ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

ବିଲାତି କୁକୁର ଚାଷ

   

   ଅପର୍ତ୍ତି ସେଠୀ

        (ରମ୍ୟ ରଚନା) 
ଧନ୍ୟ ହେ ବିଲାତି ବାବୁ 
       ଯାହାଦେଇଗଲ ସବୁ,
ବଞ୍ଚି ଥିବାଯାଏ ଆମେ ଭାରତୀୟ
       ତାକୁ କି ଭୁଲିପାରିବୁ।
ବିଲାତି ଆଳୁ କି ବିଲାତି କଖାରୁ
       ସେ ବିଲାତି ବାଇଗଣ,
ଦେଶୀଠୁ ଅଧିକା ବିଲାତି ଚାହିଦା
       ବିଲାତିଟା ବେଶୀ ଟାଣ।
ଚାଇନା ରୋହୀ କି ଆମେରିକା କ‌ଉ
       ସିଲିଭର୍ କପ ମାଛ,
ତୁମର ସେ ପୁଣି ବିଲାତି କୁକୁର
       ଆମେ ବି କଲୁଣି ଚାଷ।
କୁକୁଡ଼ା,ବତକ,ଛେଳି, ମେଣ୍ଢା ଭଳି
       ବେପାର ଉଦ୍ଦେଶ୍ୟ ନେଇ,
କୁକୁର ଚାଷଟି ସହକରେ ହୁଏ
        ନୁହେଁ ଏହା ମାଂସ ପାଇଁ।
 କୁକୁର ପାଳିବା ବିଦେଶରୁ ଆସି
        ଗାଆଁରେ ପହଞ୍ଚିଲାଣି,
ସଟ୍ ପିନ୍ଧା ଝିଅ ବିଲାତି କୁକୁର
        ଧରି ସହକ କଲାଣି।
ପ୍ରଥମେ ଫେସନ‌ ହୋଇ ରହିଥିଲା
       ଏହି କୁକୁର ପାଳନ,
ଆଜି ଏ କୁକୁର ଚାଷ କଲେ ଭଲ
       ପ‌ଇସା ମିଳୁଛି ଜାଣ।
ହେଉ ଆଲ୍ଟ୍ରାସିଆନ ଅବା ଡଗରମାନ
        ବିଭିନ୍ନ ଜାତି କୁକୁର,
ୟାଙ୍କ ଚାଷ ପାଇଁ ଇନ୍‌ଭେଷ୍ଟ ହେବ
        ନିଶ୍ଚୟ ଟଙ୍କା ପ୍ରଚୁର।
ରବିବାର ଯଦି ମଟନ ଖାଇବେ
        ସୋମବାରେ ବି ଚିକେନ୍,
ମଙ୍ଗଳବାରରେ ବିରିଆନୀ ପୁଣି
        ବୁଧବାରେ ଚାଉମେନ୍।
ବିନା ଆଇଁଷର ଖାଦ୍ୟ ଚଳେ ନାହିଁ
        ଲୋଡା ସାବୁନ୍,ଡାକ୍ତର,
ଏଭଳି କୁକୁର ବ୍ୟବସାୟ ପାଇଁ
        ଶକ୍ତି ନାହିଁ ଗରୀବର।
ଠିକ୍ ଟାଇମ୍‌ରେ କୁକୁରକୁ ଧରି
       ବେକରେ ବେଲ୍‌ଟ ଲଗାଇ,
ରାସ୍ତା କଡ ଦେଖି ଝାଡ଼ା କରାଇବେ
        ବଢିଆ ଡିୟୂଟି ଏହି।
କୁକୁର ବାହାରେ ନେଲାବେଳେ ଏକ
        ନିର୍ଦ୍ଧିଷ୍ଟ କଷ୍ଟ୍ଯୁମ୍ ଥାଏ,
ବରମୁଣ୍ଡା ସଙ୍ଗେ ଟି ସାର୍ଟ ଟୋପି
        ହାତେ ଛୋଟ ବାଡି ଥାଏ।
ରାସ୍ତାରେ ଲୋକଙ୍କୁ କୁକୁର ଦେଖିକି
 ‌‌ ଝୁଙ୍କି ଆସି ଭୁକୁଥାଏ,
ମାଲିକଟି କିନ୍ତୁ ଟାଣି ଧରି ତାକୁ
        ଇଂରାଜୀରେ କହୁଥାଏ।
ବିଲାତି କୁକୁର ଯେଣୁ ଇଂରାଜୀକୁ
        ଭଲଭାବେ ବୁଝିଥାଏ,
ତେଣୁ ଟମି,ଡମି,ପପି,ଟାଇଗର,
        ଇଂରାଜୀ ନାଁ ତା’ ଥାଏ।
କୁକୁର ଗୋଟାଏ ତିରିଶ ହଜାର
        ଚାଳିଶ ହଜାର ଦାମ୍,
ଡେଲିଭରି ଆଗୁ ଛୁଆ ନେବାପାଇଁ
        ଗରାଖୀଙ୍କ ଭାରି ଜାମ୍।
କୁକୁରର ଗୁଣ ପ୍ରଶଂସାକୁ ଯଦି 
        ବନ୍ଧୁ ପାଖେ ବଖାଣିବ,
ସେ ଯେଉଁ ନିଆରା ଆନନ୍ଦ ମିଳିବ
         ଆତ୍ମାଟି ଶାନ୍ତି ଲଭିଵ।      
ବିଭିନ୍ନ କାରଣ ପାଇଁ କୁକୁରଙ୍କୁ
         ମଣିଷ ଯେ ପାଳୁଅଛି,
ଘର ଜଗିବାକୁ ଚୋର ଧରିବାକୁ
         କୁକୁରର ଖ୍ୟାତି ଅଛି।
ବିଲାତି ହେଉ ବା ଦେଶୀ କୁକୁରଟି
         ମଣିଷଠାରୁ ବିଶ୍ଵସ୍ତ,
ମଣିଷ ଏଠାରେ ଧୋକ୍କା ଦେଇପାରେ
         କୁକୁର ଦେଖେନା ସ୍ଵାର୍ଥ।
କୁକୁରଟି ଚାହେଁ ମଣିଷ ପାଖରେ
         ବିଶ୍ଵସ୍ତ ପଣେ ବଞ୍ଚିବ,
କିନ୍ତୁ ଏ ମଣିଷ ନିଜ ସ୍ଵାର୍ଥ ପାଇଁ 
         କୁକୁରକୁ ପାଳୁଥିବ।
ବାପାମାଆ ସେବା ଭୁଲିଯାଇ ଯଦି
         କୁକୁରର ସେବା ହୁଏ,
ବଡଲୋକି ପଣ ଖାତିରିଟା କେଉଁ
         ଗୁଣକୁ ସେ ମାପ ପାଏ?
କୁକୁର ପାଳିଲେ କ’ଣ ହେବ ଭାଇ
         ବିଶ୍ଵାସ ଯଦିବା ନାହିଁ,
ସେହି କୁକୁରକୁ ଗୁରୁ କର ତା’ଠୁଁ
         ବିଶ୍ଵାସର ଦୀକ୍ଷା ନେଇ।
କଥାରେ କଥାରେ ମଣିଷ ରାଗିଲେ
         ଅନ୍ୟକୁ କୁକୁର କହେ,
କିନ୍ତୁ କୁକୁରଟି ସବୁଠୁଁ ବିଶ୍ବାସୀ 
         ମଣିଷର ସାଥୀ ସିଏ।
ଏ ସତ କଥାଟି ନଜିର‌ ଦେଉଛି
         ଆମ ଘର ପାଖ ଗାଁ,
ଛୋଟିଆ ଶିଶୁଟି ଏକା ଶେଯପରେ
         କାନ୍ଦୁଥିଲା କୁଆଁ କୁଆଁ,
ନାଗ ସାପଟିକୁ ଦେଖି ଶିଶୁ ପାଖେ
        ପୋଷା କୁକୁରଟି ଯାଇ,
ସାପର ମୁଣ୍ଡକୁ କାମୁଡ଼ି ଧରିକି
        ଝୁଣି ମାରିଦେଲା ସେହି।
ହେଲେ ନାଗଟିଏ ମରିବା ପୂର୍ବରୁ
        ଚୋଟ‌ ତାକୁ ମାରିଥିଲା,
କୁକୁରଟି କିନ୍ତୁ ଦଶ ମିନିଟ୍‌ରେ
        ସେହିଠାରେ ପ୍ରାଣ ଦେଲା।
ମଣିଷ ବିଚାର କରେ ଆଗପଛ
        ନିଜ ଜୀବନକୁ ଦେଖେ,
କିନ୍ତୁ କୁକୁରଟି ପ୍ରାଣ ବଳି ଦେଇ
        ମାଲିକ ଜୀବନ ରଖେ।
ପର ପାଇଁ ପ୍ରାଣ ବଳି ଦେଇ ବୀର
       ସହୀଦ ହୋଇଲା ଭଳି,
ତେଣୁ ସେ କୁକୁର ପାଦରେ ଅପର୍ତ୍ତି
        ଶ୍ରଦ୍ଧାଞ୍ଜଳୀ ଦିଏ ଢାଳି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

  

Related posts

ମାନଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

Sunil Chandra Nayak

ପକ୍ଷାଘାତ ଧର୍ମ ଦାଶ କୁ ଅଲ ଓଡ଼ିଶା ସିଡୁଲ କାଷ୍ଟ ପକ୍ଷରୁ ସହାୟତା

Leave a Comment

error: Content is protected !!