ଜୟପାଟଣା ଠାରେ ବ୍ୟବସାୟୀଙ୍କ ଘରେ ପୋଲିସର ଚଢ଼ାଉ, ୧୦ କାର୍ଟୁନ୍ ବାଣ ଜବତ
କଳାହାଣ୍ଡି ଜିଲ୍ଲା, ଜୟପାଟଣା ଥାନା ଇଲାକାରେ ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ଆଜି ଜୟପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ଜୟପାଟଣାର ବାସିନ୍ଦା ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନରେ ପୋଲିସ ଚଢ଼ାଉ କରିଥିଲା । ଆବାସିକ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଏବଂ ବ୍ୟବସାୟ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା । ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏହିଭଳି ଘଟଣାରେ ପ୍ରାୟ ଚାରି ଟ୍ରକ୍ ବାଣ ଜବତ ହୋଇଥିବା ଜଣାପଡ଼ିଛି । ଚଳିତ ଥର ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ କରିବା ସମୟରେ ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନର ଏକ କୋଠରୀରୁ ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ବାଣ ଜବତ କରିଛି । ଜବତ ବାଣଗୁଡ଼ିକୁ ପୋଲିସ ନିଜ ହେପାଜତକୁ ନେଇ ଥାନାରେ ରଖିଛି I ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

