ନୂତନ NACରେ ଖାଲିଆଭଟା ପଞ୍ଚାୟତକୁ ସାମିଲ କରିବାକୁ ବିରୋଧ
ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
କଳାହାଣ୍ଡି ଜିଲ୍ଲା,ଜୟପାଟଣା ବ୍ଲକରେ ନୂତନ ଭାବେ ଗଠିତ ଏନ୍ଏସି (NAC)ରେ ଖାଲିଆଭଟା ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରି ପଞ୍ଚାୟତବାସୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତିକୁ ବିରୋଧ କରି ପଞ୍ଚାୟତର ବାସିନ୍ଦାମାନେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ନିଜର ଦାବି ଜଣାଇଛନ୍ତି।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ଖାଲିଆଭଟା ପଞ୍ଚାୟତକୁ ନୂତନ ଏନ୍ଏସିରେ ସାମିଲ କରିବା ନିଷ୍ପତ୍ତିକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ୱାରା ପଞ୍ଚାୟତବାସୀଙ୍କ ଜୀବନଜୀବିକା ଓ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ଉପରେ କି ପ୍ରଭାବ ପଡ଼ିବ, ସେନେଇ ମଧ୍ୟ ସେମାନେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଖଲିଆଭଟା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୭ ଓ ୮ ନମ୍ବର ତଥା ମିଲପଡା, ଗୀତା ଭବନ ପଡା ଓ ବନମାଳୀ ପୁର ସମେତ ଖଲିଆଭଟା ବାସିନ୍ଦା ପକ୍ଷରୁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଖାଲିଆଭଟା ପଞ୍ଚାୟତକୁ ନୂତନ NACରୁ ବାଦ୍ ଦେବାକୁ ଦାବି କରିଛନ୍ତି । ଏଥିସହିତ ସେମାନଙ୍କ ଦାବି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେମାନେ କହିବା ଅନୁଯାୟୀ ପୂର୍ବରୁ ଜୟପାଟଣା ଗୋଷ୍ଠି ଉନ୍ନୟନ ଅଧିକାରୀ, କଳାହାଣ୍ଡି ଜିଲ୍ଲାପାଳ, ଆଡମିନିଷ୍ଟ୍ରସନ ମ୍ୟୁନିସିପାଲ ଡାଇରେକ୍ଟର ଖାରବେଳ ଭବନ ଭୁବନେଶ୍ୱରଙ୍କୁ ମଧ୍ୟ ଲିଖିତ ଆକାରରେ ଜଣାଇଛନ୍ତି। ତଥାପି ତାଙ୍କ କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ତେବେ ପଞ୍ଚାୟତବାସୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଖଲିଆଭଟା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ପୁଝାରୀ ସମେତ ରାଇସିଂ ମାଝୀ, ପୁରଞ୍ଜନ ପୂଝାରୀ, କପିଳ ଧରୁଆ,ହେମନ୍ତ ଶବର, ବଳରାମ ମାଝୀ, ତ୍ରିଲୋଚନ ଶବର, ଗୋମତୀ ଝାଙ୍କର, ଯମୁନା ଶବର, କନକ ଶବର, ଯୁଧିଷ୍ଠିର ମାଝୀ, ଧନମତି ଶବର, ସୁଦେଶ ମାଝୀ ଓ ସମ୍ପୂର୍ଣ୍ଣ ପଂଚାୟତ ବାସି ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ ଏହି ଦାବି ଉପରେ କି ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ନେଇ ଖଲିଆଭଟା ପଂଚାୟତ ବାସୀଙ୍କ ନଜର।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

