ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଲୋହିତ ଗୋଧୂଳି

ଲୋହିତ ଗୋଧୂଳି

କାଙ୍ଗାଳୀଚରଣ ସେଠୀ

 

ନୀଳ ଚକ୍ରବାଳେ ଲୋହିତ ଗୋଧୂଳି

     କିଏ ସେଇ ଚିତ୍ରକର

ସଜେଇ ଦେଇଛି ରଙ୍ଗିନ ତୂଳୀରେ

    କ୍ଷିତି ଆକାଶ ଉପର 

   ନୈସର୍ଗିକ ଶିରି ସୁଷମା

ଶବଦ ବି ଏଠି ସ୍ତବ୍ଧ ହୋଇଯିବ

ବର୍ଣ୍ଣିବାକୁ ତାର ଉପମା (୧)

ଲାଲ। ସୂର୍ଯ୍ୟ ବିନ୍ଦି ସନ୍ଧ୍ୟା ବଧୂ ପିନ୍ଧି

   ଲହରେ ପଣତ କାନି

ମୀନା କରାତାରା ଉତ୍ତରୀୟ ପରା

   ସନ୍ଧ୍ୟା ତାରା ମଥା ମଣୀ

   ବିଶ୍ଵ ନିୟନ୍ତାର କଳ୍ପନା

ଦୂର ତାଳ ବନୁ ଭାସି ଆସେ କାର

   ମୋହନ ମୂରଲୀ ମୂର୍ଚ୍ଛନା (୨ )

ମନମତାଣିଆ ଜୋଛନାର ସାଥେ

   ଫୁଲ ମଉଛବ ରଚନା

ମଧୁ ମଳୟର ମହୁଆ ମହକ

  ସଜ ଶେଫାଳୀର ବାସନା 

   ଗୋଧୂଳି ଗଗନ ତଳେ

ଅତୁଳନୀୟ ସେ ଚିତ୍ର ବଇଭବ

  ଚଉରାରେ ଦୀପ ଜଳେ (୩)

ସ୍ନିଗ୍ଧ ମଧୁ ଓଠେ ପଲ୍ଲୀ ବଧୂ ହସେ

   ନଦୀକୂଳେ ସାଙ୍ଗ ମେଳେ

ରକ୍ତାଭ ସୂର୍ଯ୍ୟର ରକ୍ତିମ ଆଭାରେ

   ସପନ ଭଉଁରୀ ଖେଳେ

   କାଖରେ କଳସ ଧରି

ଲେଉଟି ଚାହାଁନ୍ତେ ମୀନ ନୟନାର

   ତନୁଶିରି ଦିଏ ଘାରି (୪)

ଶମ୍ଭୁଆଳେ କମ୍ବୁ ଶବଦ ଶୁଭଇ

  ବାହୁଡନ୍ତି ପକ୍ଷୀଗଣ

ଓଁକାର ଶବ୍ଦରେ ତ୍ରିସନ୍ଧ୍ୟା କମ୍ପଇ

  ତନୁ ମନେ ଶିହରଣ

   ଲୋହିତ ଗୋଧୂଳି ଏବେ

ଲିଭ ଲିଭି ଯାଏ ପ୍ରତୀଚୀ ଗଗନୁ

   ଲିଭେନି ମନରୁ କେବେ (୫)

ଯାଜପୁର

Related posts

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

Sunil Chandra Nayak

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

Sunil Chandra Nayak

Leave a Comment

error: Content is protected !!