ମହମବତୀର ତ୍ୟାଗ
ଏକଦା ମୋ ଘରେ ବରଷା ରାତିରେ
ହଜିଗଲା ବିଜୁଳିଟା,
ଘରଟା ସାରା ମୋ ଛିଟୁକୁଥିଲା ସେ
ଅମାନିଆ ବର୍ଷା ଛିଟା l *(୧)*
ଅଧା ଭିଜା ଦେହେ ବହୁ କଷ୍ଟ କରି
ବନ୍ଦ କଲି ଝରକାଟି,
ତଥାପି ବି ବର୍ଷା ବୁନ୍ଦା ସ୍ପର୍ଶ ପାଇ
ମହକୁଥିଲା ମା’ ମାଟି l *(୨)*
ଅମାଅନ୍ଧକାରେ ମୋ ନେତ୍ର ଯୁଗଳ
ଦେଖି ପାରିଲେନି କିଛି,
ଘରେ ଆସବାବ ଏଣେତେଣେ ସବୁ
ପଡ଼ିଥିଲେ ହୋଇ ବିଞ୍ଛି l *(୩)*
ତଥାପି ଚଞ୍ଚଳ ପାଦଦ୍ୱୟ ମୋତେ
ଘେନିଗଲେ ଥାକ ପାଖେ,
ଅନ୍ଧାରେ ଅଣ୍ଡାଳୁ-ଅଣ୍ଡାଳୁ ବାଜିଲା
ମହମବତୀଟା ହାତେ l *(୪)*
ମହମବତୀକୁ ଜାଳି ଯେବେ ଦେଲି
ଆଲୋକିତ ହେଲା ଘର,
ବର୍ଷା ବାଆ ଖାଇ ଖଟିଆ ଡାକିଲା
ନିଦୁଆ ଆଖିକୁ ମୋର l *(୫)*
ଆଖି ବନ୍ଦ କରି ଶୋଇଲା ବେଳକୁ
ଶୁଣିଲି ମୁଁ ନିଜ କାନେ,
ସୂତା ପଚାରୁଛି ମହମକୁ ଗୋଟେ
ପ୍ରଶ୍ନ ଅତି ଅଭିମାନେ l *(୬)*
ମହମକୁ ସୂତା ପଚାରୁଛି ଦୁଃଖେ
ମୁଁ ଯେବେ ନିଆଁ ରେ ଜଳେ,
ମୋତେ ଜଳୁଥିବା ଦେଖି କାହିଁକି ଲୋ
ହୃଦୟଟା ତୋ’ ତରଳେ ? *(୭)*
ତା’ ଜଟିଳ ପ୍ରଶ୍ନେ ସ୍ତବ୍ଧ ମହମଟା
କ’ଣ ବା ତା’କୁ କହିବ ?
ଆଖି ଆଗେ ଆତ୍ମୀୟଙ୍କ ମୃତ୍ୟୁ ଦେଖି
ଆତ୍ମା ବା କା’ର ସହିବ ! *(୮)*
ରୁଦ୍ଧଗଳାରେ ସେ ତଥାପି କହିଲା
ମୋ ହୃଦେ ସ୍ଥାନ ଯାହାର,
ଦେଖି କି ପାରିବି ନିଆଁ ଦେହେ ଜଳି
ତା’କୁ ମୁଁ ମରୁଥିବାର ? *(୯)*
ତଥାପି ଛାତିକୁ ପଥର କରି ବି
ହୃଦ ମୋ ଆଜି ତରଳେ,
ତୋତେ ହରାଇବା ଦୁଃଖେ ଆଜି ନେତ୍ରୁ
ଲୁହ ଟିକେ ଝରିପଡ଼େ l *(୧୦)*
ଲୁହ ତ ନୁହଁ ଏ ମୋ ହୃଦୟ ଲହୁ
ଯାହା ଅଛି ଝରିଯାଉ,
ସୂତା ଲୋ ତୋ ମୃତ୍ୟୁ ଦେଖିବା ପୂର୍ବରୁ
ପ୍ରାଣ ମୋର ସରିଯାଉ l *(୧୧)*
ରାଧାମୋହନ ପୂଜାହାରୀ
ବୀରମହାରାଜପୁର ସୁବର୍ଣ୍ଣପୁର