ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ଦିଗୁଡ଼ାରେ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳ ପର୍ଯ୍ୟଟନ ମହୋତ୍ସବ; ବିକାଶ ଓ ଅବହେଳା ପ୍ରସଙ୍ଗରେ ସରକାରଙ୍କୁ ଆହ୍ୱାନ

ମର୍ଦିଗୁଡ଼ାରେ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳ ପର୍ଯ୍ୟଟନ ମହୋତ୍ସବ; ବିକାଶ ଓ ଅବହେଳା ପ୍ରସଙ୍ଗରେ ସରକାରଙ୍କୁ ଆହ୍ୱାନ

: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମର୍ଦିଗୁଡ଼ା ସ୍ଥିତ ମା’ ଇନ୍ଦ୍ରାବତୀଙ୍କ ପବିତ୍ର ଉତ୍ପତ୍ତି ସ୍ଥଳଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦ୍ୱିତୀୟ ତମ ପର୍ଯ୍ୟଟନ ମହୋତ୍ସବ-୨୦୨୬ ସୋମବାର ବେଶ୍ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି । ‘ମା’ ଇନ୍ଦ୍ରାବତୀ ଉତ୍ପତ୍ତି ସ୍ଥଳୀ ଯୁବକ ଅନୁଷ୍ଠାନ’, ମର୍ଦିଗୁଡ଼ା ପକ୍ଷରୁ ସଭାପତି ମୋହନ ସିଂ ମାଝୀ ଓ ସମ୍ପାଦକ ତରୁଣ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ମହୋତ୍ସବରେ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିଲେ ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫଟୋ ସିଂ ଭୋଇ, କୃଷ୍ଣ ଚନ୍ଦ୍ର ନାଏକ, ପୁରୁଷୋତ୍ତମ ନାଏକ, ୱାର୍ଡ ମେମ୍ବର ରାଣୀ ମାଝୀ, ନାଏବ ସରପଞ୍ଚ ସକଳ ଦେଇ ଜାନୀ, ସମିତି ସଭ୍ୟା ରାଣୀ ନାଏକ, ଲାଳ ନାଏକ, ବରିଷ୍ଟ ସାମ୍ବାଦିକ ମନୋଜ କୁମାର ନାଏକ, ଭରତ ବିଶି, ବିଷ୍ଣୁ ଚରଣ ସ୍ୱାଇଁ, ମକୁନ୍ଦ ନାଏକ ଓ ଲାଳଯୋର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ସରପଞ୍ଚ ମତ ପ୍ରକାଶ କରି କହିଛନ୍ତି ଯେ, ପବିତ୍ର ଉତ୍ପତ୍ତି ସ୍ଥଳର ମାଁ ଗଙ୍ଗା ଯମୁନା ଓ ସ୍ୱରସତୀଙ୍କ ତିନି ଜଳଧାରା ଏକ ଆମ୍ବଗଛ ମୂଳରୁ ବାହାରି ନବରଙ୍ଗପୁରଠାରୁ ଆରମ୍ଭ କରି ସମଗ୍ର କଳାହାଣ୍ଡିକୁ ପ୍ରବାହିତ ହୋଇ ଅଞ୍ଚଳକୁ ଧାନ ଚାଷ ଓ ସମୃଦ୍ଧି ଦିଗରେ ଆଗେଇ ନେଇଛି । ତଥାପି ଏହି ଐତିହାସିକ ଓ ପବିତ୍ର ଉତ୍ପତ୍ତି ସ୍ଥଳ ଆଜି ବି ପଛୁଆ ହୋଇ ରହିଛି ଏବଂ ଏହାର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ସ୍ୱୀକୃତି ଦିଗରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ପଡ଼ିପାରୁନାହିଁ । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ଗେଷ୍ଟ ହାଉସ୍, ପାର୍କ ଓ ସୌନ୍ଦର୍ଯ୍ୟକରଣ ଭଳି ମୌଳିକ ଭିତ୍ତିଭୂମି ନିର୍ମାଣ ପାଇଁ ସେ ପର୍ଯ୍ୟଟନ ବିଭାଗ ଓ ସରକାରଙ୍କୁ ଦୃଢ଼ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ଜଳଭଣ୍ଡାର ଓ ପ୍ରକଳ୍ପ ମାଧ୍ୟମରେ ରାଜ୍ୟ ତଥା ବାହାର ଅଞ୍ଚଳ ବିଦ୍ୟୁତ୍, ଜଳସେଚନ ଓ ପାନୀୟ ଜଳ ସୁବିଧା ପାଇ ଲାଭବାନ୍ ହେଉଥିବା ବେଳେ, ବିସ୍ଥାପିତ ହୋଇ ଆଜି ବି ବାସହୀନ ହୋଇ ରହିଥିବା ନିରୀହ ପରିବାରଙ୍କ ଦୁର୍ଦ୍ଦଶା ଏବଂ ଉତ୍ପତ୍ତି ସ୍ଥଳର ଘୋର ଅବହେଳା ଉପରେ ମହୋତ୍ସବରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ସରକାର ପରେ ସରକାର ଓ ପ୍ରଶାସନ ବଦଳିଥିଲେ ମଧ୍ୟ ମର୍ଦିଗୁଡ଼ା ଉତ୍ପତ୍ତି ସ୍ଥଳର ରୂପରେଖ ବଦଳିପାରି ନାହିଁ ।

ଉତ୍ପତ୍ତି ସ୍ଥଳର ବିକାଶ ନହେବା ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ମହୋତ୍ସବ ଜାରି ରଖି ସରକାର ଓ ଜନପ୍ରତିନିଧିଙ୍କୁ ଜାଗ୍ରତ କରିବା ପାଇଁ ଆୟୋଜକ ଓ ଅତିଥିମାନେ ସଂକଳ୍ପ ନେଇଛନ୍ତି । ଭବିଷ୍ୟତରେ ଏହି ଉତ୍ସବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ପର୍ଯ୍ୟଟନ ବିଭାଗ ତୁରନ୍ତ ମର୍ଦିଗୁଡ଼ା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମହୋତ୍ସବ ମାଧ୍ୟମରେ ସରକାରଙ୍କୁ କଡ଼ା ଆହ୍ୱାନ ଦିଆଯାଇଛି ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

masiha

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣା ପ୍ରଦାୟୀ ହେବ : ରାଜେନ୍ଦ୍ର ପତି 

Sunil Chandra Nayak

Leave a Comment

error: Content is protected !!