ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କହଲୋ ଶେଫାଳି

  କହଲୋ ଶେଫାଳି

      ବେଣୁଧର ସୂତାର

କେଉଁ ଦୂର ତରୁ ବନେ
               ଫୁଟି ଅଛୁ ଗୋପନେ
ଭୂରୁ ଭୂରୁ ବାସ ତୋର
               ଭାସି ଆସେ ପବନେ
ତୋ ମିଠା ମହକ ଧାରା
ମନ କରେ ଆତ୍ମହରା
            ଏଇ ଚାରୁ ଚନ୍ଦ୍ରିକାର 
          ଜ୍ୟୋତ୍ସ୍ନାମଧୁ ଲଗନେ ।।
ଏ ଭବ ଶୟଳେ ସିନା
            କ୍ଷୀଣ ତୋର ଆୟୁଷ
ବିଧାତା ଦେଇଛି ଭରି
          ତୋ ତନୁରେ ପୀୟୂଷ
ତୋ କ୍ଷୀଣ ଆୟୁଷ ନେଇ
ମହକିତ କରୁ ମହୀ
            ଯଶ ପାଇଁ ଲୋଡା ନାହିଁ
               ବଳ ଅବା ବୟସ ।।
ଧୀର ସମୀରଣ ତାଳେ
               ହସୁ ତରୁ ଡାଳରେ
ଛୁଇଁ ନପାରଇ ଭୃଙ୍ଗ
         ତୋତେ ପ୍ରେମ ଭୋଳରେ
ଲୁଚିଗଲେ ନଭେ ଶଶୀ
ବିରହେ ପଡୁତୁ ଖସି
           ଧୂଳି ଧୁସରିତ ଶେଯେ
          ଭୂମି ମାତା କୋଳରେ ।।
ରଜନୀରେ ବିକଶି ତୁ
          ଝରିଯାଉ ସକାଳେ
ଶିଶିର ମୁକୁତା ସ୍ନେହେ
         ତନୁଶ୍ରୀ ତୋ ପଖାଳେ
ନବନୀତ ତନୁ ତୋର
ଅମିୟ ସୁଷମା ସାର
         କହ କେଉଁ ଅବସୋସେ
              ଝରିପଡୁ ଅକାଳେ ।।
ବୁଝି ମୁଁ ପାରଇ ନାହିଁ
             ବିଧାତାର ବିଧାନ
ଏ ସୁନ୍ଦର ଧରାତଳେ 
              ତାର ଚାରୁ ନିଧାନ
କାହାକୁ ସୁନ୍ଦର ଗୁଣ
କାହାପାଇଁ ଅବଗୁଣ
        କାହାପାଇଁ କେତେ ଦିନ
             ଭବ ମାୟା ବନ୍ଧନ ।।
ଧରାରେ ଜନମ ନେଇ
             କେହି ନୁହେଁ ଅମର
ଦୁନିଆ ଟା ସତେକିବା
             ଜାଗତିକ ସମର
ମାୟାଭରା ଅଭିନୟ
ନିଜେ ନିଜ ପରିଚୟ
          ସଂପର୍କର ସୂକ୍ଷ୍ମ ଡୋର
            ମୋହ ମାୟା ଭ୍ରମର ।।
କ୍ଷୁଦ୍ର ତୋର ତନୁ ସିନା
                 ବିରାଟ ତୁ ଅବଶ୍ୟ
ରୂପ ମହକରେ ମୋହୁ
                 କୋଟିଜନ ମାନସ
ସୁନ୍ଦର ତୁପ୍ତିର ଛଳେ
ବିଶ୍ବ ଜିଣୁ ଅବହେଳେ
           ଅଳିକ ଜୀବନେ ବାଣ୍ଟୁ
                 ସୁଧାମୟ ଆଦର୍ଶ ।।
କହଲୋ ଶେଫାଳି କହ
              କେଉଁ ପୁଣ୍ୟ ଫଳରେ
ତ୍ରିଗୁଣେ ତୁ ବିକଶିଲୁ 
                  ଭଵ ତରୁ ଡାଳରେ
ସ୍ବର୍ଗୀୟ ସୁମନ ତୁହି
ତ୍ରିପୁର ପାରୁଛୁ ମୋହି
              ମହକାଉ ମର୍ତ୍ତ୍ୟଭୂମି
            ତୋ ଆଦର୍ଶ ବଳରେ ।।

କେଶଦୁରାପାଳ , କେନ୍ଦୁଝର

Related posts

ବାଦାମୀ ବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ବାଳିକା ଦିବସ ପାଳିତ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପଶ୍ଚିମ ଓଡ଼ିଶାର ନୂଆଖାଇ 

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!