ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଜାଲ

   

          ଜାଲ

         

              ଅପର୍ତ୍ତି ସେଠୀ

                (ରମ୍ୟ ରଚନା)
ଭାଳେଣି ପଡିଛି କେରାଣ୍ଡି କଣ୍ଟିଆ
        ମହୁରାଳି‌ ମାନଙ୍କର,
ଜାଲକୁ ସଜାଡି ବସିଛି ଗୋଖେଇ
        କାଣ୍ଟିବଗ ଯେ ପ୍ରକାର।
ବଦମାସୀ କରେ ମଝିରେ ମଝିରେ
        ଫୁଟାଣିଆ ଦଣ୍ଡିକିରୀ,
ଥାପୁଡ଼ା ମାର‌ଇ ଶେଉଳ ଡାଙ୍କିଆ
        ରାଗେ ହୋଇ ଶିରିଶିରି‌।
ଫୁଲେଇ ବାଳିଆ ନିଶକୁ ଫୁଲେଇ
        ମାରୁଥିଲା ବାହାଷ୍ପୋଟ‌,
ଗୋଖେଇକି‌ ଦେଖି ମୁହଁ ଗଲା ଶୁଖି
        ଅନେଇଛି ମଟମଟ‌।
କଟକିଆଣୀ ସେ ଛଟକି‌ ଟକଳ
        ଖସିଆକୁ ଡାକି କହେ,
ଦେଏଖ୍‌ଲୋମିତ ଗୋଖେଇ ବ‌ଇଚି
        ହାଏରେ‌ କପାଳ ହାଏ।
ହାବେଳୀ‌ ପରିକା ବାତେରା ଗଡ଼ିଶା
        ଉଠୁଥାଏ ବୁଡୁଥାଏ,
ବଡପାଟି କରି ଟାଉକି ବୋଦସୀ
        ତାକୁ ଗାଳି ଦେଉଥାଏ।
ବାଲିରେ ଶୋଇଚି ବାଲିଗରଡା ସେ
        ନାହିମୁଣ୍ଡେ‌ ତେଲ ଦେଇ,
ଗୋଖେଇ‌ ଭାରିଜା‌ ଅନେଇ ବସିଛି
         ପନିକି‌ ପାଚିଆ‌ ଥୋଇ।
ତଳ ବାହୁଙ୍ଗାଟି‌ ଖସୁଥିଲେ ସିନା
         ଉପର ବାହୁଙ୍ଗା ହସେ,
ମଝିବାହୁଙ୍ଗା ସେ ଚିଙ୍ଗୁଡ଼ିଖାଡିଆ
   (କହେ)ମୋଦିନକାଳ‌ ଆସେ।
ବଡଘର ବଡ଼ ଗୁମର ପଣିଆ
        ମାଗୁର ମାଛର କଥା,
ଆଉ ନାହିଁ ଠାଣି ରତା‌ ଶିଙ୍ଗିଟିର‌
         ଘୂରିଯାଏ‌ ତାର ମଥା।
ଅଳପ‌ ବୁଦ୍ଧିଆ କଳପ‌ଟିଏ‌ ଲୋ
         ଅଟେ କୁରୁ କପାଳିଆ‌,
ଅମର ଲଡୁ ସେ ଖାଇଚି‌ ମାଆଲୋ
        ମାରୁଥାଏ ଖାଲି ଡିଆଁ।
ମହାକାଳ‌ ପରି ମାୟାଜାଲ‌ ସିଏ
        ଚିତ୍ରଗୁପ୍ତ‌ ହାତେ ପାଞ୍ଜି,
ଜାଣି ଦଶରଥ‌ ଖୋଜୁଥାଏ ଗାତ
  (କାଳେ)ପାଳିପଡିଯିବ‌ ଆଜି।
ରହିରହି ରୋହି‌ ଭାକୁଡକୁ‌ କହେ
        ମିରିକାଳୀ‌ କାହିଁ ଗଲା,
କ‌ଇଁଛ ମ‌ଉସା କିଛି ବୁଝିଲାନି‌
        ବେଳ ଖରାପ ପଡ଼ିଲା।
ଏହିକଥା‌ କେବେ ନୋହିବ ଅନ୍ଯଥା‌
        ମାଳିକା ବଚନ‌ ପରି,
ସାତତାଳ‌ ପଙ୍କ‌ ରଙ୍କ‌ ଫରୁଆରେ‌
       କୀର୍ତ୍ତନ କରୁଚି‌ ତୋଡି‌।
ସଂସାରଟି ମାୟା ଜାଲରେ ମନୁଆଁ‌
       ସର୍ବେ ଏଠି ଛନ୍ଦାଛନ୍ଦି,
ମିଛର‌ ସମ୍ପର୍କେ‌ ବାଇଆ‌ ଅପର୍ତ୍ତି
       ନିଜେ ହୋଇଯାଏ ‌ବନ୍ଦୀ‌।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ଗାଁ ଲୋକେ

Sunil Chandra Nayak

କବିତା ସାହୁ ଙ୍କ କବିତା  ବୋଲବମ୍

Sunil Chandra Nayak

ଖଇରାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

Leave a Comment

error: Content is protected !!