ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ପାଳଭୂତ ସାଙ୍ଗେ କଥା

 ପାଳଭୂତ ସାଙ୍ଗେ କଥା

   

      ଅପର୍ତ୍ତି ସେଠୀ

     (ରମ୍ୟ ରଚନା) 
କୁଆଁର ପୁନେଇଁ ଜହ୍ନ ପଡ଼ିଅଛି
     ପାଳଭୂତ ବାହାରିଛି,
ତା’ପଛରେ ଦଳେ ପିଲାବି ଅଛନ୍ତି
     ପ‌ଇସା ମଗା ଚାଲିଛି।
ମଜା ମ‌ଉଜରେ ଗାଆଁ ଦାଣ୍ଡ ଆଜି
      ଉଠୁଛି ଆଉ ପଡୁଛି,
ପିଲାମାନଙ୍କର ହୋ ହାଲ୍ଲା ରବେ
      ହୁଲୁସ୍ତୁଲୁ ହେଉଅଛି।
ଉପର ସାହିର ମକରାଟି ଆଜି
      ପାଳଭୂତ ହୋଇଅଛି,
କୁକୁର ଭୁକନ୍ତି ତା’ରୂପକୁ ଦେଖି
      ଭୂତ ହାତ ହଲ‌ଉଛି।
ଏପଟୁ ଆସୁଛି ଡାଳ ଭୂତଟିଏ
       ତଳ ସାହିର ଶୁକୁଟା,
 ମିଳିନାହିଁ ପାଳ ଦେବଦାରୁ ଡାଳେ
       ହୋଇଛି ଡାଳ ଭୂତଟା।
ମାଟି ହାଣ୍ଡିଟାରେ ଆଖି ଦାନ୍ତ କରି
      ନିଜ ମୁଣ୍ଡରେ ପିନ୍ଧିଛି,
ହାତକୁ ବାଡେଇ ରଡିଟାଏ ଛାଡି
      ପିଲାଙ୍କୁ ସେ ଡର‌ଉଛି।
ପାହୁଲ ପକାଇ ଗୋଡ଼ ଫାଙ୍କା କରି
      ଭୂତ ଚାଲୁଥିଲା ବେଳେ,
ଧକ୍କା ହୋଇଗଲା ଦେଖୁ ଦେଖୁ ତାର
      ପାଳଭୂତ ସହିତରେ।
ଥିଲେ ଥିଲେ ଦୁହେଁ କୁଣ୍ଢାକୁଣ୍ଢି ହୋଇ
      ଗଡାପଡା ଲାଗିଗଲେ,
ଆମଛକ ପାଖ ନର୍ଦ୍ଦମା ମଝିରେ
      ଦୁହେଁ ଯାକ ପଡିଗଲେ।
ପାଳଭୂତ ଆଉ ଡାଳଭୂତଙ୍କର
       ଦେହେ ନାହିଁ ଡାଳ ପାଳ
ଓବସ୍ତ୍ର ଲଙ୍ଗଳା ପୁଣି ଦୁଇଜଣ
        ସାଙ୍ଘାତିକ ଗଣ୍ଡଗୋଳ।
ଯିଏସେ ଦେଖିଲା ମୁହେଁ ହାତ ଦେଲା 
         ଫେଁ ଫେଁ ହସୁଥିଲା,
ଯାହାହେଉ ଆମେ ଛଡାଛଡି କଲୁ
       ମାଡଗୋଳ ଥମିଗଲା।
ଉପର ସାହି ଓ ତଳ ସାହିଟିର 
       କେତେବେଳେ ପଡେନାହିଁ,
ସେଇଥିପାଇଁକି ଯୁଦ୍ଧ ଲାଗିଗଲେ
      ପାଳ ଡାଳ ଭୂତ ଦୁଇ।
 ସେଠାରେ ମୁଁ ଥିଲି ଭୂତଙ୍କୁ ଡାକିଲି
       ପଚାରିଲି ଏହି କଥା,
ଭୂତ ହୋଇଅଛ ବଢିଆ କରିଛ
       ମାଗୁଛ କାହିଁ ପ‌ଇସା? 
ମୋତେ ସେ କୁହନ୍ତି ପ‌ଇସା ମାଗୁଛୁ 
      ଚିକେନ ଫିଷ୍ଟ କରିବୁ,
କୁଆଁର ପୁନେଇଁ ବରଷକେ ଥରେ
      ଭୂତ ହୋଇ ବାହାରିବୁ।
ସାବି,କ‌ଇଁ,ମଲ୍ଲୀ, ସବିତା, କୁସୁମ
      କଣ୍ଟିଫୁଲ ଗୋବରରେ,
ଓଷା ନାଆଁ ନେଇ ପ‌ଇସା ମାଗନ୍ତି
      ସେହି ଏକା କାରଣରେ।
ଗାଁ ବାଟେ ଗଲେ ବାଇକି କି ଅଟୋ
      କାହାକୁ ଛାଡନ୍ତି ନାହିଁ,
ରସିଟିଏ ଟାଣି ଅଟକାଇ ଥାନ୍ତି
      ପ‌ଇସା ଆଦାୟ ପାଇଁ।
କୁଆଁର ପୁନେଇଁ ଓଷାର ବାସିରେ
      ଛାଡଖାଇ ସେ କରିବେ,
କଲର ବାଆର୍ଡ କୁକୁଡା ଆଣିବେ
      ଏକାଠି ଭୋଜୀ କରିବେ।
ହ‌ଉ ହେଲା ତୁମେ ଭୋଜୀ କରିଖାଅ
       କିଛି ଅସୁବିଧା ନାହିଁ,
ରାଗ ହିଂସା କରି ପରଷ୍ପର ତୁମେ
       ମାଡଗୋଳ ଲାଗ କାହିଁ? 
ଦେହ ତୁମ ପଛେ କୁଣ୍ଡେଇ ବି ହେଉ
       ପାଳ ଭୂତ ତୁମେ ହୁଅ,
ଡାଳପତରରେ ଭୁତ ନ ହୋଇକି
       ପରମ୍ପରାକୁ ବଞ୍ଚାଅ।
ଏହା କହି ମୁହିଁ ଭୂତ ଦୁହିଁଙ୍କର
      ଫଟୋ ପୁଣି ଉଠେଇଲି,
ଫେସବୁକ୍ ଖୋଲି ମୋବାଇଲଟାରେ
      ସାଙ୍ଗେ ସାଙ୍ଗେ ପୋଷ୍ଟ କଲି।
ପାଳଭୂତ ଆଉ ଡାଳଭୂତଙ୍କୁ ଯେ
      ବହୁ ଲାଇକ୍‌ ମିଳିଲା,
ନିଆରା ଏ ଭାବ ଆମ ପାଳ ଭୂତ
      ସବୁ ହୃଦୟ ଛୁଇଁଲା।
ଓଡ଼ିଆ ସଂସ୍କୃତି ସବୁଠୁଁ ବଢିଆ
      ଭାବି ଆନନ୍ଦିତ ହେଲି,
ଆମ ପରମ୍ପରା ଆଜି ବି ବଞ୍ଚିଛି
      ଗର୍ବ ଅନୁଭବ କଲି।
ଭାବିଲି ଆଗକୁ ପାଳଭୂତଙ୍କର
       ସମାରୋହ କରାଇବା,
ପ୍ରଥମ, ଦ୍ଵିତୀୟ, ତୃତୀୟ ବାଛିବା
       ପୁରସ୍କାର ତାଙ୍କୁ ଦେବା।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

  ‌‌

Related posts

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

ଲୁହାଗାଁ ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!