ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାମୋହନ ପୂଜାହାରୀ ଙ୍କ କବିତା ମହମବତୀର ତ୍ୟାଗ

ମହମବତୀର ତ୍ୟାଗ

ଏକଦା ମୋ ଘରେ ବରଷା ରାତିରେ 

ହଜିଗଲା ବିଜୁଳିଟା,

ଘରଟା ସାରା ମୋ ଛିଟୁକୁଥିଲା ସେ 

ଅମାନିଆ ବର୍ଷା ଛିଟା l *(୧)*

 

ଅଧା ଭିଜା ଦେହେ ବହୁ କଷ୍ଟ କରି

ବନ୍ଦ କଲି ଝରକାଟି,

ତଥାପି ବି ବର୍ଷା ବୁନ୍ଦା ସ୍ପର୍ଶ ପାଇ

ମହକୁଥିଲା ମା’ ମାଟି l *(୨)*

 

ଅମାଅନ୍ଧକାରେ ମୋ ନେତ୍ର ଯୁଗଳ 

ଦେଖି ପାରିଲେନି କିଛି,

ଘରେ ଆସବାବ ଏଣେତେଣେ ସବୁ 

ପଡ଼ିଥିଲେ ହୋଇ ବିଞ୍ଛି l *(୩)*

 

ତଥାପି ଚଞ୍ଚଳ ପାଦଦ୍ୱୟ ମୋତେ  

ଘେନିଗଲେ ଥାକ ପାଖେ,

ଅନ୍ଧାରେ ଅଣ୍ଡାଳୁ-ଅଣ୍ଡାଳୁ ବାଜିଲା 

ମହମବତୀଟା ହାତେ l *(୪)*

 

ମହମବତୀକୁ ଜାଳି ଯେବେ ଦେଲି 

ଆଲୋକିତ ହେଲା ଘର,

ବର୍ଷା ବାଆ ଖାଇ ଖଟିଆ ଡାକିଲା

ନିଦୁଆ ଆଖିକୁ ମୋର l *(୫)*

 

ଆଖି ବନ୍ଦ କରି ଶୋଇଲା ବେଳକୁ 

ଶୁଣିଲି ମୁଁ ନିଜ କାନେ,

ସୂତା ପଚାରୁଛି ମହମକୁ ଗୋଟେ 

ପ୍ରଶ୍ନ ଅତି ଅଭିମାନେ l *(୬)*

 

ମହମକୁ ସୂତା ପଚାରୁଛି ଦୁଃଖେ 

ମୁଁ ଯେବେ ନିଆଁ ରେ ଜଳେ,

ମୋତେ ଜଳୁଥିବା ଦେଖି କାହିଁକି ଲୋ 

ହୃଦୟଟା ତୋ’ ତରଳେ ? *(୭)*

 

ତା’ ଜଟିଳ ପ୍ରଶ୍ନେ ସ୍ତବ୍ଧ ମହମଟା

କ’ଣ ବା ତା’କୁ କହିବ ?

ଆଖି ଆଗେ ଆତ୍ମୀୟଙ୍କ ମୃତ୍ୟୁ ଦେଖି 

ଆତ୍ମା ବା କା’ର ସହିବ ! *(୮)*

 

ରୁଦ୍ଧଗଳାରେ ସେ ତଥାପି କହିଲା 

ମୋ ହୃଦେ ସ୍ଥାନ ଯାହାର,

ଦେଖି କି ପାରିବି ନିଆଁ ଦେହେ ଜଳି 

ତା’କୁ ମୁଁ ମରୁଥିବାର ? *(୯)*

 

ତଥାପି ଛାତିକୁ ପଥର କରି ବି  

ହୃଦ ମୋ ଆଜି ତରଳେ,

ତୋତେ ହରାଇବା ଦୁଃଖେ ଆଜି ନେତ୍ରୁ

ଲୁହ ଟିକେ ଝରିପଡ଼େ l *(୧୦)*

 

ଲୁହ ତ ନୁହଁ ଏ ମୋ ହୃଦୟ ଲହୁ 

ଯାହା ଅଛି ଝରିଯାଉ,

ସୂତା ଲୋ ତୋ ମୃତ୍ୟୁ ଦେଖିବା ପୂର୍ବରୁ 

ପ୍ରାଣ ମୋର ସରିଯାଉ l *(୧୧)*

 

 

ରାଧାମୋହନ ପୂଜାହାରୀ

ବୀରମହାରାଜପୁର   ସୁବର୍ଣ୍ଣପୁର

Related posts

ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଦେହାନ୍ତ

Sunil Chandra Nayak

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ଉତ୍ସାହ ୨୦୨୨ ଅୟୋଜିତ

Sunil Chandra Nayak

Leave a Comment

error: Content is protected !!