ ଯାଇପାରୁନାହାନ୍ତି. ଆଉ ଏହି ଟ୍ରେଞ୍ଚ ବନ ବିଭାଗ ଅଧୀନରେ ରହିଛି। ଏନେଇ ଗ୍ରାମବାସୀ ଆର ସି ସି ଏଫ ଅନୁଗୁଳ, ଡି ଏଫ ଓ ଢେଙ୍କାନାଳ ଓ ବନାଞ୍ଚଳ ଅଧିକାରୀ ରାକେଶ ଦେଳେଇ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ମାଟି ଖୋଳା କାର୍ଯ୍ୟ ପାଇଁ କୌଣସି ସୂଚନା ଫଳକ ନାହିଁ। ପଂଚାୟତ ର କନିଷ୍ଠ ଯନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ଓ ଏ ଡି ଵି ଓ ମଧ୍ୟ ଚୁପ। ତେବେ ଜେସିବିରେ ମାଟି ଖୋଲିଲା କିଏ। ନିର୍ଧୁମ ଖରାରେ ମୁଣ୍ଡରେ କ୍ୟାପ ଲଗାଇ ଜେସିବି ଆଗରେ ଠିଆ ହୋଇ କାମ ବତାଉ ଥିବା ଯୁବକ ଜଣକ କିଏ। କାହା ସାହସ ରେ ବନ ବିଭାଗ ଅଧିକୃତ ଜମିରେ ହୋଇଛି ଟ୍ରେଞ୍ଚ। ଏ ନେଇ ବିଡ଼ିଓ ପବିତ୍ର ବେହେରା କୁହନ୍ତି ଅଭିଯୋଗ ହୋଇଛି ତଦନ୍ତ ହେବ।

ଠିକାଦାରର ମନମାନୀ , ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ବିନା ସୂଚନା ଫଳକରେ ଚାଲିଛି ଅଟ୍ଟାଳିକା, ଇଟା ନିମ୍ନ ମାନ ର, ସ୍ଥାଇତ୍ଵ ନେ଼ଇ ପ୍ରଶ୍ନ

 କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲ ପରିସରରେ ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଅଟ୍ଟାଳିକା । ଠିକାଦାରର ମନମାନୀ ଏବଂ ବିଭାଗୀୟ ଅଧିକାରୀଙ୍କ ନିରବଦ୍ରଷ୍ଟା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପୂର୍ତ୍ତ ବିଭାଗ ଦ୍ଵାରା ଚାଲିଛି କୋଟି କୋଟି ଟଙ୍କାର ନୂତନ ଗୃହ ନିର୍ମାଣ କାର୍ଯ୍ୟ । ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବାଲି, ଗୋଡ଼ି ସିମେଣ୍ଟ , କଂକ୍ରିଟ, ପଥର, ଇଟା, ପଟ।, କଣ୍ଟା ପ୍ରଭୃତି ସରଞ୍ଜାମ ଗୁଡ଼ିକ ମେଡିକାଲ ଚାରି ପାଖରେ ବିଛାଇ ହୋଇ ପଡିଥିବାରୁ ହନ୍ତସନ୍ତ ହେଉଛନ୍ତି ମେଡ଼ିକାଲକୁ ଆସୁଥିବା ରୋଗୀ । ସୂଚନାରୁ ଜଣାଯାଏ ୧୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ନିର୍ମିତ ହେଉଥିବା ଘର କାମ ଚାଲିଥିବା ବେଳେ ଏଠାରେ କୌଣସି ସୂଚନା ଫଳକ ଲାଗି ନଥିବାରୁ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘର ନିର୍ମାଣ କାର୍ଯ୍ୟ ବ୍ୟବହାର ହେଉଥିବା ଇଟ। ଅତି ନିମ୍ନମାନର ବୋଲି ଚର୍ଚ୍ଚା ହେଉଛି । ରଡ୍ କେବଳ ସେଲ ଟାଇଗରରେ ଚାଲିଛି, ଯାହାକି ନିମ୍ନମାନର ହୋଇଥିବାରୁ ଏତେ ବଡ଼ ବିଲଡିଂକୁ ଟାଟା, ଜିନ୍ଦଲ, ସେଲ୍ , ଶ୍ୟାମ ଷ୍ଟିଲ ପ୍ରଭୃତି ଉଚ୍ଚ ମାନର ରଡ୍ ଲଗାଇବା ପରିବର୍ତ୍ତେ ଅତି ନିମ୍ନମାନର ରଡ଼ ଲଗା ଯାଉଥିବା ଜଣାପଡ଼ିଛି । ଏହି ରଡ଼କୁ ଲଗାଇବା ବେଳେ ସରକାରଙ୍କ ତରଫରୁ ଯାଞ୍ଚ ପ୍ରକ୍ରିୟା , ସରକାରୀ କ୍ୱାଲିଟ କଣ୍ଟୋଲର ଟେଷ୍ଟ ରିପୋର୍ଟ କରାଯାଇ ବ୍ୟବାହର କରିବା ଥିବା ବେଳେ କିନ୍ତୁ ଏଠି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଲିଛି ମନମାନୀ କାର୍ଯ୍ୟ । ଯାହା ଫଳରେ ଏଠାରେ ମନମୁଖୀ କାର୍ଯ୍ୟ ଚାଲିଛି ,। ଏହାକୁ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ମାନଂକର ମଧ୍ୟ ଦେଖା ଦର୍ଶନ ନଥିବାରୁ ଠିକାଦାର ଜଣଙ୍କ ନିମ୍ନ ମାନର ସାଙ୍ଗକୁ ମନ୍ଥର ଗତିରେ କାର୍ଯ୍ୟ ଚଳାଇଛି । ଏହି ନେଇ ବିଭାଗୀୟ ଯନ୍ତ୍ରୀ ମୋହନ ଲାଲ୍ ଘୋଷ ଙ୍କୁ ଯୋଗାଯୋଗ କରିବାରୁ ମୁଁ କେତେ ଟଙ୍କା ର କାମ ମନେ ନାହଁ, ସେଠାକୁ ଗଲେ ଏଷ୍ଟିମେଟ୍ ସହ ଦେଖାଇ ଦେବି ବୋଲି କହିଥିଲେ, ତୁରନ୍ତ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସଧାରଣ ରେ ଦାବୀ ହେଉଛି ।

କାମାକ୍ଷାନଗର ମହାବିଦ୍ୟାଳୟ ରେ ସ୍ୱାମୀ ବିବୋନନ୍ଦଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ

କାମାକ୍ଷାନଗର – କାମାକ୍ଷାନଗର ମହାବିଦ୍ୟାଳୟ ପରିସରରେ ମହାନ ଦାର୍ଶନିକ, ଆଧ୍ୟାତ୍ମିକ ଗୁରୁ ତଥା ଯୁବ ସମାଜ ର ପ୍ରେରଣାଦାତା ସ୍ୱାମୀ ବିବୋନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଅଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ମହାନ୍ତି, ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ, ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର, ଅଧ୍ୟାପକ ସତ୍ୟନାରାୟଣ ମିଶ୍ର, ଅଧ୍ୟାପକ ଶରତ ଚନ୍ଦ୍ର ବେହେରା, ଅଧ୍ୟାପକ ରଶ୍ମିରଂଜନ ସେନାପତି, ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ଅଧ୍ୟାପକ ଡ଼ ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର, ଅଧ୍ୟାପିକା ବୀଣାପାଣି ନାଏକ, ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁ, ଶିକ୍ଷା କର୍ମଚାରୀ ପଞ୍ଚାନନ ଜେନା, ଶରତ ଚନ୍ଦ୍ର ରାଉତ ସମେତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତରଛାତ୍ରୀମାନେ ଯୋଗଦେଇ ତାଙ୍କର ଆଦର୍ଶ, ତ୍ୟାଗ, ଜ୍ଞାନ , ଓ ମାନବସେବାର ବାର୍ତ୍ତାକୁ ସ୍ମରଣ କରିଥିଲେ । ମହାବିଦ୍ୟାଳୟ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାନ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଅଛି।

ଢେଙ୍କାନାଳ ଲଷ୍ମୀପୂଜା, ଝିଲିମିଲି ଆଲୋକରେ ଝଲସୁଛି ସହର

ଢେଙ୍କାନାଳ- ଗଜଲକ୍ଷ୍ମୀ ପୂଜା ଅବସରରେ ସୁଉଚ୍ଚ ତୋରଣ ଓ ଲାଇଟ ଗେଟରୁ ଆଗନ୍ତୁକଙ୍କୁ ସ୍ବାଗତ କରୁଛି ଢେଙ୍କାନାଳ ସ‌ହର । ସାଜସଜ୍ଜାରେ ଦର୍ଶକଙ୍କ ମନ ପୁରିଉଠୁଛି । କେଉଁଠି ନୂଆ ନୂଆ ଲାଇଟର ଯାଦୁ ତ ଆଉ କେଉଁଠି ତୋରଣରେ କଳାକୃତି ସ୍ପର୍ଶ। ଝିଲିମିଲି ଆଲୋକମାଳାରେ ସହର ଝଲସି ଉଠୁଥ‌ିବା ବେଳେ ସହରଟି ଇନ୍ଦ୍ରପୁରୀ ସଦୃଶ ଦେଖୁବାକୁ ମିଳୁଛି। ଯୁଆଡ଼େ ଚାହିଁବ ଅପୂର୍ବ ସାଜସଜ୍ଜାର ଝଲକ। ଭିଡ଼ କାଟି ମଣ୍ଡପରେ ମା’ଙ୍କୁ ଦେଖିଦେଲେ ଦେହରେ ଖେଳି ଯାଉଛି ଅପୂର୍ବ ଶିହରଣ । ଗଜଲକ୍ଷ୍ମୀ ପୂଜା ପାଇଁ ଏଭଳି ଭାବେ ସଜେଇ ହୋଇଛି ଢେଙ୍କାନାଳ ସ‌ହର।

ପୂଜା ର ଚତୃର୍ଥ ଦିନ ବର୍ଷା ସତ୍ତ୍ବେ ଲୋକଙ୍କ ଭିଡ଼ ପୂଜା ମାହୋଲକୁ ସରଗରମ କରିଛି। ଏଥର ସହରର ୪୧ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ହେଉଛି। ପ୍ରାୟ ଦେଢ଼ ମାସ ହେଲା ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ପ୍ରସ୍ତୁତିରେ ଲାଗିଥିଲେ। ସୁଉଚ୍ଚ ତୋରଣ, କପଡ଼ା ଗେଟ ସହ ରଙ୍ଗୀନ ଲାଇଟ ଗେଟ ସହର ଝଲସୁଛି । ଜାତୀୟ ରାଜପଥରୁ ସହରକୁ ପ୍ରବେଶଦ୍ବାରରୁ ହିଁ ରଙ୍ଗୀନ ଆଲୋକମାଳାରେ ଆରମ୍ଭ ହେଇଯାଇଛି। ଆଲୋକମାଳାରେ ଝଲସୁଛି ସହର, ଜମୁଛି ଭିଡ଼ । କଲେଜ ବଜାର ପୂଜା ପ୍ରତିଷ୍ଠାନରେ ଫୁଲର ତୋରଣ ଆକର୍ଷଣୀୟ ହୋଇଥିବା ବେଳେ ବିଭିନ୍ନ ପୂଜା ପ୍ରତିଷ୍ଠାନର ଲାଇଟ ଗେଟଗୁଡ଼ିକ ମନ ଜିଣୁଛି। । ଗଣେଶ ବଜାରରେ କଟକୀ ତରକାସି ଚାନ୍ଦିମେଢ଼ ଦେଖି ଭକ୍ତ ଉଲ୍ଲସିତ ଭାବବିଭୋଳ ହେଉଛନ୍ତି l ଲକ୍ଷ୍ମୀପୂଜାର ଭକ୍ତଙ୍କ ଭିଡ଼ରେ ଗଣେଶ ବଜାର, ମହାବୀର ବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ମୀନାବାଜାର, କାଞ୍ଚନ ବଜାର, ଅନନ୍ଦବଜାର ହୋଇ ବାଜିଚୌକ ଯାଏ ଜନସମୁଦ୍ର ଲକ୍ଷ୍ମୀ ପୂଜାର ସ୍ବତନ୍ତ୍ରତାକୁ ଅନୁଭବ କରୁଛନ୍ତି । କୈବଲ୍ୟ ବଜାରର ଟିସୁ ପେପରରେ ତିଆରି ତୋରଣ ସମସ୍ତଙ୍କୁ ବାନ୍ଧି ରଖୁଛି । ସେହିଭଳି ସହରର କୋରିଆଁ ଯାଏ ଆଲୋକମାଳା ଲମ୍ବିଛି। ମହିଷାପାଟରେ ଅନ୍ୟତମ ଆକର୍ଷଣ ପଲ୍ଲିଶ୍ରୀ ମେଳାରେ ବୁଲାବୁଲି ସହ ଲୋକେ ଭଳିକି ଭଳି ଖାଦ୍ୟର ମଜା ନେଉଛନ୍ତି ଓ ଘରକରଣା ସାମଗ୍ରୀ କିଣୁଛନ୍ତି। ଓଡିଶା ର ବିଭିନ୍ନ ଜିଲ୍ଲାରୁ ମା ଲଷ୍ମୀ ଙ୍କ ଦର୍ଶନ ନିମନ୍ତେ ବହୁ ସଂଖ୍ୟା ରେ ବର୍ଷା କୁ ଭୁକ୍ଷପ ନ କରି ପୂଜା ପୂଜା ବୁଲିବାର ଆନନ୍ଦ ଉପଭୋଗ କରୁଛନ୍ତି l ପ୍ରକାଶ ଥାଉକି ଯେତେ ଭିଡ଼ ଭିତରେ ମା ଙ୍କ ଦର୍ଶନ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପ୍ରତେକ ପୂଜା କମିଟି ଓ ପ୍ରଶାସନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି l କଟକ, ଭୁବନେଶ୍ବର, ଅନୁଗୋଳ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରୁ ଦର୍ଶକ ଆସିବା ର ଦଖିବାକୁ ମିଳିଛି ।

ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ 

“ଅତୀତ ବର୍ତ୍ତମାନ ପାଇଁ ପ୍ରେରଣା ଏବଂ ଭବିଷ୍ୟତ ପାଇଁ ସମ୍ଭାବନା”

ଢେଙ୍କାନାଳ- ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ଢେଙ୍କାନାଳ ପକ୍ଷରୁ ବୁଧବାର ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ପ୍ରେକ୍ଷ୍ୟାଳୟରେ ଏକ ଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଉପଜିଲ୍ଲାପାଳ ପଦ୍ମଚରଣ ସାହୁ ମୁଖ୍ୟ ଅତିଥି, ସଂସ୍କୃତି ଅଧିକାରୀ ଜ୍ୟୋତିରଞ୍ଜନ ସାହୁ, ନାଟ୍ୟକାର ଦିନେଶ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଡ. ପୁଷ୍ପଲତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଢେଙ୍କାନାଳ ଜିଲ୍ଲାର ବରପୁତ୍ରଙ୍କ ଅବଦାନ ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବରେ ଡ. ଉଦ୍ଧବ ନାୟକ ଏବଂ ସମ୍ମାନୀତ ବକ୍ତା ଭାବରେ ଡ. ରବୀନ୍ଦ୍ର ବିହାରୀ ଯୋଗଦେଇ ଢେଙ୍କାନାଳର ବରେଣ୍ୟ ବୀରପୁତ୍ରମାନଙ୍କର କୃତି ଓ କୀର୍ତ୍ତି ସମ୍ପର୍କରେ ଗବେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂ ସ୍ୱାଗତ ଭାଷଣ ଏବଂ ସାମାପନୀ ବକ୍ତବ୍ୟ ରଖିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବାହାଦୁର ପାଟଶାହାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅତିଥି ଭାବରେ ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ, ପ୍ରମୋଦ ପରିଡା ଯୋଗ ଦେଇଥିବା ବେଳେ ଶିଳ୍ପୀ ପରେଶ ପଟ୍ଟନାୟକ, କବି ସନ୍ତୋଷୀ ସ୍ୱାଇଁ କବିତା ସଂଯୋଜନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାତାରା ସାହିତ୍ୟ ସଂସଦ, କଵିଭୂଷଣ ସ୍ମୃତି ସଂସଦ, ବ୍ରଜନାଥ ବଡ଼ଜେନା ସାହିତ୍ୟ ସଂସଦ, ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ, ପ୍ରୀତିର ପ୍ରୟାସ, ଛଦେଶ ସାହିତ୍ୟ ସଂସଦ, ରେଣୁବାଳା ସାହିତ୍ୟ ସଂସଦ, ମନୋରଞ୍ଜନ ସାହିତ୍ୟ ଏକାଡେମୀ ଓ ଆଞ୍ଚଳିକ ସାହିତ୍ୟ ସେବା ସଂସଦ, ଭୁବନର ସଦସ୍ୟ ସଦସ୍ୟାଙ୍କ ସମେତ ବହୁ କବି, କବୟିତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ସଂସ୍କୃତି ଅଧିକାରୀ ଜ୍ୟୋତିରଞ୍ଜନ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ୮୯ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରା

ଢେଙ୍କାନାଳ- ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ୮୯ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ ଦର୍ଶନ ନିମନ୍ତେ ଯାତ୍ରା କରିଛନ୍ତି। ଏହି ଉପଲକ୍ଷେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱସ୍ତିରଞ୍ଜନ ସାହୁ ବସ୍‌ଗୁଡ଼ିକୁ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିସହ ଯାତ୍ରୀମାନଙ୍କ ସୁଖଦ ଓ ନିରାପଦ ଯାତ୍ରା କାମନା କରିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏହି ୮୯ ଜଣ ତୀର୍ଥଯାତ୍ରୀ ବସ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ନୂଆ ଭୁବନେଶ୍ୱର ରେଳ ଷ୍ଟେସନରୁ ୬ଟି ଜିଲ୍ଲାର ମୋଟ ୭୭୫ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ।ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବା ସହ ସେମାନଙ୍କ ଧାର୍ମିକ ଭାବନା ଓ ଆଧ୍ୟାତ୍ମିକ ଅନୁଭୂତିକୁ ସମୃଦ୍ଧ କରିବାରେ ସହାୟକ ହେଉଛି।

ହିନ୍ଦୋଳରେ ହାତୀ ଆତଙ୍କ ପୁଣି ଜଣଙ୍କର ଜୀବନ ନେଲା ହାତୀ

ହାତୀଙ୍କ ସୁରକ୍ଷା ଯେତିକି ଜରୁରୀ, ମଣିଷଙ୍କ ଜୀବନର ସୁରକ୍ଷା ମଧ୍ୟ ସେତିକି ଜରୁରୀ

ଢେଙ୍କାନାଳ- ହିନ୍ଦୋଳ ଅଞ୍ଚଳରେ ମଣିଷ ଓ ହାତୀଙ୍କ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଏବେ ଏକ ଗମ୍ଭୀର ଚିନ୍ତାର ବିଷୟ। ବାରମ୍ବାର ହାତୀ ଆକ୍ରମଣରେ ନିରୀହ ମଣିଷଙ୍କ ଜୀବନ ଯାଉଥିବା ବେଳେ ଅଞ୍ଚଳବାସୀଙ୍କ ମନରେ ଭୟ ଓ ଧନ ଜୀବନ ସୁରକ୍ଷା ଚିନ୍ତା ବଢ଼ିଚାଲିଛି।

ଗତକାଲି କନ୍ତିମିଲି ପଞ୍ଚାୟତର କନ୍ତିମିଲି ଗ୍ରାମରେ ଘଟିଥିବା ଦୁଃଖଦ ଘଟଣା ଅତ୍ୟନ୍ତ ମର୍ମାହତ କରିଛି। ସକାଳ ଆଠଟା ବେଳେ ନିଜ ବଗିଚାକୁ ଫସଲ ଦେଖିବାକୁ ଯାଇଥିବା ଗ୍ରାମର ଅଭିରାମ ବେହେରା (୬୮) ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଖବର ଅଞ୍ଚଳବାସୀଙ୍କୁ ଶୋକାକୁଳ କରିଛି। ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ବରଂ ସମଗ୍ର ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ।

ପ୍ରଶ୍ନ ଉଠୁଛି—ମଣିଷ ଓ ହାତୀଙ୍କ ମଧ୍ୟରେ ଏହି ସଂଘର୍ଷର ଅନ୍ତ କେବେ ହେବ? ଲୋକମାନେ ନିଜ ଜମି, ବଗିଚା ଓ ଫସଲ ଦେଖିବାକୁ ମଧ୍ୟ ଭୟ କରିବେ କି ? ଆଉ କେତେ ପରିବାର ନିଜର ପ୍ରିୟଜନଙ୍କୁ ହରାଇବା ପରେ ପ୍ରଶାସନର ଚେତା ପଶିବ?ହାତୀଙ୍କ ସୁରକ୍ଷା ଯେତିକି ଜରୁରୀ, ମଣିଷଙ୍କ ଜୀବନର ସୁରକ୍ଷା ମଧ୍ୟ ସେତିକି ଜରୁରୀ। ଏଥିପାଇଁ ବନ ବିଭାଗ ଓ ପ୍ରଶାସନ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବା ଆବଶ୍ୟକ।

ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ତୁରନ୍ତ ସତର୍କ ସୂଚନା ବ୍ୟବସ୍ଥାକୁ ମଜବୁତ୍ କରାଯାଉ। ଗ୍ରାମବାସୀଙ୍କୁ ହାତୀଙ୍କ ଗତିବିଧି ବିଷୟରେ ସମୟୋଚିତ ସୂଚନା ଦିଆଯାଉ। ମଣିଷ–ହାତୀ ସଂଘର୍ଷ ରୋକିବା ପାଇଁ ଏକ ସ୍ଥାୟୀ ଓ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରାଯାଉ। ଯଦି ଯୋଜନା ପ୍ରସ୍ତୁତ କରି ପାରୁନାହାନ୍ତି ତେବେ ଆମ ଜନସାଧାରଣଙ୍କ ଠାରୁ ଯୋଜନା ପଚାରି ବୁଝନ୍ତୁ ।

ଆମେ ହାତୀଙ୍କ ଶତ୍ରୁ ନୁହେଁ, କିନ୍ତୁ ନିରୀହ ମଣିଷଙ୍କ ଜୀବନ ମଧ୍ୟ ଅମୂଲ୍ୟ। ଆଉ କେତେ ମୃତ୍ୟୁ ପରେ ପ୍ରଶାସନ ଜାଗିବ? ଏହି ପ୍ରଶ୍ନର ଉତ୍ତର କେବଳ ପ୍ରତିଶ୍ରୁତିରେ ନୁହେଁ, ବରଂ ଠୋସ୍ କାର୍ଯ୍ୟାନୁଷ୍ଠାନରେ ମିଳିବା ଦରକାର। ପ୍ରଶାସନ ଓ ବନ ବିଭାଗଙ୍କୁ ନିବେଦନ ଆଉ ଏକ ଅମୂଲ୍ୟ ଜୀବନ ଯିବା ପୂର୍ବରୁ ଜାଗନ୍ତୁ, ଲୋକଙ୍କ ଜୀବନ ବଞ୍ଚାନ୍ତୁ।

ସୁଭଦ୍ରା ଦିଦି ଖାଦ୍ୟ ଟ୍ରକ୍ ଉଦ୍ଘାଟନ 

ଢେଙ୍କାନାଳ – ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ପଞ୍ଚାୟତ ଠାରେ ସ୍ୱୟଂ ସହାୟକ ଗୋଷ୍ଠିର”ମା” ମାନଙ୍କୁ ନେଇ ସୁଭଦ୍ରା ଶକ୍ତିର, ସୁଭଦ୍ରା ଦିଦି ଖାଦ୍ୟ ଟ୍ରକ୍ ଉଦ୍ଘାଟନ ହୋଇଯାଇଛି ।ଏହି ଟ୍ରକ୍ ମାଧ୍ୟମରେ ସୁଭଦ୍ରା ଦିଦି ମାନେ ନିଜର ହାତ ତିଆରି ସୁସ୍ୱାଦୁ ଜଳଖିଆ ଓ ଖାଦ୍ୟ ସବୁ ତିଆରି କରି ସହଜରେ ପ୍ରତେକ୍ ଜାଗାରେ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବା ସହିତ ନିଜେ ଆତ୍ମ ନିର୍ଭର ଶିଳ ହୋଇପାରିବେ।ଏହି ଉଦ୍ଘାଟନ ଉତ୍ସବ ରେ ହିନ୍ଦୋଳ ବିଧାୟୀକା ଶ୍ରୀମତୀ ସିମାରାଣୀ ନାୟକ,ଓଡ଼ାପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, (ଡି.ପି.ଏମ୍) ସତ୍ୟଭାମା ପ୍ରଧାନ,(ବି.ପି.ଏମ୍) ପୂର୍ଣ୍ଣିମା ପାତ୍ର ପ୍ରମୁଖ ଯୋଗଦେଇ ଏହି ବ୍ୟବସାୟ ମାଧ୍ୟମରେ କିପରି ସୁଭଦ୍ରା ଶକ୍ତିର “ମା” ମାନେ ନିଜେ ସ୍ଵବାଲମ୍ବୀ ହେବା ସହିତ ନିଜ ପରିବାର ର ଆର୍ଥିକ ଉନ୍ନତି କରିପାରିବେ ସେହି ବିଷୟରେ ଆଲୋଚନ କରିଥିଲେ। ବିଧାୟୀକା ଶ୍ରୀମତୀ ସିମାରାଣୀ ନାୟକ ସୁଭଦ୍ରା ମା’ମାନଙ୍କ ସହ ମିଶି ସେମାନଙ୍କ ଉତ୍ସାହ ଓ ମନୋବଳକୁ ବଢ଼ାଇବା ସହିତ ଆଗାମୀ ଦିନରେ ଏହି ଅଭିଯାନ ପ୍ରତେକ ପଞ୍ଚାୟତରେ ଉପଲବ୍ଧ କରାଯାଇ,ନାରୀ ଶକ୍ତିକୁ ଆହୁରି ସୁଦୃଢ଼ କରିବା ସହିତ ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ୱୀ ଓ ଆତ୍ମନିର୍ଭର ଶିଳ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଓଡ଼ାପଡ଼ା ବ୍ଲକ୍ ର (ବି.ପି.ଏମ୍) ପୂର୍ଣ୍ଣିମା ପାତ୍ର ପରିଚାଳନ କରିଥିବାବେଳେ, ସୁଭଦ୍ରା ଶକ୍ତିର “ମା” ମାନେ ତାଙ୍କୁ ସହଯୋଗ କରିଥିଲେ।

ଭାପୁର-ଛଦେଶ ଅଞ୍ଚଳରେ ଅବାଧ ଚୋରା ଦେଶୀ-ବିଦେଶୀ ମଦ କାରବାର ବଢୁଛି

ଢେଙ୍କାନାଳ –  ଭାପୁର-ଛଦେଶ ଅଞ୍ଚଳରେ ଅବାଧ ମଦ କାରବାର ବଢିବାରେ ଲାଗିଛି। ବିଭିନ୍ନ ଗ୍ରାମାଞ୍ଚଳରେ ବେଧଡ଼କ ନିଶା କାରବାର ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ: ଗାଁ ଗହଳିରେ ପାନ ଦୋକାନଠାରୁ ଆରମ୍ଭ କରି ରାସନ ଦୋକାନ,ହୋଟେଲ,ଢାବା ଆଦିରେ ଦେଶୀ ଓ ବିଦେଶୀ ମଦ ମିଳୁଛି। ଭାପୁରର ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଚୋରାରେ ପେଟି ପେଟି ବିଦେଶୀ ମଦ ଗାଁ ଗହଳିର ଛୋଟ ଛୋଟ ଚୋରା ଦୋକାନୀଙ୍କୁ ଖୁଲମଖୋଲା ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି। ଅବକାରୀ ବିଭାଗ କାଁ ଭାଁ ଚଢ଼ାଉ କରି ଛୋଟ ଛୋଟ ବେପାରୀଙ୍କୁ ଧରୁଥିବା ବେଳେ ବଡ ମାଫିଆଙ୍କ ଟେର୍ ପାଇପାରୁନି ବୋଲି ଚର୍ଚ୍ଚା ହେଉଛି। ବିଭାଗର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ମଦ ମାଫିଆଙ୍କ ସହ ସଲାସୁତୁରା କରି ଚୋରା କାରବାରକୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଜବତ କରାଯାଉଥିବା ବେଳେ କାଗଜପତ୍ରରେ କମ୍ ପରିମାଣ ଦର୍ଶାଇ ଦଫାକୁ କୋହଳ କରି ବେଲ୍ ମିଳିବା ବାଟ ଖୋଲା ଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଛି। ଚୋରା ମଦ କାରବାର ଚାଲିଥିବା ଅଞ୍ଚଳ ଗୁଡିକ: ଭାପୁର ଗାଁର ଶବରସାହି, ଧୋବାସାହି,ଗୋଡିସାହି,ଗଞ୍ଜେଇଡିହ,କଦମ୍ବପାଳ,କାକୁଡିଭାଗ,ରଥପଦା,ରଥିଆପାଳ,ଭାଗିରଥୀପୁର,କାଞ୍ଜିଆବେରେଣି,ବିମ୍ବୋଳ,ବାଲ୍ୟମ୍ବା,ଅଉଖମା,ଶଙ୍କରପୁର,କୋରଙ୍ଗା,ଧିରପାଟଣା,କଳାଙ୍ଗ,ଡିହଖମଣି,ଘଟିପିରି,ମହୁଲପୁଞ୍ଜିର ହରିପୁର ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚାଲିଛି। ବିଶେଷ କରି ପାଉଚ୍ ମଦ ଖୁଲମଖୋଲା ବିକ୍ରି ହେଉଛି ଏବଂ କୋରଙ୍ଗାରେ ମହୁଲ ମଦ ପ୍ରସ୍ତୁତ କରି ଗାଁ ଗଣ୍ଡାକୁ ଚାଲାଣ ହେଉଛି ବୋଲି ଅଭିଯୋଗ। ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିକଟରେ ଦାବି ହୋଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ ଜିଲ୍ଲାରେ ବିଶ୍ୱ ତମ୍ବାଖୁ ନିବାରଣ ଦିବସ ପାଳିତ , ଜାତୀୟ ତମ୍ବାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡ ଜିଲ୍ଲା ରାଜ୍ୟରେ ପ୍ରଥମ 

ମୋବାଇଲ ଫାଟି ନାବାଳକ ଆହତ 

masiha

କାଠ ତସ୍କରଙ୍କ ଭୟରେ ଗ୍ରାମବାସୀ,  ଅବାନ୍ତର ଗଛ କଟାକୁ ପ୍ରଶ୍ରୟ ଦେଉଛି କି ବନ ବିଭାଗ?

masiha

Leave a Comment

error: Content is protected !!