କହଲୋ ଶେଫାଳି
ବେଣୁଧର ସୂତାର
କେଉଁ ଦୂର ତରୁ ବନେ
ଫୁଟି ଅଛୁ ଗୋପନେ
ଭୂରୁ ଭୂରୁ ବାସ ତୋର
ଭାସି ଆସେ ପବନେ
ତୋ ମିଠା ମହକ ଧାରା
ମନ କରେ ଆତ୍ମହରା
ଏଇ ଚାରୁ ଚନ୍ଦ୍ରିକାର
ଜ୍ୟୋତ୍ସ୍ନାମଧୁ ଲଗନେ ।।
ଏ ଭବ ଶୟଳେ ସିନା
କ୍ଷୀଣ ତୋର ଆୟୁଷ
ବିଧାତା ଦେଇଛି ଭରି
ତୋ ତନୁରେ ପୀୟୂଷ
ତୋ କ୍ଷୀଣ ଆୟୁଷ ନେଇ
ମହକିତ କରୁ ମହୀ
ଯଶ ପାଇଁ ଲୋଡା ନାହିଁ
ବଳ ଅବା ବୟସ ।।
ଧୀର ସମୀରଣ ତାଳେ
ହସୁ ତରୁ ଡାଳରେ
ଛୁଇଁ ନପାରଇ ଭୃଙ୍ଗ
ତୋତେ ପ୍ରେମ ଭୋଳରେ
ଲୁଚିଗଲେ ନଭେ ଶଶୀ
ବିରହେ ପଡୁତୁ ଖସି
ଧୂଳି ଧୁସରିତ ଶେଯେ
ଭୂମି ମାତା କୋଳରେ ।।
ରଜନୀରେ ବିକଶି ତୁ
ଝରିଯାଉ ସକାଳେ
ଶିଶିର ମୁକୁତା ସ୍ନେହେ
ତନୁଶ୍ରୀ ତୋ ପଖାଳେ
ନବନୀତ ତନୁ ତୋର
ଅମିୟ ସୁଷମା ସାର
କହ କେଉଁ ଅବସୋସେ
ଝରିପଡୁ ଅକାଳେ ।।
ବୁଝି ମୁଁ ପାରଇ ନାହିଁ
ବିଧାତାର ବିଧାନ
ଏ ସୁନ୍ଦର ଧରାତଳେ
ତାର ଚାରୁ ନିଧାନ
କାହାକୁ ସୁନ୍ଦର ଗୁଣ
କାହାପାଇଁ ଅବଗୁଣ
କାହାପାଇଁ କେତେ ଦିନ
ଭବ ମାୟା ବନ୍ଧନ ।।
ଧରାରେ ଜନମ ନେଇ
କେହି ନୁହେଁ ଅମର
ଦୁନିଆ ଟା ସତେକିବା
ଜାଗତିକ ସମର
ମାୟାଭରା ଅଭିନୟ
ନିଜେ ନିଜ ପରିଚୟ
ସଂପର୍କର ସୂକ୍ଷ୍ମ ଡୋର
ମୋହ ମାୟା ଭ୍ରମର ।।
କ୍ଷୁଦ୍ର ତୋର ତନୁ ସିନା
ବିରାଟ ତୁ ଅବଶ୍ୟ
ରୂପ ମହକରେ ମୋହୁ
କୋଟିଜନ ମାନସ
ସୁନ୍ଦର ତୁପ୍ତିର ଛଳେ
ବିଶ୍ବ ଜିଣୁ ଅବହେଳେ
ଅଳିକ ଜୀବନେ ବାଣ୍ଟୁ
ସୁଧାମୟ ଆଦର୍ଶ ।।
କହଲୋ ଶେଫାଳି କହ
କେଉଁ ପୁଣ୍ୟ ଫଳରେ
ତ୍ରିଗୁଣେ ତୁ ବିକଶିଲୁ
ଭଵ ତରୁ ଡାଳରେ
ସ୍ବର୍ଗୀୟ ସୁମନ ତୁହି
ତ୍ରିପୁର ପାରୁଛୁ ମୋହି
ମହକାଉ ମର୍ତ୍ତ୍ୟଭୂମି
ତୋ ଆଦର୍ଶ ବଳରେ ।।
କେଶଦୁରାପାଳ , କେନ୍ଦୁଝର