ଜିଲ୍ଲା ପ୍ରଶାସନର ତତ୍ପରତା: ଦିବ୍ୟାଙ୍ଗ ଛାତ୍ରୀ ଜାନକୀ ଭତ୍ରାଙ୍କ ପୁନଃ ଶିକ୍ଷାଗ୍ରହଣ ପାଇଁ ବ୍ୟବସ୍ଥା
ନବରଙ୍ଗପୁର:( ୩୦ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ଆର୍ଥିକ ଅନଟନ ଓ ପାରିବାରିକ ପରିସ୍ଥିତି ଯୋଗୁଁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିବା ଝରିଗାଁ ବ୍ଲକ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମର ୧୫ ବର୍ଷୀୟା ଦିବ୍ୟାଙ୍ଗ ଛାତ୍ରୀ ଜାନକୀ ଭତ୍ରାଙ୍କ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜାନକୀ ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସମ୍ଭବ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜାନକୀଙ୍କ ପାଠପଢ଼ା ପୁନର୍ବାର ଆରମ୍ଭ କରିବାର ବ୍ୟବସ୍ଥା କରିଛନ୍ତି। ଏହାର ପରିଣାମସ୍ୱରୂପ, ନବମ ଶ୍ରେଣୀ ପରେ ପାଠପଢ଼ା ବନ୍ଦ କରିଥିବା ଜାନକୀ ଭତ୍ରାଙ୍କୁ ଆଜି ଝରିଗାଁସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ (SIOS)ରେ ନାମ ଲେଖାଇ ଦିଆଯାଇଛି। ଫଳରେ ଜାନକୀ ପୁନର୍ବାର ନିଜର ଶିକ୍ଷା ଜାରି ରଖିବାର ସୁଯୋଗ ପାଇଛନ୍ତି।ଦାରିଦ୍ର୍ୟ, ଦିବ୍ୟାଙ୍ଗତା କିମ୍ବା ଅନ୍ୟ କୌଣସି ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯେପରି କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ନ ହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ। ଏଥିସହ ଜାନକୀ ଓ ତାଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଅନ୍ତର୍ଭୁକ୍ତିମୂଳକ ଶିକ୍ଷା, ସାମାଜିକ କଲ୍ୟାଣ ଏବଂ ପ୍ରତ୍ୟେକ ଶିଶୁଙ୍କୁ ନିଜ ସ୍ୱପ୍ନ ପୂରଣ କରିବାର ସୁଯୋଗ ପ୍ରଦାନ କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହା ଏକ ଦୃଢ଼ ପ୍ରତିବଦ୍ଧତାର ପ୍ରତିଫଳନ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

