ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଚତୁର୍ଥ ସ୍ବରୂପ ମାତା କୁଷ୍ମାଣ୍ଡା

ଜଗନ୍ମାତାଙ୍କ ଚତୁର୍ଥ ସ୍ବରୂପ

        ମାତା କୁଷ୍ମାଣ୍ଡା

 

ସୁରାସମ୍ପୂର୍ଣ୍ଣ କଳଶଂ
              ରୁଧିରାପ୍ଳୁତ ମେବଚ
ଦଧାନା ହସ୍ତପଦ୍ମାଭ୍ୟାଂ
              କୁଷ୍ମାଣ୍ଡା ଶୁଭଦାସ୍ତୁ ମେ।

ଚେତନାର ଚତୁର୍ଥ ଆୟାମରେ ସାଧକର ମନ ଅନାହତ ଚକ୍ରରେ ଅବସ୍ଥିତ ହୋଇଥାଏ।ଏହି ଆୟାମର ଦେବୀ ହେଉଛନ୍ତି ମାତା କୁଷ୍ମଣ୍ଡା।ଯେତେବେଳେ ସୃଷ୍ଟିର ଅସ୍ତିତ୍ବ ହିଁ ନଥିଲା ଓ ଚାରିଆଡ଼େ ଅନ୍ଧକାର ପରିବ୍ୟାପ୍ତ ଥିଲା ସେତେବେଳେ ଦେବୀ ତାଙ୍କର ମନ୍ଦ-ମନ୍ଦ ହାସ୍ୟଦ୍ବାରା ଅଣ୍ଡ ଅର୍ଥାତ୍ ବ୍ରହ୍ମାଣ୍ଡର ରଚନା କରିଥିଲେ।ଏହିକାରଣରୁ ତାଙ୍କୁ କୁଷ୍ଣାଣ୍ଡା ମାତା କୁହାଯାଏ।ଏହି ଆୟାମରେ ପହଞ୍ଚିଗଲେ ସାଧକ ବିଭୂତି ଗୁଡିକୁ ପ୍ରାପ୍ତ ହୋଇଥାଏ।ସେ ବ୍ରହ୍ମାଣ୍ଡକୁ ସୃଷ୍ଟିକରିଥିବାରୁ ଏହି ସୃଷ୍ଟିର ଆଦିସ୍ବରୂପା ବା ଆଦିଶକ୍ତି,ଦେବୀଙ୍କ ଆଠଭୁଜ ଥିବାରୁ ଅଷ୍ଟଭୁଜା ବୋଲି ପରିଚିତ।ସାତଟି ହସ୍ତରେ କ୍ରମଶଃ କମଣ୍ଡଳୁ, ଧନୁ, ବାଣ,

କମଳପୁଷ୍ପ,ଅମୃତ କଳସ,ଚକ୍ର ତଥା ଗଦା ଶୋଭାପାଏ।ଅଷ୍ଟମ ହସ୍ତରେ ସମସ୍ତ ସିଦ୍ଧି ଓ ନିଧି ପ୍ରଦାନ କରୁଥିବା ଜପମାଳା ଶୋଭିତ।ସିଂହରୂଢି ମାତା କୁଷ୍ମାଣ୍ଡାଙ୍କର କୁଷ୍ମାଣ୍ଡଫଳ ବଳି ଅତିପ୍ରିୟ।ଏହିବ୍ରହ୍ମାଣ୍ଡ କୁଷ୍ମାଣ୍ଡ ଫଳ ସଦୃଶ୍ୟ ଯାହା ଉପରେ ଏକ ଆବରଣ ଏବଂ ତାମଧ୍ୟରେ ବୀଜଥାଏ।ଠିକ୍ ସେଇପରି ଦେବୀ ଵ୍ରହ୍ମାଣ୍ଡ ମଧ୍ୟରେ ନିବାସ କରନ୍ତି ଏବଂ ସମସ୍ତ ଜୀବଙ୍କୁ ସଂରକ୍ଷଣ କରନ୍ତି।ଦେବୀ ସୂର୍ଯ୍ୟମଣ୍ଡଳ ମଧ୍ୟଭାଗରେ ନିବାସ କରନ୍ତି।ସୂର୍ଯ୍ୟାଲୋକରେ ସ୍ଥିତହେବାର କ୍ଷମତା କେବଳ କୁଷ୍ମାଣ୍ଡା ମାତାଙ୍କର ସାମର୍ଥ୍ୟ ରହିଛି।ତେଣୁ ତାଙ୍କର କାନ୍ତି ଓ ପ୍ରଭା ସୂର୍ଯ୍ୟଙ୍କ ସମ ଦେଦୀପ୍ୟମାନ।ଏ ବ୍ରହ୍ମାଣ୍ଡର ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଦେବୀଙ୍କର ତେଜ ହିଁ ବ୍ୟାପ୍ତ।

   ସ୍ଥିର ଓ ପବିତ୍ର ମନରେ ନବରାତ୍ରୀର ଚତୁର୍ଥ ଦିନରେ ମାତାଙ୍କର ଆରାଧନା କଲେ ଭକ୍ତଙ୍କ ରୋଗ,ଶୋକ ନାଶହୋଇ ଆୟୁ,ଯଶ,ବଳ ଏବଂ ଆରୋଗ୍ୟ ପ୍ରାପ୍ତ ହୁଏ।ଜଗଜ୍ଜନନୀ ଅତ୍ୟଳ୍ପ ସେବା ଓ ଭକ୍ତିରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି୍।କୃପାର ସୂକ୍ଷ୍ମ ଅନୁଭବ ହେବାକୁ ଲାଗେ,ଦୁଃଖରୂପକ ସଂସାର ସାଗର ଅତ୍ୟନ୍ତ ସୁଖଦ ହୋଇଯାଏ।ଆଧି-ବ୍ୟାଧୀ ସମୂଳେ ନାଶକରି ମାତା ଭକ୍ତକୁ ସୁଖ ସମୃଦ୍ଧିର ମାର୍ଗରେ ନେଇଯାନ୍ତି।ଦେବୀ ଭାଗବତ ଅନୁସାରେ ମାତାଙ୍କର ଏହି ରୂପ ପାର୍ବତୀଙ୍କ ବିବାହପରଠାରୁ କାର୍ତ୍ତିକେୟଙ୍କୁ ସନ୍ତାନରୂପେ ପ୍ରାପ୍ତିର ମଧ୍ୟବର୍ତ୍ତୀ ଗାଥା।ପବିତ୍ର ମନରେ ତାଙ୍କର ଶରଣ ଗଲେ ପରମପଦ ପ୍ରାପ୍ତ ହୁଏ।

                   ସତ୍ୟ ନାରାୟଣ ମହାପାତ୍ର

                                      ଭବାନୀପାଟଣା 

Related posts

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ ଜଣାଣ ହେ ଗଜ ବଦନ

Sunil Chandra Nayak

Leave a Comment

error: Content is protected !!